ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଭଗବାନ ଓ ଭକ୍ତ ମଧ୍ୟରେ ବାଧକ ସାଜିଥିଲା କରୋନା

ବାରିପଦା: ଓଡ଼ିଶାର ସଂସ୍କୃତି କହିଲେ ଶ୍ରୀଜଗନ୍ନାଥ ସଂସ୍କୃତିକୁ ବୁଝାଇଥାଏ। ସଂସ୍କୃତିର ମୂଳାଧାର ମଧ୍ୟ ସ୍ୱୟଂ ମାହାପ୍ରଭୂ ଶ୍ରୀଜଗନ୍ନାଥ। ସେ ହେଉଛନ୍ତି ମାନବବାଦର ପ୍ରତୀକ। ପୃଥିବୀର ସବୁ ଧର୍ମ, ପ୍ରତ୍ୟେକ ବର୍ଣ୍ଣ, ବିଭିନ୍ନ ଆଦର୍ଶ ତଥା ବହୁ ଦର୍ଶନ ଶ୍ରୀଜଗନ୍ନାଥଙ୍କ ଠାରେ ହିଁ କେନ୍ଦ୍ରୀଭୂତ। ଶୈବ, ଶାକ୍ତ, ଗାଣପତ୍ୟ, ସୌର, ବୈଷ୍ଣବ, ଜୈନ, ବୁଦ୍ଧ, ନାନକ, ଆର୍ଯ୍ୟ ଓ ଅନାର୍ଯ୍ୟ ସମସ୍ତଙ୍କର ଆରାଧ୍ୟ ଦେବତା। ଏହି ଜଗତର ନାଥ ଶ୍ରୀଜଗନ୍ନାତଙ୍କ ଘୋଷ ଯାତ୍ରା ଉତ୍କଳୀୟଙ୍କ ପ୍ରାଣତନ୍ତ୍ରୀରେ ଏକ ଲଳୀତ ମୂର୍ଚ୍ଛନା। ଚତୁର୍ଦ୍ଧାମୂର୍ତ୍ତି ନିଜର ରତ୍ନସିଂହାସନରୁ ଉହ୍ଲାଇ ସିଂଦ୍ୱାର ଦେଇ ଜଗତଜନଙ୍କ ସହିତ ଏକାକାର ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବ ଦିବସ ବିଜେ ହିଁ ଘୋଷଯାତ୍ରା। କିନ୍ତୁ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଯାତ୍ରାମାନଙ୍କ ମଧ୍ୟରେ ଆଦ୍ୟଯାତ୍ରା ହେଉଛି ସ୍ନାନଯାତ୍ରା।

ଚଳିତ ବର୍ଷ ଜୁନ ୨୪ରେ ମହାପ୍ରଭୂ ଶ୍ରୀଜଗନ୍ନାଥ ଭ୍ରାତା ବଳଭଦ୍ର, ଭଉଣୀ ସୁଭଦ୍ରା ଓ ସୁଦର୍ଶନଙ୍କ ସହିତ ରତ୍ନସିଂହାସନରୁ ସୁନ୍ଦର ଟାହିଆରେ ସୁସଜ୍ଜିତ ହୋଇ ଧୀରେ ଧୀରେ ଅପୂର୍ବ ଛନ୍ଦରେ ଗୋଟି ପହଣ୍ଡିରେ ପାହୁଣ୍ଡ ପକାଇ ଖୋଳ, କରତାଳ, ଘଣ୍ଟ, ଘଣ୍ଟା ଧ୍ୱନୀ ସହ ହୁଳହୁଳି ଓ କାହାଳୀ ବଜାଇ ଢ଼ଳି ଢ଼ଳି ସ୍ନାନ ମଣ୍ଡପକୁ ଉହ୍ଲାଇ ଆସିଥିଲେ। ପ୍ରତ୍ୟୁଷରୁ ମଙ୍ଗଳ ଆଳତି, ମଇଲମ ଏବଂ ତଡ଼ପ ଲାଗି ଆଦି ନୀତିକାନ୍ତି ସମ୍ପନ୍ନ ହେବା ସାଙ୍ଗକୁ ସ୍ନାନଯାତ୍ରା ସମ୍ବନ୍ଧିତ ଅନ୍ୟାନ୍ୟ ନୀତି ସମ୍ପାଦନ ହେବା ପରେ ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଜଳବିଜେ, ପୂଜା ଓ ସ୍ନାନ ନୀତି ସମ୍ପନ୍ନ ହୋଇଥିଲା। ମହାପ୍ରଭୂ ଶ୍ରୀବଳଭଦ୍ରଙ୍କୁ ୩୩ ଗରା, ଦେବୀ ସୁଭଦ୍ରାଙ୍କୁ ୨୨ ଗରା, ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କୁ ୩୫ ଗରା ଏବଂ ମହାପ୍ରଭୂ ସୁଦର୍ଶନଙ୍କୁ ଗରା ଏହିପରି ମୋଟ ୧୦୮ ଗରା କର୍ପୁର, ତୁଳସୀ ଓ କସ୍ତୁରୀ ଆଦି ସୁବାସିତ ଜଳରେ ଐଶ୍ୱର୍ଯ୍ୟମୟ ବେଶରେ ଚତୁର୍ଦ୍ଧାମୂର୍ତ୍ତି କରିଥିଲେ ଭବ୍ୟସ୍ନାନ।

ଏଥି ସହିତ ମଣ୍ଡପରେ ଅନ୍ୟାନ୍ୟ ନୀତିକାନ୍ତି ଜାରି ରହିଥିଲା। ସେହିପରି ବାରିପଦା ସହରର ଅନ୍ୟତମ ସାନ ଜଗନ୍ନାଥ ମନ୍ଦିରରେ ମହାପ୍ରଭୂଙ୍କର ସ୍ନାନଯାତ୍ରା ନିର୍ଦ୍ଧାରିତ ସମୟ ନିର୍ଘଣ୍ଟ ଅନୁସାରେ ନୀତିକାନ୍ତି ସମ୍ପନ୍ନ ହୋଇଥିଲା। ସ୍ନାନ ମଣ୍ଡପରେ ମହାପ୍ରଭୂଙ୍କ ଏହି ଦିବ୍ୟସ୍ନାନ ଦର୍ଶନ କରିବା ନିମନ୍ତେ ଭକ୍ତମାନଙ୍କ ମଧ୍ୟରେ ରହିଥିବା ଆବେଗକୁ ଛଡ଼ାଇ ନେଇଛି ବିଶ୍ୱମହାମାରୀ କରୋନା। ବିଶ୍ୱ ବିଖ୍ୟାତ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଭଗବାନ ଓ ଭକ୍ତ ମଧ୍ୟରେ ବାଧକ ସାଜିଥିଲା କରୋନା କଟକଣା। କୋଭିଡ଼-୧୯ ମାର୍ଗଦର୍ଶୀକା ଅନୁସାରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ୧୪୪ ଧାରା ସ୍ନାନ ମଣ୍ଡପ ଉପରେ ମହାପ୍ରଭୂଙ୍କ ଦର୍ଶନରେ ପ୍ରତିବନ୍ଧକ ସାଜିଛି।

ଗୁରୁବାର ସକାଳ ୫ରୁ ମହାପ୍ରଭୂଙ୍କ ଅଣଗୃହ ପ୍ରବେଶ ପର୍ଯ୍ୟନ୍ତ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀଶ୍ରୀ ହରିବଳଦେବ ମହାପ୍ରଭୂ ବିଜେଙ୍କ ମନ୍ଦିର ଏବଂ ମନ୍ଦିରରୁ ୫ ଶହ ଫୁଟ ବ୍ୟାସାର୍ଦ୍ଧ ମଧ୍ୟରେ ଜାରି କରାଯାଇଛି ୧୪୪ ଧାରା। ସକାଳ ୫ଟା ସମୟରୁ ରାତି ପର୍ଯ୍ୟନ୍ତ ବାରିପଦା ସହରର କୃଷ୍ଣଚନ୍ଦ୍ର ଗୋଲେଇ, ବଡ଼ଦାଣ୍ଡର ବାରିପଦା ଟାଉନ ଥାନା, ଦୁର୍ଗା ହୋଟେଲ ଓ ଦୁର୍ଗା ନସିଂ ହୋମଠାରୁ ମନ୍ଦିର ରାସ୍ତାରେ ସମସ୍ତ ଗାଡ଼ି ମୋଟର ସହ ଜନସାଧାରଣଙ୍କ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ସେହିପରି ବାରିପଦା ସହରର ସାନ ଜଗନ୍ନାଥ ମନ୍ଦିର ନିମନ୍ତେ ମଧ୍ୟ ୧୪୪ ଧାରା ଲାଗୁ କରାଯାଇଛି। କାଳି ମାର୍କେଟ ଛକ, ଜୁବଲୀ ଲାଇବ୍ରେରୀ ଛକ ଓ ଲାଲବଜାର ସଂସ୍କୃତ ଟୋଲ ଛକଠାରୁ ମନ୍ଦିର ରାସ୍ତାରେ ସମସ୍ତ ଗାଡ଼ି ମୋଟର ସହ ଜନସାଧାରଣଙ୍କ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। କେବଳ ଜରୁରୀ କାଳୀନ ସେବାରେ ନିୟୋଜିତ ଗାଡ଼ି ଓ ବ୍ୟକ୍ତିମାନଙ୍କୁ ଏଥିରୁ ବାଦ ଦିଆଯାଇଛି।

Sambad

ସହାରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ପୁଲିସ ଅଧିକାରୀ ଓ ଫୋର୍ସ ମୁତୟନ କରାଯିବ। ତେବେ ତିନି ଠାକୁରଙ୍କ ଦିବ୍ୟସ୍ନାନ ଓ ଗଜାନନ ବେଶ ଦର୍ଶନରୁ ବଞ୍ଚିତ ହେଉଥିବାରୁ ଭକ୍ତମାନଙ୍କ ମଧ୍ୟରେ ନୈରାଶ୍ୟ ଖେଳାଇ ଦେଇଛି। ତେବେ ସ୍ନାନ ପୂର୍ଣ୍ଣିମାରେ ବିଶ୍ୱ ସଂସ୍କୃତିର ଆଦି ଦେବତା ମହାପ୍ରଭୂ ଶ୍ରୀଜଗନ୍ନାଥ ମହାଗଣପତି, ମହାପ୍ରଭୂ ବଳଭଦ୍ର ଖଦିର ଗଣପତି ଓ ଦେବୀ ସୁଭଦ୍ରା ମାତଙ୍ଗୀ ବେଶ ଧାରଣ କରି ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି।

ମହାପ୍ରଭୂ ଉକ୍ତ ବେଶରେ ପ୍ରତିବର୍ଷ ଦର୍ଶନ ଦେବା ପଛରେ ଐତିହାସିକ ସତ୍ୟ ଅପେକ୍ଷା ଅଧିକ କିମ୍ବଦନ୍ତୀ ପ୍ରସୂତ, ଯାହା ପ୍ରାଣକୁ ସ୍ପର୍ଶ କରିଯିବା ଭଳି। ପଞ୍ଚଦଶ ଶତାବ୍ଦୀରେ ମହାରାଷ୍ଟ୍ରରୁ ମହାଗଣପତ୍ୟ ସମ୍ପ୍ରଦାୟର ଶ୍ରୀଗଣପତି ଭଟ୍ଟ ଶ୍ରୀକ୍ଷେତ୍ର ଭ୍ରମଣରେ ଆସିଥିବା ବେଳେ ମହାପ୍ରଭୂ ଶ୍ରୀଜଗନ୍ନାଥ ତାଙ୍କ ଇଷ୍ଟ ଗଣପତି ହୋଇନଥିବା କାରଣରୁ ମହାପ୍ରଭୂଙ୍କୁ ପ୍ରଣିପାତ ନକରି ନିରାଶ ହୋଇ ଶ୍ରୀକ୍ଷେତ୍ର ତ୍ୟାଗ କରି ମୁକ୍ତେଶ୍ୱର ପର୍ଯ୍ୟନ୍ତ ଚାଲି ଯାଇଥିଲେ। ଭାବଗ୍ରାହୀ ମହାପ୍ରଭୂ ଶ୍ରୀଜଗନ୍ନାଥ ଭକ୍ତ ଶ୍ରୀଗଣପତି ଭଟ୍ଟଙ୍କ ହୃଦୟର ଆବେଗକୁ ବୁଝିବାରେ ବିଳମ୍ବ ନକରି ତାଙ୍କୁ ଶ୍ରୀକ୍ଷେତ୍ର ଫେରି ଆସିବାକୁ ସ୍ୱପ୍ନାଦେଶ ହେବାରୁ ସେ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଶ୍ରୀକ୍ଷେତ୍ରରେ ପହଁଞ୍ଚି ସ୍ନାନବେଦୀରେ ମହାପ୍ରଭୂ ଶ୍ରୀଜଗନ୍ନାଥ କଳାଗଣେଶ ଓ ମହାପ୍ରଭୂ ବଳଭଦ୍ର ଧଳାଗଣେଶ ବେଶକୁ ଦର୍ଶନ କରିବା ସହ ଭକ୍ତିରସରେ ଆତ୍ମବିଭୋର ହୋଇପଡ଼ିଥିଲେ।

ଶ୍ରୀଶ୍ରୀହରି ବଳଦେବ ଜୀଉ ବିଜେଙ୍କ ମନ୍ଦିରରେ ଆଜି ଭୋର ୪ରେ ମହାପଭୂଙ୍କ ନିକଟରେ ମଙ୍ଗଳ ଆଳତୀ ଲାଗି ହେବା ପରେ ୪.୧୦ରେ ସ୍ନାନ ବେଦୀକୁ ଗୋଟି ପହଣ୍ଡିରେ ବିଜେ, ୫.୩୦ରେ ସ୍ନାନ, ୮ରେ ଅବକାଶ ନୀତି ସମ୍ପନ୍ନ ହୋଇଥିଲା। ଏହି ସମୟରେ ମହାପ୍ରଭୂଙ୍କୁ ସୋଲ ଜରି ଜମ୍ବୁରା କଦଳୀ ପଟୁଆରେ ତରାସ ଚୂଳ ସାଙ୍ଗକୁ ଫୁଲମାଳ ଆଦିରେ ବେଶକୁ ସୁସଜ୍ଜିତ କରାଯିବା ପରେ ସାହାଣ ମେଲା ହୋଇଥିଲା। ସେହିପରି ରାତିରେ ମହାପ୍ରଭୂ ଗଜାନନ ବେଶ ଧାରଣ କରିବା ପରେ ରାତି ୯ରୁ ସାଢ଼େ ୧୦ ମଧ୍ୟରେ ଅଣସର ଗୃହକୁ ପ୍ରବେଶ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ମନ୍ଦିରର ସେବାୟତ କାମେଶ୍ୱର ତ୍ରିପାଠୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର