ସୁନ୍ଦରଗଡ଼: ଜିଲ୍ଲା ମୁଖ୍ୟ ଡାକ୍ତରଖାନାସ୍ଥିତ ମାତୃ ଓ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ରରେ ଏକ ନବଜାତ ଶିଶୁ କନ୍ୟାର ମୃତ୍ୟୁ ହୋଇଯାଇଛି। ଏଥିପାଇଁ ଜଣେ ମହିଳା ଡାକ୍ତରଙ୍କୁ ଦାୟୀ କରିଛନ୍ତି ପରିବାରବର୍ଗ। ତାଙ୍କ ଅବହେଳା ଓ ବେପରୱା ନିଷ୍ପତ୍ତି ହିଁ ତାଙ୍କ ଛୁଆର ଜୀବନ ନେଲା ବୋଲି କହିଛନ୍ତି। ରବିବାର ଘଟିଥିବା ଏହି ଘଟଣା ବୁଧବାର ସାମ୍ନାକୁ ଆସିଛି। ତେବେ କେଉଁଥିପାଇଁ ୩ ଦିନ ଚୁପ୍ ଥିଲେ ସେ ସମ୍ପର୍କରେ କିଛି କହିନାହାନ୍ତି। ଅଭିଯୋଗ ଅନୁସାରେ, କୁତ୍ରା ବ୍ଲକ୍ ବିରିଙ୍ଗାଟୋଲି ଗାଁର ଦିନେଶ ବାଗ ତାଙ୍କ ଗର୍ଭବତୀ ପତ୍ନୀ ସସ୍ମିତା ବାଗଙ୍କୁ ପ୍ରସବ ପାଇଁ ୧୩ ତାରିଖ ରାତି ୮ଟାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ମାତୃ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସସ୍ମିତାଙ୍କ ବାପା ଦେବେନ୍ଦ୍ର ତାଜନଙ୍କ କହିବା ଅନୁସାରେ, ତା ପରଦିନ ୧୪ ତାରିଖରେ ସସ୍ମିତାଙ୍କ ଅଲଟ୍ରାସାଉଣ୍ଡ କରାଯାଇଥିଲା।
ଦାୟିତ୍ବରେ ଥିବା ଡାକ୍ତର ଶିଶୁଟି ସମ୍ପୂର୍ଣ୍ଣ ଠିକ୍ ଥିବା ସୂଚନା ଦେବା ସହ ଆବଶ୍ୟକ ହେଲେ ଅସ୍ତ୍ରୋପଚାର କରିବେ ବୋଲି କହିଥିଲେ। ୧୫ ତାରିଖରେ ଅନ୍ୟ ଜଣେ ମହିଳା ଡାକ୍ତର ସସ୍ମିତାଙ୍କୁ ଦେଖିବା ପରେ ବିନା ଅସ୍ତ୍ରୋପଚାରରେ ପ୍ରସବ ହୋଇପାରିବ ବୋଲି କହିଥିଲେ। କିନ୍ତୁ ସେହି ରାତି ହିଁ ସସ୍ମିତାଙ୍କ ପ୍ରସବଜନିତ ଅସହ୍ୟ ଯନ୍ତ୍ରଣା ହୋଇଥିଲା। ତାଙ୍କୁ ପ୍ରସବ କକ୍ଷକୁ ନେଇଥିଲେ ମଧ୍ୟ ଡାକ୍ତର ସ୍ବାଭାବିକ ପ୍ରସବକୁ ଅପେକ୍ଷା କରିଥିଲେ। ସସ୍ମିତା ରାତି ସାରା ଯନ୍ତ୍ରଣା ଭୋଗିଥିଲେ ଓ ଅସ୍ତ୍ରୋପଚାର କରିବାକୁ ଅନୁରୋଧ କରିଥିଲେ। ପରେ ରବିବାର ଭୋରରେ ଅସ୍ତ୍ରୋପଚାର କରି ପ୍ରସବ କରାଯାଇଥିଲା। ମା ଠିକ ଅଛି, ନବଜାତ କନ୍ୟାଟି ଅସୁସ୍ଥ ଥିବା ପରିବାରବର୍ଗଙ୍କୁ ସୂଚନା ଦିଆଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଶିଶୁକନ୍ୟା ମୃତ ବୋଲି ଘୋଷଣା କରିଥିଲେ ଡାକ୍ତର। ଡାକ୍ତର ଯଦି ମୂଳରୁ ଅସ୍ତ୍ରୋପଚାର କରି ପ୍ରସବ କରାଇଥାନ୍ତେ ଏଭଳି ପରିସ୍ଥିତି ଉପୁଜି ନଥାନ୍ତା ବୋଲି କହିଛନ୍ତି ସସ୍ମିତାଙ୍କ ବାପା।