ପାରଳାଖେମୁଣ୍ତି: ଆଜି ଥିଲା ଏକମାତ୍ର ପୁଅ ସୂର୍ଯ୍ୟ କୁମାରଙ୍କ ଜନ୍ମ ଦିନ। ୧୫ ବର୍ଷରେ ସେ ପାଦ ଥାପିଥାନ୍ତେ। ହେଲେ ଯେଉଁ ତିଥିରେ ସେ ମା’ଙ୍କ କୋଳମଣ୍ଡନ କରିଥିଲେ ସେହି ତିଥିରେ ବନ୍ଦାପନା ବଦଳରେ ଘରୁ ଉଠିଲା ତାଙ୍କ କୋକେଇ। ଲୁହରେ ଭିଜିଲା ପାରଳାଖେମୁଣ୍ଡି ସହରର ଗୌରଚନ୍ଦ୍ର ସାହି। ବାପା ଭୀଷ୍ମ କୁମାର ନିର୍ବାକ୍ ପାଲଟି ଯାଇଛନ୍ତି। ଏକମାତ୍ର ପୁଅକୁ ହରାଇ ମା’ କାନ୍ଦି କାନ୍ଦି ଲୋଟି ପଡ଼ୁଛନ୍ତି। ଶୋକାକୁଳ ପରିବେଶ ମଧ୍ୟରେ ମହେନ୍ଦ୍ରତନୟା ନଦୀ ତଟରେ ଶବ ସଂସ୍କାର କରା ଯାଇଥିଲା।
ତେବେ ସୂର୍ଯ୍ୟ କୁମାର ଟ୍ରେନ୍ ଉପରେ ଚଢ଼ି ସେଲ୍ଫି ନେଉ ନଥିଲେ। ତଳେ ଅନ୍ୟ ସାଙ୍ଗ ଫଟୋ ଉଠାଉଥିଲେ, ସୂର୍ଯ୍ୟ କୁମାର ଟ୍ରେନ୍ ବଗି ଉପରେ ଥାଇ ପୋଜ୍ ଦେଉଥିଲେ। ଏତିକି ବେଳେ ଛାତିଥରା ଘଟଣା ଘଟିଥିବା ଜଣାପଡ଼ିଛି। ରେଳବାଇ ପୁଲିସ ଇନ୍ସପେକ୍ଟର୍ ଜ୍ୟୋତି ପ୍ରକାଶ ନାୟକ କହିଛନ୍ତି, ଘଟଣାର ପ୍ରାଥମିକ ତଦନ୍ତ ଅନୁସାରେ, ସୂର୍ଯ୍ୟକୁମାର ଓ ତାଙ୍କ ବନ୍ଧୁମାନେ ଗତକାଲି ସନ୍ଧ୍ୟାରେ ଷ୍ଟେସନ୍ ପାଖରେ ଭ୍ରମଣ କରିବାକୁ ଆସିଥିଲେ। ଷ୍ଟେସନ୍ଠୁ କିଛି ଦୂରରେ ଥିବା ଟ୍ରାକ୍ ଉପରେ ସେମାନେ ରେଳ ବଗି ଦେଖିବା ପରେ ସ୍ମାର୍ଟ ଫୋନ୍ରେ ପରସ୍ପରର ଫଟୋ ଉଠାଇବା ଆରମ୍ଭ କରିଥିଲେ। ଏହା ଭିତରେ ସୂର୍ଯ୍ୟ କୁମାର ଫଟୋ ପାଇଁ ପୋଜ୍ ଦେବାକୁ ବଗି ଉପରକୁ ଚଢ଼ି ଯାଇଥିଲେ। ତଳୁ ଫଟୋ ଉଠାଇବାକୁ ବନ୍ଧୁମାନଙ୍କୁ କହିଥିଲେ। ହେଲେ ଏହା ତାଙ୍କ ପାଇଁ କାଳ ଯେ ସାଜିବ, ସେ ଚିନ୍ତା ହିଁ କରି ନଥିଲେ। ମୁଣ୍ଡ ଉପରେ ବିପଦ ଥିଲା। ୨୫ହଜାର ଭୋଲଟ୍ କ୍ଷମତାସଂପନ୍ନ ତାର ଝୁଲୁଥିଲା। ବଗି ଉପରେ ଚଢ଼ିବା କ୍ଷଣି ଆଖି ପିଛୁଳାକେ ଏହାର ବିଦ୍ୟୁତ ଶକ୍ତି ସଂସ୍ପର୍ଶରେ ଆସିଯାଇ ସୂର୍ଯ୍ୟ କୁମାର ଜଳି ଯାଇଥିଲେ। ମୁଣ୍ଡ ସଂପୂର୍ଣ୍ଣ ଭାବେ ଜଳି ଯାଇଥିଲା। ତଳେ ଥିବା ଅନ୍ୟ ସାଙ୍ଗମାନେ ଆତଙ୍କିତ ହୋଇ ଚିତ୍କାର କରିଥିଲେ ବି ସୂର୍ଯ୍ୟ କୁମାରଙ୍କୁ ବଞ୍ଚାଇବା ପାଇଁ ଆଉ କିଛି ଉପାୟ ନଥିଲା। ପୁଲିସ ଓ ଦମକଳ ବାହିନୀ ପହଞ୍ଚି ଜଳନ୍ତା ବଗି ଉପର ଭାଗରେ ନିଆଁକୁ ଆୟତ୍ତ କରିଥିଲେ।
ଆଜି ସକାଳେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଇ ଉପରୁ ସୂର୍ଯ୍ୟ କୁମାରଙ୍କ ଦଗ୍ଧ ଶବ ଉଦ୍ଧାର ହୋଇଥିଲା। ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରା ଯାଇଥିଲା। କିନ୍ତୁ ଆଜି ଜନ୍ମ ଦିନରେ ପୁଅର କୋକେଇ ଉଠିବା ଦୃଶ୍ୟ ଦେଖି ପୂରା ପରିବାର ଓ ଅଞ୍ଚଳବାସୀ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଆଉ ଗୌରଚନ୍ଦ୍ର ସାହି ସ୍ତବ୍ଧ ପାଲଟି ଯାଇଥିଲା।
ଅନ୍ୟପକ୍ଷରେ ସୂର୍ଯ୍ୟ କୁମାରଙ୍କ ଅନ୍ୟ ସାଙ୍ଗ ମାନଙ୍କୁ ଜିଆରପି ହେପାଜତକୁ ନେଇ ପଚରାଉଚରା କରିବା ସହ ଘଟଣା ସଂପର୍କରେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ରିପୋର୍ଟ ପଠାଯାଇଛି। ପ୍ରକାଶ ଥାଉକି, ଗତ ମାର୍ଚ୍ଚ ମାସରୁ କୋଭିଡ୍ କଟକଣା ଯୋଗୁଁ ନୌପଡ଼ା-ଗୁଣୁପୁର ଲାଇନ୍ରେ ସମସ୍ତ ଟ୍ରେନ୍ ଚଳାଚଳ ବନ୍ଦ ରହିଛି। ଫଳରେ ଏକ୍ସପ୍ରେସ୍ ଓ ପାସେଞ୍ଜ ସମେତ ୭ରୁ ଅଧିକ ଟ୍ରେନ ବଗି ଏଠାରେ ଅଟକି ରହିଛି।
ପୂର୍ବବର୍ତ୍ତୀ ଖବର
ଅନ୍ଧାରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମୋବାଇଲ୍ ଲାଇଟ୍ରେ ଚିକିତ୍ସା
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର