ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ

ଖୋର୍ଦ୍ଧା : ଖୋର୍ଦ୍ଧାର ପଲ୍ଲାରେ ଜଣେ ନବବଧୂ ବିଦ୍ୟୁତ୍ ସର୍ଭିସ ତାର ଯୋଗେ ଫୋନରେ ଝୁଲି ଆତ୍ମହତ୍ୟା କରିଛନ୍ତି । ତେବେ ମୃତ ମହିଳାଙ୍କ ବାପାଙ୍କ ଲିଖିତ ଅଭିଯୋଗ ଅନୁସାରେ ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଆଜି ସକାଳେ ପ୍ରାୟ ୮ଟା ବେଳେ ପଲ୍ଲା ସୁରଥ ଧାଉଡ଼ିଆସିଂହଙ୍କ ପୂତ୍ରବଧୂ ଶ୍ରଦ୍ଧାଞ୍ଜଳି ରାଉତରାୟ (୨୫)ବେକରେ ବିଦ୍ୟୁତ୍ ସର୍ଭିସ୍ ତାର ଗୋଡ଼ାଇ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିଲେ । ଏନେଇ ସୂଚନା ପାଇବା ପରେ ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ଘଟଣା ସ୍ଥଳରେ ପହଂଚିଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏନେଇ ଶ୍ରଦ୍ଧାଞ୍ଜଳିଙ୍କ ବାପା ପ୍ରତାପ ରାଉତରାୟଙ୍କ ଅଭିଯୋଗକ୍ରମେ ପୁଲିସ ୮୪/୨୦୨୧ରେ ଦଫା ୫୦୬, ୪୯୮, ୩୦୪, ୩୦୨-ଖ ଓ ୩୪ ଆଇପିସିରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ବୋଲି ଥାନା ଅଧିକାରୀ ଉମାଶଙ୍କର ସିଂହ କହିଛନ୍ତି ।

ଶ୍ରଦ୍ଧାଞ୍ଜଳିଙ୍କ ବାପା ଜୟମଙ୍ଗଳ ନିବାସୀ ପ୍ରତାପ ରାଉତରାୟଙ୍କ ଅଭିଯୋଗ ଅନୁସାରେ, ଶ୍ରଦ୍ଧାଞ୍ଜଳି ୨୦୨୦ ଫେବ୍ରୁଆରୀ ୪ ତାରିଖରେ ପଲ୍ଲାର ସୁରଥ ଧାଉଡ଼ିଆସିଂହଙ୍କ ପୁଅ ସୁଜିତ ଜଗଦେ୍ଦବଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ସମୟରେ ୫ଲକ୍ଷ ଟଙ୍କା ନଗଦ ଓ ୧୦ ଭରି ସୁନା ସହ ଅନ୍ୟ ଜିନିଷପତ୍ର ଯୌତୁକ ଦିଆଯାଇଥଇଲା । କିନ୍ତୁ ବିବାହର କିଛି ଦିନ ପରେ ଶ୍ରଦ୍ଧାଂଜଳିଙ୍କ ଶ୍ୱଶୁର, ଜ୍ୱାଇଁ ଓ ୨ ନଣନ୍ଦ ଏବଂ ତାଙ୍କ ସ୍ୱାମୀଙ୍କ ସହ ଅନ୍ୟ କିଛି ସମ୍ପର୍କୀୟ ମିଶି ଅଧିକ ଯୌତୁକ ଟଙ୍କା ଆଣିବାକୁ ଚାପ ପକାଇବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ । ଗତକାଲି ରାତି ୧୦ଟାରେ ଶ୍ରଦ୍ଧାଂଜଳି ତାଙ୍କୁ ଫୋନ୍ କରି ଶ୍ୱଶୁର ଘରେ ମାରପିଟ କରିଥିବା କଥା କହିଥିଲେ । ଏହାଶୁଣି ସକାଳେ ଆସିବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଆଜି ସକାଳ ୮ଟା ବେଳେ ଶ୍ରଦ୍ଧାଂଜଳିଙ୍କ ଶ୍ୱଶୁର ତାଙ୍କୁ ଫୋନ୍ କରି ଝିଅ ଆତ୍ମହତ୍ୟା କରିଥିବା ଓ ତାଙ୍କୁ ଭୁବନେଶ୍ୱର ନେବାକୁ ପ୍ରସ୍ତୁତ ହେଉଥିବା ବେଳେ ମୃତ୍ୟୁ ଘଟିଲା ବୋଲି କହିଥିଲେ । ତାଙ୍କ ଝିଅ ଜଣେ ଉଚ୍ଚ ଶିକ୍ଷିତ ଓ ସଂସ୍କାରରେ ବଢ଼ିଛି । ଏଣୁ ଆତ୍ମହତ୍ୟା ଭଳି ଜଘନ୍ୟ କାମ କରିନପାରେ । ତାଙ୍କ ଶ୍ୱଶୁର ଘରର ସଦସ୍ୟମାନେ ଯୋଜନାବଦ୍ଧ ଭାବେ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଛନ୍ତି ବୋଲି ଶ୍ରଦ୍ଧାଂଜଳିଙ୍କ ବାପା ପ୍ରତାପ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର