ଖୋର୍ଦ୍ଧା: ଆଜି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପ୍ରାକ୍ତନ ରାଜ୍ୟପାଳ ଓ ତିରୁପତି ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୫ମ ଶ୍ରାଦ୍ଧ ବାଷିକୀ ସ୍ଥାନୀୟ ଜାକନୀ ବଲ୍ଲଭ ପଟ୍ଟନାୟକ ସ୍ମୃତି ଉଦ୍ୟାନରେ ପାଳିତ ହୋଇଯାଇଛି । ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉଦ୍ୟାନ ପରିସରରେ ଥିବା ଜାନକୀ ବଲ୍ଲଭଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।

Advertisment

ଏଥିରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ସ୍ମୃତି କମିଟିର ସମ୍ପାଦକ ସଂଜୟ ପଟ୍ଟନାୟକ, କୋଷାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ, ଶିଶିର ପରିଡ଼ା, ପଦ୍ମଚରଣ ରାୟ, ପ୍ଲାବନ ପଟ୍ଟନାୟକ, ସମ୍ବିତ ମହାନ୍ତି, ମହମ୍ମଦ କେପାତୁଲ୍ଲା, ପ୍ରଦୋଷ ହରିଚନ୍ଦନ, ଜିତେନ୍ଦ୍ର ଚମ୍ପତ୍‌ତି, ବୁଟୁ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଛି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତିଚାରଣ କରିଥିଲେ । ଏହାପରେ ଖୋର୍ଦ୍ଧା ସହରର କେତେକ ଅସହାୟ ଓ ଦୁଃସ୍ଥଙ୍କୁ ଖାଦ୍ୟ, ମାସ୍କ ଓ ସାନିଟାଇଜର ବଂଟନ କରାଯାଇଥିଲା ।

ସୂଚନାଯୋଗ୍ୟ ୩ ଜାନୁଆରୀ ୧୯୨୭ରେ ନିରାକାରପୁର ନିକଟସ୍ଥ ରାମେଶ୍ୱର ଠାରେ ଜନ୍ମଗ୍ରହଣ କରିଥିବା ଜାନକୀ ବଲ୍ଲଭ ପଟ୍ଟନାୟକ ଜଣେ ବହୁମୁଖି ପ୍ରତିଭାଧାରୀ ବ୍ୟକ୍ତି ଥିଲେ । ସେ ୧୯୮୦ରୁ ୧୯୮୯ ଦୁଇଥର ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ୧୯୯୫ରୁ ୧୯୯୯ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୦୯ରେ ସେ ଆସାମ ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇବା ପୂର୍ବରୁ ଆନ୍ଧ୍ରପ୍ରଦେଶ ତିରୁପତିର ରାଷ୍ଟ୍ରୀୟ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ପାଇଥିଲେ ।

୨୦୧୫, ଅପ୍ରିଲ୍ ୨୧ ତାରିଖରେ ସେ ତିରୁପତି ରାଷ୍ଟ୍ରୀୟ ସଂସ୍କୃତ ବିଦ୍ୟାପୀଠରେ ଅତିଥି ଭାବେ ଯୋଗ ଦେବାକୁ ଯାଇଥିଲେ । ସେଠାରେ ହୃଦ୍‌ଘାତ ଜନିତ ଅସୁସ୍ଥତା ଅନୁଭବ କରିବା ପରେ ଭେଂକେଟେଶ୍ୱର ଇନ୍‌ଷ୍ଟିଚ୍ୟୁଟ୍ ଅଫ ମେଡିକାଲ୍ ସାଇନ୍‌ସରେ ଭର୍ତି କରାଯାଇଥିଲା । ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।