ନେମାଳ: ନିଶ୍ଚିନ୍ତକୋଇଲି ବ୍ଲକ୍ ନେମାଳସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ଆଜି ଆନନ୍ଦଉଲ୍ଲାସର ସହ ପାଳନ କରାଯାଇଛି। ଗତ ଦୁଇବର୍ଷ ଧରି କରୋନା କଟକଣା ଯୋଗୁଁ ଦେବସ୍ନାନ ଉତ୍ସବ ପାଳନ କରାଯାଇପାରି ନ ଥିଲା। ଚଳିତ ବର୍ଷ କରୋନାର ପାଦୁର୍ଭାବ ହ୍ରାସ ପାଇବାରୁ ସରକାରଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀଶ୍ରୀଗୋପୀନାଥଜିଉ, ମହାପୁରୁଷ ଅଚ୍ୟୁତାନନ୍ଦ ଆଶ୍ରମ ଟ୍ରଷ୍ଟ ଓ ଜିଲ୍ଲା ପ୍ରଶାସନ ମିଳିତ ସହଯୋଗରେ ଉତ୍ସବ ପାଳନ କରାଯାଇଛି। ଏହି ଅବସରରେ ଭକ୍ତ ଓ ଭଗବାନଙ୍କର ଅପୂର୍ବ ମିଳନକୁ ଦେଖିବାକୁ ମିଳିଛି। ଆଜି ସକାଳୁ ରୀତିନୀତି ସହ ଚୂଆ, ଚନ୍ଦନ, ଅଗୁରୁ ଓ କର୍ପୂର ମିଶ୍ରିତ ସୁବାସିତ ଜଳରେ ସ୍ନାନ ମାର୍ଜନା ପରେ ମଙ୍ଗଳ ଆଳତି ନୀତି ଓ ଭୋଗ ସମ୍ପନ୍ନ ହୋଇଥିଲା। ଶ୍ରଦ୍ଧାଳୁଙ୍କ ନିମିତ୍ତ ପହଡ଼ ଖୋଲାଯିବା ପରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲକ୍ଷଲକ୍ଷ ଭକ୍ତ ଅତି ନିକଟରୁ ପ୍ରଭୁଙ୍କ ଦର୍ଶନ କରିବା ସହ ଭୋଗଲାଗି କରିଥିଲେ। ମଧ୍ୟାହ୍ନରେ କୋଠଭୋଗ, ପୁଷ୍ପାଞ୍ଜଳି, ସନ୍ଧ୍ୟାରେ ସନ୍ଧ୍ୟା ଆଳତି ଦର୍ଶନ କରି ଭକ୍ତମାନେ ବିଭୋର ହୋଇଯାଇଥିଲେ। ହରିବୋଲ ହୁଳହୁଳୀ ଓ ଘଣ୍ଟନାଦ ସହ ନାମ ସଂକୀର୍ତ୍ତନରେ ସମଗ୍ର ପୀଠ ଉତ୍ସବମୁଖର ହୋଇଉଠିଥିଲା। ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମାହାଙ୍ଗା ବିଧାୟକ ତଥା ପ୍ରାକ୍ତନ ମନ୍ତ୍ରୀ ପ୍ରତାପ ଜେନା, ନିଶ୍ଚିନ୍ତକୋଇଲିର ଭାରପ୍ରାପ୍ତ ତହସିଲଦାର କର୍ଣ୍ଣଦେବ ସମାଦ୍ଦାର ଉତ୍ସବରେ ଯୋଗଦେଇଥିଲେ। କଟକ ଗ୍ରାମାଞ୍ଚଳ ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ବିଭିନ୍ନ ଥାନାରୁ ଥାନାଧିକାରୀମାନଙ୍କ ସମେତ ୫ ପ୍ଲାଟୁନ୍ରୁ ଅଧିକ ପୁଲିସ ଫୋର୍ସ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ। ସନ୍ଧ୍ୟାରେ ପୁଣ୍ୟତୋୟା ଚିତ୍ରୋତ୍ପଳାର ବାଲୁକା ଶଯ୍ୟାରେ ଦେବାଦେବୀଙ୍କ ଆକର୍ଷଣୀୟ ପ୍ରତିର୍ତ୍ତି ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯିବା ସହ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ରଚିତ ରାହାସ, ଭାଗବତ ପାଠ, ମାଳିକା ଚର୍ଚ୍ଚା, ପ୍ରବଚନ, ଘୋଡ଼ାନାଚ, ରାମଲୀଳା, କେତେକ ସ୍ଥାନରେ ଜଗତ ମଙ୍ଗଳ ନିମିତ୍ତ ହୋମ ଓ ଗୀତାଯଜ୍ଞ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତ ଓ ସାଧୁସନ୍ଥ ଉତ୍ସବରେ ସାମିଲ ହୋଇଥିଲେ।
ଅନ୍ୟପଟେ, ପବିତ୍ର ଦେବସ୍ନାନ ଯାତ୍ରା ଅବସରରେ ଆସୁଥିବା ଲକ୍ଷଲକ୍ଷ ଶ୍ରଦ୍ଧାଳୁ ପୁଣ୍ୟତୋୟା ଚିତ୍ରୋତ୍ପଳା ନଦୀରେ ବୁଡ଼ ପକାଇ ମହାପ୍ରଭୁ ଅଚ୍ୟୁତାନନ୍ଦଙ୍କୁ ଦର୍ଶନ କଲେ କୋଟିପୂଣ୍ୟ ଲାଭ ହୁଏ ବୋଲି ବିଶ୍ବାସ ରହିଛି। ହେଲେ, ଚିତ୍ରୋତ୍ପଳା ନଦୀରେ ପାଣି ନ ଥିବାରୁ ଭକ୍ତମାନେ ବୁଡ଼ ପକାଇବାରୁ ବଞ୍ଚିତ ହୋଇଥିଲେ। ଏଥିସହ ଚିତ୍ରୋତ୍ପଳା ନଦୀରେ ସ୍ନାନଶୌଚ ନିମନ୍ତେ ଟୋପାଏ ପାଣି ନ ଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ବହୁ ଶ୍ରଦ୍ଧାଳୁ ନଳକୂପ ଓ ଅନ୍ୟ ଜଳଉତ୍ସରୁ ପାଣି ନେଇ ସ୍ନାନଶୌଚ ପରେ ପ୍ରଭୁଙ୍କୁ ଦର୍ଶନ କରିଥିବା ଦେଖିବାକୁ ମିଳିଥିଲା। ଏଥିସହ କେନାଲରେ ପାଣି ନ ଥିଲା ବେଳେ ଅଧିକାଂଶ ନଳକୂପ ଅଚଳ ଥିବାରୁ ସାଧାରଣରେ କ୍ଷୋଭ ପ୍ରକାଶ ପାଇଥିଲା। ତେବେ ସ୍ବେଚ୍ଛାସେବୀଙ୍କ ଜଳ ବଣ୍ଟନ ଯୋଗୁଁ ବହୁ ଶ୍ରଦ୍ଧାଳୁଙ୍କ ଆଶ୍ବସ୍ତି ଲାଭ କରିଥିଲେ। ସେହିପରି ଦେବସ୍ନାନ ଯାତ୍ରାକୁ ଆସିଥିବା ଭକ୍ତମାନେ ଅସହ୍ୟ ତାତି ସାଙ୍ଗକୁ ପ୍ରବଳ ଗୁଳୁଗୁଳି ଯୋଗୁଁ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ। ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ମଧ୍ୟ ଶ୍ରଦ୍ଧାଳୁମାନେ ହଟହଟା ହୋଇଥିଲେ। ଦେବସ୍ନାନ ଉତ୍ସବ ଅବ୍ୟବହିତ ପୂର୍ବରୁ ରାସ୍ତାଘାଟ ପ୍ରତି ଦୃଷ୍ଟି ଦେବା ଲାଗି ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଗୁହାରି କରାଯାଇଥିଲେ ମଧ୍ୟ ସେଥିନେଇ ପଦକ୍ଷେପ ନିଆଯାଇ ନ ଥିବା ଅଭିଯୋଗ ହୋଇଛି। ବିପଦସଂକୁଳ ଅବସ୍ଥାରେ ପଡ଼ିରହିଥିବା ଚିତ୍ରୋତ୍ପଳା ନଦୀର ବାମପାର୍ଶ୍ବ ମଣ୍ଡନରୁ ନେମାଳ ପର୍ଯ୍ୟନ୍ତ ନଦୀବନ୍ଧରେ ତରବରିଆ ଭାବେ କାଁଭାଁ ବାଲି ଓ ଡଷ୍ଟଗୁଣ୍ଡ ବିଛା ଯାଇଥିଲା। ରାସ୍ତାରେ ଯାନବାହନ ଚଳାଚଳ ଯୋଗୁଁ ଧୂଳି ଉଡ଼ି କୃତ୍ରିମ ଧୂଆଁ ସଦୃଶ ଦେଖିବାକୁ ମିଳିଥିଲା। ଫଳରେ ଦୁଇଚକିଆ ଗାଡ଼ି ଓ ପଥଚାରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଅଭିଯୋଗ ହୋଇଛି।