କରୋନାରେ ମୃତ୍ୟୁ! ସାହି ଭାଇ କାନ୍ଧ ଦେବାକୁ ଆସିଲେନି

ବ୍ଲକ୍‌ ଅଧ୍ୟକ୍ଷ, ସ୍ବାସ୍ଥ୍ୟ କର୍ମଚାରୀ କଲେ ଶବ ସତ୍କାର

ମାହାଙ୍ଗା: ମାହାଙ୍ଗା ବ୍ଳକ ଅନ୍ତର୍ଗତ ଶ୍ରୀକୃଷ୍ଣପୁର ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମର ରମେଶ ଚନ୍ଦ୍ର ସାହୁ (୫୫) କରୋନା ପୀଡ଼ିତ ହୋଇ ଘରେ କ୍ବାରାଣ୍ଟିନ୍‌ରେ ଥିଲେ। ହଠାତ୍ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଘଟିବାରୁ ପରିବାର ଲୋକେ ତାଙ୍କୁ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ, ଏହା ପରେ ସାହି ଭାଇ ତାଙ୍କ ଶବ ସତ୍କାର କରିବାକୁ ଅରାଜି ହୋଇଥିଲେ। ଖବର ପାଇ ମାହାଙ୍ଗା ବ୍ଲକ ଅଧ୍ୟକ୍ଷ ଶରତ ନାୟକ, କେତେଜଣ ସ୍ବାସ୍ଥ୍ୟ ଓ ସୁରକ୍ଷା କର୍ମୀ ତାଙ୍କ ଶବ ସତ୍କାର କରିଥିବା ଜଣାପଡ଼ିଛି।
ପ୍ରକାଶ ଯେ, ରମେଶ ଗତ ୨୬ ତାରିଖ ଦିନ କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇ କଟକ ବଡ଼ମେଡିକାଲରେ ଚିକିତ୍ସାଧୀନ ଥିବା ସମୟରେ କରୋନା ସଂକ୍ରମିତ ହୋଇଥିବା ଡାକ୍ତର ଜାଣିବାକୁ ପାଇଥିଲେ। ସେ କରୋନା ସଂକ୍ରମିତ ଥିବାରୁ ପରିବାର ପକ୍ଷରୁ ତାଙ୍କୁ ଘରୋଇ କ୍ବାରାଣ୍ଟିନ୍‌ରେ ରଖିବାକୁ ଅନୁରୋଧ କରାଯାଇଥିଲା ଓ ଡାକ୍ତର ତାଙ୍କୁ ଘରକୁ ପଠାଇ ଦେଇଥିଲେ। ଘରୋଇ କ୍ବାରାଣ୍ଟିନରେ ଚିକତ୍ସାଧୀନ ଅବସ୍ଥାରେ ଥିବାବେଳେ ଆଜି ତାଙ୍କ ଦେହ ହଠାତ୍ ଅଧିକ ଖରାପ ହୋଇଥିଲା। ସଂପର୍କୀୟମାନେ ତାଙ୍କୁ ତୁରନ୍ତ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। ତେବେ କଟକ ବଡ଼ମେଡିକାଲକୁ ପଠାଇବା ନିମନ୍ତେ ବ୍ୟବସ୍ଥା କରାଯାଉଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ମାହାଙ୍ଗା ମେଡିକାଲ ପକ୍ଷରୁ ଏ ନେଇ ଜିଲ୍ଲା ମେଡିକାଲ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ସେମାନେ ଶବ ନେଇ ଶେଷକୃତ୍ୟ କରିବାକୁ ମନା କରି ଦେଇଥିଲେ। ସେପଟେ, ସାଇ ଭାଇ ମଧ୍ୟ ଶବ ନେବାକୁ ଅରାଜି ହୋଇଥିଲେ।

ଖବର ପାଇ ମାହାଙ୍ଗା ବ୍ଲକ ଅଧ୍ୟକ୍ଷ ଶରତ ନାୟକ, ମେଡିକାଲର ପରିଚାଳକ ସନ୍ତୋଷ ଶତପଥୀ ଏବଂ ସୁରକ୍ଷାକର୍ମୀ କାର୍ତ୍ତିକ ଚନ୍ଦ୍ର ସ୍ବାଇଁ, ଚିତ୍ତରଂଜନ ବେହେରା, ଦେବୀପ୍ରସାଦ ପଣ୍ତା, ସଫେଇ କର୍ମଚାରୀ ମାୟାଧର ବେହେରା, ଗାଡ଼ି ଚାଳକ ରାଜେଶ ମୂଳିଆଙ୍କୁ ସାଙ୍ଗରେ ନେଇ ରମେଶଙ୍କ ମୃତଦେହ ନେଇ ଗ୍ରାମ ନିକଟସ୍ଥ ଏକ ସ୍ଥାନରେ କୋଭିଡ ନିୟମ ଅନୁଯାୟୀ ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ବ୍ଳକ ଅଧ୍ୟକ୍ଷ ଶରତ ନାୟକଙ୍କ ଏଭଳି ମହତ କାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି। ଅପର ପକ୍ଷରେ ମୃତ ରମେଶ ବିଦେଶରୁ ଫେରି ବେପାର କରି ନିଜର ଗୁଜରାଣ ଚଳାଉଥିବାବେଳେ ବର୍ତ୍ତମାନ ବିଧବା ପତ୍ନୀ, ଜଣେ ଝିଅ ଓ ଜଣେ ପୁଅ ଅଛନ୍ତି। ରମେଶଙ୍କ ଦେହାନ୍ତ ପରେ ପରିବାର ଲୋକେ ବହୁ ଅସହାୟ ଅବସ୍ଥାରେ ରହିଛନ୍ତି। ତୁରନ୍ତ ସରକାରଙ୍କ ପକ୍ଷରୁ ସହାୟତା ନିମନ୍ତେ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର