ସମ୍ବଲପୁର: ମଙ୍ଗଳବାର ପୂର୍ବାହ୍ନ ୧୦ ଟାରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ଲେଖକ ଧରଣୀଧର ପ୍ରଧାନ(୭୫)ଙ୍କ ସ୍ଥାନୀୟ କୁଲୁଥକାନିସ୍ଥିତ ବାସଭବନରେ ପରଲୋକ ହୋଇଛି। ପୂର୍ବରୁ ପତ୍ନୀ ଉଷାରାଣୀଙ୍କ ପରଲୋକ ହୋଇଥିବା ବେଳେ ଅନ୍ତିମ ଶଯ୍ୟା ନିକଟରେ ପୁଅ ବୀରୁପାକ୍ଷ, କମଳାକ୍ଷ ଓ ଅରୁଣାକ୍ଷ, ବୋହୂ ସାଗରିକା, ପୁଷ୍ପାଞ୍ଜଳି ଓ ଭବାନୀଙ୍କ ସହିତ ନାତିନାତୁଣୀ ଉପସ୍ଥିତ ଥିଲେ। ତାଙ୍କ ପରଲୋକ ଖବରପାଇ ବହୁସଂଖ୍ୟାରେ ତାଙ୍କ ପୁରାତନ ଛାତ୍ର, ସହକର୍ମୀ, ଚଷା ସମାଜ, କୁଲୁଥକାନି ନାଗରିକ ଅନୁଷ୍ଠାନର କର୍ମକର୍ତ୍ତା ଏବଂ ଆତ୍ମୀୟ ସ୍ବଜନ କୁଲୁଥକାନି ବାସଭବନରେ ପହଞ୍ଚି ତାଙ୍କ ଅନ୍ତିମ ଦର୍ଶନ କରିଥିଲେ। ଅପରାହ୍ନରେ କମଲିବଜାର ରାଜଘାଟରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ଅବିଭକ୍ତ ସମ୍ବଲପୁର ଏବଂ ବର୍ତ୍ତମାନର ଦେବଗଡ଼ ଜିଲାର ବୁଢାପାଳ ଗ୍ରାମରେ ଜନ୍ମିତ ସ୍ବର୍ଗତ ପ୍ରଧାନ ନିଜ ଗାଁ ସ୍କୁଲ ଓ ପାହାଡ଼ଶ୍ରୀଗିଡା ସ୍କୁଲରେ ଶିକ୍ଷକତା ପରେ ୧୯୭୫ ମସିହାରେ ସମ୍ବଲପୁର ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲରେ ସହକାରୀ ଶିକ୍ଷକ ଭାବେ ଯୋଗ ଦେଇଥିଲେ। କେବଳ ଜିଲ୍ଲା ସ୍କୁଲରେ ଦୀର୍ଘ ୩୨ ବର୍ଷ ଚାକିରି ପରେ ୨୦୦୭ ମସିହାରେ ସେ ଅବସର ନେଇଥିଲେ। ସ୍କୁଲରେ ଯୋଗଦାନର ଅଳ୍ପଦିନରେ ନିଷ୍ଠାପର ଓ ଛାତ୍ରବତ୍ସଳ ଶିକ୍ଷକ ଭାବେ ସେ ସୁନାମ ଅର୍ଜିଥିଲେ। ସ୍କୁଲର ସାଂସ୍କୃତିକ ଜୀବନକୁ ସେ ନୂଆ ରୂପ ଦେଇଥିଲେ।
ସେ ସ୍କୁଲର ସ୍କାଉଟ ଶିକ୍ଷକ ଏବଂ ହଷ୍ଟେଲର ଉପ ଅଧୀକ୍ଷକ ମଧ୍ୟ ଥିଲେ। ସମଲେଶ୍ବରୀ ଗୀତିନାଟ୍ୟ ସହ ସେ ୪୧ ଟି ଗୀତିନାଟ୍ୟ ଏବଂ ୬ଟି ନାଟକ ତଥା ନିଜ ଗାଁ ଇତିହାସ ତଥା ବିଭିନ୍ନ ବିଷୟ ଉପରେ ୮୭ ଟି ପୁସ୍ତକ ରଚନା କରିଛନ୍ତି। ଚାକିରି କାଳରେ ଜିଲ୍ଲା ସ୍କୁଲର ବାର୍ଷିକ ଉତ୍ସବରେ ପ୍ରତି ବର୍ଷ ତାଙ୍କ ରଚନା ଓ ନିର୍ଦ୍ଦେଶନାରେ ନାଟକ ମଞ୍ଚସ୍ଥ ହେଉଥିଲା। ସ୍ବର୍ଗତ ପ୍ରଧାନଙ୍କ ଅନେକ ଗୀତିନାଟ୍ୟ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ପ୍ରସାରିତ ହୋଇଥିଲା। ମାଧ୍ୟମିକ ଶିକ୍ଷା ବୋର୍ଡ ଓଡ଼ିଆ ସିଲାବସ୍ କମିଟି ସଭ୍ୟ ତଥା ସମ୍ବଲପୁର ଶିକ୍ଷା ସର୍କଲ ସ୍କାଉଟ କମିଶନର ରହିଥିବା ସ୍ବର୍ଗତ ପ୍ରଧାନ ବହୁ ଅନୁଷ୍ଠାନ ଦ୍ବାରା ସମ୍ମାନିତ ହୋଇଥିଲେ। କୁଲୁଥକାନି ନାଗରିକ କମିଟିର ଉପଦେଷ୍ଟା ଥିବା ସ୍ବର୍ଗତ ପ୍ରଧାନ ସାଧାରଣ ଜୀବନରେ ବେଶ୍ ସକ୍ରିୟ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/18-21.jpg)