ବିତର୍କରେ ଅମ୍ବିକା, କାଜଲ, ପ୍ରଶାନ୍ତ ଏବଂ ସାରେଗାମାରେ ଶୁଭ୍ରସୌରଭ, ସନ୍ତୋଷ, ଶୁଭଶ୍ରୀ ପୁରସ୍କୃତ

‘ସମ୍ବାଦ’ ଜୋନ୍‌ସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତା

ବ୍ରହ୍ମପୁର : ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ଉନ୍ମୋଚନ ସହ ଆଗାମୀ ଦିନରେ ସେମାନଙ୍କୁ ଜଣେ ଜଣେ ସୁନାଗରିକ ଭାବେ ଗଢ଼ି ତୋଳିବାର ଲକ୍ଷ୍ୟ ନେଇ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ‘ସମ୍ବାଦ’ ସ୍ବନକ୍ଷତ୍ର ଦିବସ ଉପଲ‌କ୍ଷେ ବିତର୍କ ଓ ସାରେଗାମା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କନକ ନିଉଜ ଓ ରେଡ଼ିଓ ଚକଲେଟ୍ ସହଯୋଗରେ ଉତ୍କଳ ଆଶ୍ରମ ରୋଡ଼ ସ୍ଥିତ ଅଭିନନ୍ଦନ କଲ୍ୟାଣ ମଣ୍ଡପ ଠ‌ାରେ ଆୟୋଜିତ ପ୍ରତିଯୋଗିତାର ବିତର୍କ ବିଭାଗରେ ଖଲ୍ଲିକୋଟ କନିଷ୍ଠ ମହାବିଦ୍ୟାଳୟର ଛାତ୍ର ଅମ୍ବିକା ପ୍ରସାଦ ମହାପାତ୍ର ପ୍ରଥମ, ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ କାଜଲ ପ୍ରକାଶ ଗୌଡ଼ ଦ୍ବିତୀୟ ଓ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଛାତ୍ର ପ୍ରଶାନ୍ତ କୁମାର ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିଭଳି, ସାରେଗାମା ବିଭାଗରେ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟର ଛାତ୍ର ଶୁଭ୍ରସୌରଭ ବେହେରା ପ୍ରଥମ, ଖେମୁଣ୍ଡି ମହାବିଦ୍ୟାଳୟର ଛାତ୍ର ଜି. ସନ୍ତୋଷ ଦୋରା ଦ୍ବିତୀୟ ଓ ମହାମାୟୀ ମହିଳା ମହାବିଦ୍ୟାଳୟର ଛାତ୍ରୀ ଶୁଭଶ୍ରୀ ପଟ୍ଟନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ଭାରତ ଏକ ଓ ଅଖଣ୍ଡ। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ଭାରତ ଗଠିତ। ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ନିର୍ଦ୍ଧାରିତ ସୀମା ରହିଛି। ସେଠାକାର ସରକାର ସେହି ସୀମା ମଧ୍ୟରେ ଲୋକଙ୍କ ସୁବିଧାଅସୁବିଧା କଥା ବୁଝିବା ସହିତ ଯୋଜନା ପ୍ରଣୟନ କରୁଛନ୍ତି। କିନ୍ତୁ, ଏବେ ଦେଖିବାକୁ ମିଳୁଛି ଯେ କିଛି ନିର୍ଦ୍ଦିଷ୍ଟ ରାଜ୍ୟ ପଡ଼ୋଶୀ ରାଜ୍ୟ ଉପରେ ନିଜର ଆଧିପତ୍ୟ ବିସ୍ତାର ପାଇଁ ଷଡ଼ଯନ୍ତ୍ର କରୁଛନ୍ତି। ସୀମା ଡେଇଁ ଆଗକୁ ମାଡ଼ିଯିବାକୁ ଉଦ୍ୟମ କରୁଛନ୍ତି। ଫଳସ୍ବରୂପ, ସୀମା ବିବାଦ ମୁଣ୍ଡ ଟେକି ଅଯଥା ଅଶାନ୍ତି ସୃଷ୍ଟି ହେଉଛି। ଏହା ଆମ ଭାରତୀୟ ସମ୍ବିଧାନର ବିରୁଦ୍ଧାଚରଣ କରୁଛି। ଏଣୁ ପ୍ରତ୍ୟେକ ରାଜ୍ୟ ସରକାର ନିଜ ନିଜର ସୀମା ମଧ୍ୟରେ ରହିବା ଜରୁରି ବୋଲି ବିତର୍କ ପ୍ରତିଯୋଗିତାର ଶୀର୍ଷକ ‘ଅନ୍ତଃରାଜ୍ୟ ସୀମା ବିବାଦ ସଂଘୀୟ ଢାଞ୍ଚାକୁ ଦୁର୍ବଳ କରୁଛି’ ଉପରେ ପ୍ରତିଯୋଗୀମାନେ ନିଜ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ।

ଓଡ଼ିଶା-ଆନ୍ଧ୍ର ଓ ଆସାମ-ନାଗାଲାଣ୍ଡ ସୀମା ବିବାଦ ଉପରେ ଉଦାହରଣ ଦେଇ ବିଚାରକମଣ୍ଡଳୀର ଦୃଷ୍ଟି ଆକର୍ଷଣ କରିଥିଲେ। ସେହିଭଳି, କିଛି ପ୍ରତିଯୋଗୀ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଚାଲିଥିବା ମହାନଦୀ ଜଳ ବିବାଦ ଉପରେ ମଧ୍ୟ ମତ ରଖିଥିଲେ। ବିତର୍କ ପ୍ରତିଯୋଗିତାର ବିଚାରକ ଭାବେ ବ୍ରହ୍ମପୁର ସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟର ଉପସଚିବ ଡ. କୁଳମଣି ଓଝା, ଡୁରା ସ୍ଥିତ ରାମନାରାୟଣ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ବନମାଳି ପାଣିଗ୍ରାହୀ, ନରେନ୍ଦ୍ରପୁର କ୍ଷେତ୍ରମୋହନ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଅଧ୍ୟାପକ ଡ.ହୃଷିକେଶ ପଣ୍ଡା ଯୋଗ ଦେଇଥିଲେ। ପ୍ରତିଯୋଗିତାରେ ମୋଟ ୩୨ଜଣ ପ୍ରତିଯୋଗୀ ପଞ୍ଜୀକରଣ କରିଥିଲେ। ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ବକ୍ତବ୍ୟ ରଖିବା ପାଇଁ ୪ମିନିଟ୍‌ ସମୟ ଦିଆଯାଇଥିଲା। ବିଚାରକମଣ୍ଡଳୀ ଦ୍ବାରା ବିଭିନ୍ନ ଦିଗକୁ ଅନୁଧ୍ୟାନ କରି କୃତୀ ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା। ବିଶେଷ କରି ଭାଷା, ତଥ୍ୟ ଓ ଯୁକ୍ତି ଉପସ୍ଥାପନା ଶୈଳୀକୁ ଅଧିକ ଧ୍ୟାନ ଦିଆଯାଇ ୩ଜଣ କୃତୀ ପ୍ରତିଯୋଗୀ ଅମ୍ବିକା (ପ୍ରଥମ), କାଜଲ (ଦ୍ବିତୀୟ), ପ୍ରଶାନ୍ତ (ତୃତୀୟ)ଙ୍କୁ ଚୟନ କରାଯାଇଥିଲା।

‘ଗରଜତେ ବରଷତେ ଘନ ଘୋର ବାଦଲ’ ସେମି କ୍ଲାସିକାଲ ସଂଗୀତ ପରିବେଷଣ କରି ବିଚାରକ ଓ ଶ୍ରୋତାମଣ୍ଡଳୀଙ୍କ ହୃଦୟ ଜିଣିଥିବା ଶୁଭ୍ର ସୌରଭ ବେହେରା ସାରେଗାମା ପ୍ରତିଯୋଗିତାର ପରିବେଶକୁ ରମଣୀୟ କରିଥିବା ବେଳେ ସନ୍ତୋଷ ନିଜର କଣ୍ଠସ୍ବରର ଯାଦୁକରୀରେ ସଭିଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ। ସେ ଗାଇଥିଲେ ‘ତୁଝେ ଢ଼ୁଁଢ଼େ ମେରି ନଜର’। ସେହିଭଳି, ଶୁଭଶ୍ରୀଙ୍କ କଣ୍ଠରେ ‘ମୁଁ ନାଚିବି ନାଟ ମଣ୍ଡପରେ’ ସମସ୍ତଙ୍କୁ ଅଭିଭୂତ କରି ଦେଇଥିଲା। ବିଚାରକ ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ଗାୟକ ସଂଗୀତଜ୍ଞ ରାମ-ଲକ୍ଷ୍ମଣ, ଅଶ୍ବିନୀ କୁମାର ମହାପାତ୍ର ଓ ନୀଳାଞ୍ଚଳ ବେହେରା। ଯନ୍ତ୍ରାଂଶରେ ସହଯୋଗ କରିଥିଲେ କାମା, ବୁଡ଼ୁ ଓ ‌ରିଙ୍କୁ। ଆସନ୍ତା ଅକ୍ଟୋବର ୩ ତାରିଖରେ ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।

‘ସମ୍ବାଦ’ ବ୍ରହ୍ମପୁର ସଂସ୍କରଣର ଶାଖା ପରିଚାଳକ ସୁଶୀଲ ପ୍ରଧାନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମ‌ରେ ସଂସ୍କରଣ ବାର୍ତ୍ତା ବିଭାଗ ମୁଖ୍ୟ ପ୍ରଶାନ୍ତ ପଣ୍ଡା, ମହାନଗର ମୁଖ୍ୟ ପ୍ରମୋଦ ପଟ୍ଟନାୟକ, ମାନବ ସମ୍ବଳ ବିଭାଗ ମୁଖ୍ୟ ବସନ୍ତ ପଣ୍ଡାଙ୍କ ସମେତ ‘ସମ୍ବାଦ’ର ବାର୍ତ୍ତା ବିଭାଗ, ବିଜ୍ଞାପନ ବିଭାଗ, ପ୍ରସାର ଓ ବିତ୍ତ ବିଭାଗ, କନକ ନିଉଜ, ‘ସମ୍ବାଦ’ ଡିଜିଟାଲ ତଥା ସମସ୍ତ ବିଭାଗର କର୍ମକର୍ତ୍ତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଡ.କୁଳମଣି ଓଝା, ନୀଳାଞ୍ଚଳ ବେହେରା, ଲକ୍ଷ୍ମଣ ବେହେରା, ଅଶ୍ବିନୀ ମହାପାତ୍ର ଓ ଦୁର୍ଗାମାଧବ ବେହେରା ନିଜ ସଂଗୀତର ସୂରରେ ଦର୍ଶକଙ୍କୁ ବିଭୋର କରିଥିବା ବେଳେ ସୁଦୀପ୍ତ ଷଡ଼ଙ୍ଗୀ ଓ ଜ୍ଞାନେନ୍ଦ୍ର ନାରାୟଣ ରଥ ବିତର୍କରେ ଏବଂ ମନୋଜ କୁମାର ସାମଲ ସାରେଗାମା ପ୍ରତିଯୋଗିତାରେ ଉପସ୍ଥାପନା କରିଥିଲେ।

ସମ୍ବନ୍ଧିତ ଖବର