ଶିଖର ପଞ୍ଚାୟତରେ ୭ ବର୍ଷ ହେଲା ଭତ୍ତା ହଡ଼ପ! ବ୍ୟାଙ୍କ୍‌ ପାସ୍‌ବୁକ୍‌ ଲିଙ୍କ୍‌ ଯାଞ୍ଚରେ ଶତାଧିକ ମୃତ ବ୍ୟକ୍ତି

ଗାରୋଇ: ନାଉଗାଁ ବ୍ଲକର ଶିଖର ପଞ୍ଚାୟତରେ ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀଙ୍କ ନାମକୁ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଲିଙ୍କ୍‌ କରିବା ପ୍ରକ୍ରିୟା ବେଳେ ଶତାଧିକ ମୃତ ବ୍ୟକ୍ତିଙ୍କ ନାମ ତାଲିକାରେ ଥିବା ଅଭିଯୋଗ ସାମ୍ନାକୁ ଆସିଛି। ତେଣୁ ପୂର୍ବରୁ ଏହି ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ବଣ୍ଟନ କରାଯାଉଥିଲା ଅବା ସେହି ଅର୍ଥ ହଡ଼ପ କରାଯାଉଥିଲା ସେନେଇ ନାନା ସନ୍ଦେହ ପ୍ରକାଶ ପାଇଛି। ଅବଶ୍ୟ ଶିଖର ପଞ୍ଚାୟତର ପିଇଓ ଚିତ୍ତରଞ୍ଜନ ପରଡ଼ା କହିଛନ୍ତି ନାଉଗାଁ ବ୍ଲକର ୧୬ଟି ପଞ୍ଚାୟତରେ ଏପରି ତ୍ରୁଟିପୂର୍ଣ୍ଣ ନାମ ତାଲିକା ଆସିଛି। ଏହାକୁ ଯାଞ୍ଚ କରାଯାଇ ବିଭାଗୀୟ ପଦସ୍ଥ ଅଧିକାରୀଙ୍କ ନିକଟକୁ ପଠାଯିବ। ୬୦ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ମାସିକ ୫ ଶହ ଟଙ୍କା ଓ ୭୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ୭୦୦ ଟଙ୍କା ଭତ୍ତା ଦିଆଯାଉଛି। ସେହି ମୃତ ବ୍ୟକ୍ତିଙ୍କ ନାମରେ ଗଲା କିଛି ବର୍ଷ ହେଲା ଟଙ୍କା ଉଠାଯାଇଛି କି ନା ତାହା ତଦନ୍ତସାପେକ୍ଷ। ଯଦି ପଞ୍ଚାୟତସ୍ତରକୁ ଯାଞ୍ଚ ପାଇଁ ଆସିଥିବା ତାଲିକା ଅନୁସାରେ ଭତ୍ତା ଉଠାଯାଉଥିବ ତେବେ ଏହି ବ୍ଲକ୍‌ରେ ଏକ ବଡ଼ ଧରଣର ଭତ୍ତା ଦୁର୍ନୀତି ସାମ୍ନାକୁ ଆସିବ ବୋଲି କୁହାଯାଉଛି। ଏଣେ ଏହି ପଞ୍ଚାୟତରେ ୬୦ରୁ ୮୦ ବର୍ଷ ବୟସ ଭିତରେ ଶତାଧିକ ଲୋକ ଭତ୍ତା ଅପେକ୍ଷାରେ ବାରମ୍ବାର ବ୍ଲକ୍‌, ପଞ୍ଚାୟତକୁ ଦୌଡ଼ି ନିରାଶ ହୋଇଥିବା ଅଭିଯୋଗ ହୋଇଛି। ବରିଷ୍ଠ ନାଗରିକମାନଙ୍କୁ ସଠିକ୍ ସମୟରେ ଭତ୍ତା ବଣ୍ଟନ ଓ ଏହାକୁ ଦୁର୍ନୀତିମୁକ୍ତ କରାଯିବା ଉଦ୍ଦେଶ୍ୟ ନେଇ ଚଳିତ ମାସରେ ଗାଁର ପ୍ରତି ଅଙ୍ଗନବାଡ଼ି କର୍ମୀଙ୍କୁ ଏହି ହିତାଧିକାରୀ ଚିହ୍ନଟ ଦାୟିତ୍ବ ଦିଆଯାଇଛି। ଘର ଘର ବୁଲି ହିତାଧିକାରୀ ଚିହ୍ନଟ କାମ ଆରମ୍ଭ ବେଳେ ଏହି ମୃତ ବ୍ୟକ୍ତିଙ୍କ ନାମ ସାମ୍ନାକୁ ଆସିଛି।

ଏହି ପେନସନ୍‌ଧାରୀ ଯୋଜନାର ଶିଖର ଗ୍ରାମକୁ ଆସିଥିବା ହିତାଧିକାରୀଙ୍କ ସରକାରୀ ଚିଠାରେ ଦିଜବର ପରିଡା, ଅଙ୍କୁର ବାରିକ, ଝାଟୁ କାଣ୍ଡି, ମାଳତି ପରିଡାଙ୍କ ନାମ ଥିବା ବେଳେ ୨୦୧୫ରୁ ସେମାନଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକଙ୍କ ଠାରୁ ଜଣାପଡ଼ିଛି। ଝାଟୁ କାଣ୍ଡିଙ୍କ ପୁଅ କହିଛନ୍ତି ତାଙ୍କ ପରିବାରକୁ ମିଳିଥିବା ଭତ୍ତା କାର୍ଡ ପଞ୍ଚାୟତ ଅଫିସ୍‌ରେ ଫେରସ୍ତ ଦେବା ପରେ ଗାଁର ଅଙ୍ଗନଓ୍ୱାଡି ଦିଦି ଓ ଆଶା ଦିଦିଙ୍କୁ ଜଣାଇଥିଲେ। କିନ୍ତୁ ୭ବର୍ଷ ବିତିବାକୁ ବସିଥିବା ବେଳେ କିଏ ତାଙ୍କ ବାପାଙ୍କ ଭତ୍ତା ନେଉଛନ୍ତି ତାହା ତଦନ୍ତ କଲେ ଜଣାପଡ଼ିବ। ଏବେ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଲିଙ୍କ୍‌ ପାଇଁ ତାଙ୍କ ନାମ ଆସିଥିବାରୁ ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସାରେଇକୂଳ ଗାଁର ସର୍ବେଶ୍ୱର ସ୍ବାଇଁ, ଦିବାକର ସ୍ବାଇଁ, ଧର୍ମାନନ୍ଦ ସ୍ବାଇଁ, ସିନ୍ଧୁ ସାହୁ, ସୁଦର୍ଶନ ସ୍ବାଇଁ ପ୍ରମୁଖ ୫ ବର୍ଷ ହେଲା ଇହଧାମ ତ୍ୟାଗ କରିଥିବା ବେଳେ ସେମାନଙ୍କ ନାମ ତାଲିକାରେ ରହିଛି। ବିଲିପଡା ଗାଁର ଦୁବ ଗୋଚ୍ଛାୟତ, ଭଗବାନ ଭୋଇ, ନକୁଳ ବେହେରା, ଦୋଳି ବେୱା, ସହଦେବ ଜେନାଙ୍କ ସହ ନାମ ଥିବା ବେଳେ ସେମାନେ ମଧ୍ୟ ମୃତ ବୋଲି ଜଣାପଡ଼ିଛି। ଏପରି ମୃତ ବ୍ୟକ୍ତିଙ୍କ ତାଲିକା ଲମ୍ବିବାରେ ଲାଗି ଥିବାରୁ ଭତ୍ତା ବଣ୍ଟନର ସ୍ବଚ୍ଛତା ନେଇ ପ୍ରଶ୍ନ ଉଠିଛି। ଏଠାରୁ ଉଲ୍ଲେଖ ଯୋଗ୍ୟ ଗୋପବନ୍ଧୁ ଗ୍ରାମୀଣ ଯୋଜନା, ଜାତୀୟ ଖାଦ୍ୟ ନିରାପତ୍ତା, ସାମାଜିକ ଅନଗ୍ରସର, ଭିନ୍ନକ୍ଷମ, ବିଧବା ବ୍ୟକ୍ତି ବିଶେଷଙ୍କୁ ସରକାର ମଧୁବାବୁ ପେନସନ୍ ଯୋଜନା ଭଳି ଅନେକ ମାସିକ ପେନସନ୍ ଯୋଜନାରେ ପ୍ରାୟ ୯ଶହ ହିତାଧିକାରୀଙ୍କୁ ଏହି ପଞ୍ଚାୟତରେ ଅନ୍ତର୍ଭୁକ୍ତ କରାଯାଇଛି। ଯାହା ତଦନ୍ତସା‌ପେକ୍ଷ ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର