ବାହାରିନ୍‌ରରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ଦେବାଶିଷ ସାହୁଙ୍କ ପରିବାରକୁ ମିଳିଲା ୨୧ଲକ୍ଷ ଟଙ୍କା

ଚାନ୍ଦବାଲି: ସୁଦୂର ବିଦେଶ ବାହାରିନରେ ରୋଜଗାର କରିବାକୁ ଯାଇଥିବା ରୋଜଗାରିଆ ପୁଅ ଦେବାଶିଷ ସାହୁଙ୍କର ଗତ ନଭେମ୍ବରରେ ମୃତ୍ୟୁ ହେବା ପରେ ବାହାରିନ୍‌ ଓଡ଼ିଆ ସମାଜର ପ୍ରତିଷ୍ଠାତା ଡାକ୍ତର ଅରୁଣ କୁମାର ପ୍ରହରାଜଙ୍କ ଉଦ୍ୟମରେ ଦେବାଶିଷଙ୍କ ବାପା ବସନ୍ତ ସାହୁଙ୍କୁ କମ୍ପାନୀ ପକ୍ଷରୁ କ୍ଷତିପୂରଣ ବାବଦରେ ୨୧ ଲକ୍ଷ ଟଙ୍କା ମିଳିଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ ପରିଷଦ କିସ୍ମତ ଗାଁର ବସନ୍ତ ସାହୁ ମାତା ସ୍ଵର୍ଗତ ଜୟନ୍ତୀ ସାହୁଙ୍କ ସାନ ପୁଅ ଦେବାଶିଷ ସାହୁ (୨୬) ଗତ ୨୦୧୬ ମସିହାରେ କାମ କରିବା ପାଇଁ ବାହାରିନ୍ ଚାଲିଯାଇଥିଲେ। ତାଙ୍କ ମା କର୍କଟ ରୋଗରେ ପ୍ରାଣ ହରାଇଥିବାବେଳେ ଘରେ ତାଙ୍କ ବାପା ରହୁଥିଲେ।

ଆର୍ଥିକ ଅବସ୍ଥା ସ୍ଵଛଳ ନ ଥିବାରୁ ବାହାରିନରେ କାର୍ଯ୍ୟ କରୁଥିଲେ । ତେବେ ଚଳିତ ମାସ ଗତ ୧୬ ତାରିଖରେ ଏକ ମ୍ୟାନହୋଲରେ ମରାମତି କାମ କରିବା ସମୟରେ ଦେବାଶିଷ ମିଥେନ୍ ଗ୍ୟାସ୍ ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିଲେ। ଖବର ଜାଣିବା ପରେ ବାହାରିନ୍‌ ଓଡ଼ିଆ ସମାଜର ପ୍ରତିଷ୍ଠାତା ଡକ୍ଟର ଅରୁଣ କୁମାର ପ୍ରହରାଜ ଏବଂ ମୁଖ୍ୟ ସୁବାଷ ସାହୁ ନାମ ନାମକ ଦୁଇ ଜଣ ଭାରତୀୟ ଦୂତାବାସ ସହିତ ସମ୍ପର୍କ କରିଥିଲେ। ଏଥିସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଏବଂ ଓଡ଼ିଶା ମୋ ପରିବାରର ସଂଯୋଜକ ଅରୂପ ପଟ୍ଟନାୟକ ଦେବାଶିଷଙ୍କ ପରିବାରକୁ ତ୍ଵରିତ ନ୍ୟାୟ ପ୍ରଦାନ ଲାଗି ଦାବି କରିଥିଲେ। ବିଭିନ୍ନ ଅଧିକାରୀ ଓ ଦେବାଶିଷ କାମ କରୁଥିବା କମ୍ପାନୀ ସହିତ ଦୀର୍ଘ ଦିନ ଧରି ଆଲୋଚନା ପରେ ଏୟାର ଇଣ୍ଡିଆର ଏକ ବିମାନ ଦେବାଶିଷଙ୍କ ମୃତଦେହ ନେଇ ଓଡ଼ିଶାରେ ପହଞ୍ଚିଥିଲା ।

ବାହାରିନ୍‌ର ଜେନେରାଲ ଅର୍ଗାନାଇଜେସନ ଅଫ୍ ସୋସିଆଲ ଇନ୍‌ସୁରାନ୍ସରେ ବୀମାରାଶି ଦେବା ପାଇଁ ପଦକ୍ଷେପ ନିଆଯାଇଥିଲା । ଏହି ବୀମାରାଶିକୁ ଯଥାଶୀଘ୍ର ଦେବାଶିଷଙ୍କ ପରିବାରକୁ ପ୍ରଦାନ କରିବା ଲାଗି ଡକ୍ଟର ପ୍ରହରାଜ କମ୍ପାନୀ ସହ ନିୟମିତ ଯୋଗାଯୋଗରେ ଥିଲେ । ଆଜି ତାହା ପୂରଣ ହୋଇଛି । ଦେବାଶିଷଙ୍କ ପରିବାରକୁ ବୀମା ରାଶି ସହାୟତା ପ୍ରଦାନ କରିବା ଦିଗରେ ସହଯୋଗ କରିଥିବାରୁ ଡକ୍ଟର ପ୍ରହରାଜଙ୍କୁ ଦେବାଶିଷଙ୍କ ବାପା ବସନ୍ତ ସାହୁ ଓ ପରିବାର ବର୍ଗ ଧନ୍ୟବାଦ ଜଣାଇଛନ୍ତି |

ସମ୍ବନ୍ଧିତ ଖବର