୧୧ ବର୍ଷ ପରେ ବି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଧରା ପଡ଼ିନି: ଜୀବନ ମୁକ୍ତାନନ୍ଦ ପୁରୀ ମହାରାଜ

ତୁମୁଡିବନ୍ଧ: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ଘଟଣାକୁ ୧୧ ବର୍ଷ ପୂରିଛି କିନ୍ତୁ ହତ୍ୟାକାଣ୍ଡ ଘଟଣା ସହିତ ଜଡ଼ିତ ଅଭିଯୁକ୍ତ ଆଜି ବି ନିର୍ଭୟରେ ବୁଲୁଛି ବୋଲି ଜୀବନ ମୁକ୍ତାନନ୍ଦ ପୁରୀ ମହାରାଜ ଶୁକ୍ରବାର କହିଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି, ହତ୍ୟାକାରୀକୁ ଧରା ଯାଇ ନାହିଁ କି ତଦନ୍ତ କମିଶନଙ୍କ ରିପୋର୍ଟକୁ ମଧ୍ୟ ସାର୍ବଜନୀନ କରାଯାଉ ନାହିଁ। ଏଣୁ ଆଜି ଆମେ ଦାବୀ କରୁଛୁ ସ୍ୱାମୀ ଜୀଙ୍କ ହତ୍ୟାର ସିବିଆଇ ତଦନ୍ତ କରାଯାଉ। ଏ ନେଇ ଆମେ କେନ୍ଦ୍ର ଗୃହମନ୍ତ୍ରୀ ନିକଟରେ ଦାବୀ କରିବୁ।

ରାଜ୍ୟ ସରକାରଙ୍କ ଅସଲ ମୁଖା ଖୋଲି ଯିବା ଭୟରେ ହତ୍ୟାକାରୀଙ୍କୁ ଗିରଫ କରାଯାଉ ନାହିଁ କି ତଦନ୍ତ ରିପୋର୍ଟ ସାର୍ବଜନୀନ କରାଯାଉ ନାହିଁ। ସ୍ୱାମୀ ଜୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଆମେ ସଂଘର୍ଷ ଜାରି ରଖିବୁ ବୋଲି ସେ କହିଛନ୍ତି।

କନ୍ଧମାଳ ଜିଲ୍ଲାରେ ଶୁକ୍ରବାର କଡା ସୁରକ୍ଷା ବ୍ୟବସ୍ଥା ଭିତରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୧ତମ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ୨୦୦୮ମସିହା ଅଗଷ୍ଟ ୨୩ ତାରିଖ ଠିକ ଆଜିର ଦିନରେ ତୁମୁଡିବନ୍ଧସ୍ଥିତ ସଂସ୍କୃତ କନ୍ୟା ଆଶ୍ରମ ପରିସରରେ କିଛି ଆତତାୟୀ ପ୍ରବେଶ କରି ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା କରିଥିଲା। ଏକ ଯଜ୍ଞ ହେବା ସହ ହରି ନାମ ସଂକୀର୍ତ୍ତନ କରି ସଂକୀର୍ତ୍ତନ ମଣ୍ଡଳୀ ପରିକ୍ରମା କରିଥିଲେ।

ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କର ଶ୍ରଦ୍ଧାଞ୍ଜଳି ସଭା ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳନ କରାଯାଉ ଥିବା ବେଳେ ତୁମୁଡିବନ୍ଧ ଜଲେଶପଟା ଆଶ୍ରମ ପରିସରରେ ମଧ୍ୟ କଡାସୁରକ୍ଷା ମଧ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ତତ ସାଙ୍ଗେ ସାଙ୍ଗେ ଆଜି ସକାଳୁ ଆଶ୍ରମ ଅନ୍ତେବାସିନୀମାନେ ଜଳେଶ୍ୱର ଶିବ ମନ୍ଦିର ନିକଟରୁ ରାହୁଳ ନଦୀରୁ ପୂଜା ଅର୍ଚ୍ଚର୍ନା କରି କଳସରେ ପାଣି ଧରି କଳସ ଯାତ୍ରା କରିଥିଲେ। ସ୍ୱାମୀ ଜୀ ରହୁଥିବା କୋଠରୀ ଓ ବ୍ୟବହାର କରୁଥିବା କଠଉ, ଛତା, ବାଙ୍କୁଲି ବାଡ଼ି ଓ ବିଭିନ୍ନ ନିତ୍ୟ ବ୍ୟବହାର ସାମଗ୍ରୀ ଓ ସ୍ୱାମୀ ଜୀଙ୍କ ପ୍ରତିମୁର୍ତ୍ତିକୁ ସଫା ସୂତୁରା କରି ଫୁଲ ଚନ୍ଦନ ଦେଇ ପୂଜା ଅର୍ଚ୍ଚନା କରିଥିଲେ।

ଶ୍ରଦ୍ଧାଞ୍ଜଳି ସଭାରେ ସାଧୁ ପ୍ରଭାକର ଦାଶ, ସୁନୀଲ ଗୋସ୍ୱାମୀ, ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ, ବ୍ଲକ ଅଧକ୍ଷ ପ୍ରକାଶ ପାତ୍ର, ଅଜିତ ବାରିକ, ନେତ୍ର ମାନସେଠ, ମାଗୁଣି ଗାଈଗୌରୀଆ, ସନ୍ଧ୍ୟାରାଣୀ ପାଣିଗ୍ରାହୀ, ରାଜଲଷ୍ମୀ ନାୟକ, ହରିଶ ପ୍ରଧାନ ଓ ଲୋକନାଥ ପାତ୍ରଙ୍କ ସହ ଶତାଧିକ ବିଶ୍ୱହିନ୍ଦୁ, ବନବାସୀ କଲ୍ୟାଣ ଆଶ୍ରମ, ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ କାର୍ଯ୍ୟକର୍ତ୍ତା ସହ ସ୍ୱାମୀ ଜୀଙ୍କ ଅନୁଗାମୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର