ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ବୋରିଗାଁ ଗ୍ରାମରେ ଏକ ପରିବାର ଧର୍ମ ପରିବର୍ତ୍ତନ କରିବା ପରେ ତାଙ୍କ ପରିବାରର ଜଣେ ମୃତକଙ୍କୁ ଆଜି ଗ୍ରାମର ଶ୍ମଶାନରେ ସ୍ଥାନ ମିଳିଲା ନାହିଁ। ଶବ ସତ୍କାରକୁ ନେଇ ଦିନ ତମାମ ଗ୍ରାମରେ ଲାଗି ରହିଥିଲା ଉତ୍ତେଜନା। ମୃତ୍ୟୁର ୧୨ ଘଣ୍ଟା ପର୍ଯ୍ୟନ୍ତ ଶବ ଗ୍ରାମରେ ପଡ଼ି ରହିଥିଲା। ଶେଷରେ ଡାବୁଗାଁ ତହସିଲଦାର ଭବାନୀ ଶଙ୍କର ମିଶ୍ର ଓ ଡାବୁଗାଁ ଥାନା ଅଧିକାରୀ ପ୍ରମୋଦ ନାୟକଙ୍କ ହସ୍ତକ୍ଷେପ ପରେ ଗ୍ରାମର ଏକ ଅଲଗା ସ୍ଥାନରେ ଶବ ସତ୍କାର ହୋଇଥିଲା।
ସୂଚନା ଅନୁଯାୟୀ, ଡାବୁଗାଁ ଥାନା ଅନ୍ତର୍ଗତ ବୋରିଗାଁ ଗ୍ରାମର ଦଶମୁ ପନକା (୭୦) ଗତ କିଛି ମାସ ହେଲା ସ୍ୱାସ୍ଥ୍ୟ ଖରାପ ଯୋଗୁଁ ଘରେ ରହି ଚିକିତ୍ସିତ ହେଉଥିଲେ। ତେବେ ଆଜି ସକାଳ ୫ଟା ସମୟରେ ଦଶମୁ ପନକାର ମୃତ୍ୟୁ ଘଟିଥିଲା। ଦଶମୁ ପନକା ଏକ ନିଦ୍ଦିଷ୍ଟ ଧର୍ମର ହୋଇଥିବା ବେଳେ ବୋରିଗାଁର ଜଣେ ବ୍ୟକ୍ତି ଦଶମୁ ପନକାର ପୁଅ ଡମ୍ବୁରୁ ପନକାକୁ ବିଭିନ୍ନ ମିଥ୍ୟା ପ୍ରଲୋଭନ ଦେଖାଇ ଅନ୍ୟ ଧର୍ମ ପରିବର୍ତ୍ତନ କରାଇଥିଲେ। ଧର୍ମ ପରିବର୍ତ୍ତନ ପରେ ଡମ୍ବୁରୁ ପନକାର ପରିବାରକୁ ଭିନ୍ନ ଦୃଷ୍ଟିରେ ଗ୍ରାମବାସୀ ଦେଖୁଥିଲେ। ଶାରୀରିକ ଅସୁସ୍ଥତା ଯୋଗୁ ଆଜି ସକାଳ ୫ଟା ସମୟରେ ଡମ୍ବୁରୁ ପନକାର ବାପା ଦଶମୁ ପନକାର ଆଜି ୭୦ ବର୍ଷ ବୟସରେ ମୃତ୍ୟୁ ଘଟିଥିଲା।
ତେବେ ଡମ୍ବୁରୁ ହିନ୍ଦୁ ଧର୍ମ ଛାଡ଼ି ଅନ୍ୟ ଧର୍ମ ପରିବର୍ତ୍ତନ କରିଥିବା ଯୋଗୁଁ ସେହି ଧର୍ମ ଅନୁଯାୟୀ ବାପାର ଶେଷ କୃତ୍ୟ କରିବାକୁ ବାହାରିଥିଲା। ଗ୍ରାମ ନିକଟରେ ଥିବା ମଶାଣିକୁ ମରଶରୀର ନେବାକୁ ଡମ୍ବୁରୁ ଉଦ୍ୟତ ହେଉଥିବା ସମୟରେ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ। ଧର୍ମ ପରିବର୍ତ୍ତନ କରିଥିବାରୁ ତମ ବାପାକୁ ଆମେ ଗ୍ରାମବାସୀ ଶ୍ମଶାନରେ ସ୍ଥାନ ଦେବୁ ନାହିଁ ବୋଲି କହିଥିଲେ। ଏଥିରେ ଡମ୍ବୁରୁ ପନକା ନିରୁପାୟ ହୋଇ ଶବକୁ ସେମିତି ଗ୍ରାମରେ ପକାଇ ରଖିଥିଲା। ଖବର ପାଇ ଡାବୁଗାଁ ପୁଲିସ ଓ ରାଜସ୍ବ ବିଭାଗ ତରଫରୁ ଗ୍ରାମବାସୀଙ୍କୁ ଦିନ ତମାମ ବୁଝାସୁଝା କରା ଯାଇଥିଲା ସୁଦ୍ଧା ଗ୍ରାମବାସୀ ସେମାନଙ୍କ ଜିଦରେ ଅଟଳ ରହିଥିଲେ। ଶେଷରେ ଡାବୁଗାଁ ତହସିଲଦାର ଭବାନୀ ଶଙ୍କର ମିଶ୍ର ଓ ଡାବୁଗାଁ ଥାନା ଅଧିକାରୀ ପ୍ରମୋଦ ନାୟକ ଗ୍ରାମ ବାସୀଙ୍କୁ ବୁଝାସୁଝା କରିବା ପରେ ଗ୍ରାମର ଶେଷ ମୁଣ୍ଡରେ ୨୦ ସେଣ୍ଟ ଅଲଗା ଜମି ଦେବା ପରେ ଦୀର୍ଘ ୧୨ ଘଣ୍ଟା ପରେ ଅନ୍ୟ ଧର୍ମ ଅନୁଯାୟୀ ଶବ ସତ୍କାର କରାଯାଇଥିଲା। ଗ୍ରାମରେ ଦିନ ତମାମ ଶବ ସତ୍କାର ନେଇ ଉତେଜନା ଲାଗି ରହିଥିବାରୁ ଶବ ସତ୍କାର ସମାପ୍ତି ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଡାବୁଗାଁ ପୁଲିସ ସେଠାରେ ମୁତୟନ ହୋଇଥିଲେ।