ଦେବୀ–କନ୍ଦଳ ନଦୀରେ ବନ୍ୟା : ୨୨ଟି ସ୍ଥାନରେ ଘଳିଆ

କୌଣସି ନଦୀବନ୍ଧ ପ୍ରତି ବିପଦ ନାହିଁ; ଜଳ ସମ୍ପଦ ବିଭାଗ

ନିଆଳି: କାଠଯୋଡ଼ି ଶାଖା ନଦୀ ଦେବୀ-କନ୍ଦଳରେ ଜଳସ୍ତର ବୃଦ୍ଧି ଯୋଗୁଁ ନଦୀ ନିକଟବର୍ତ୍ତୀ ଗ୍ରାମବାସୀଙ୍କ ଆଖିରୁ ନିଦ ହଜିଛି। ଉଭୟ ନଦୀର ବନ୍ୟା ଏବେ ନିଆଳି, କଣ୍ଟାପଡ଼ା ବ୍ଲକ୍ ଦ୍ବୀପାଞ୍ଚ‌ଳ ବାସୀ ଏବଂ ଷଡାଂଶ ୨୨ ମୌଜାର ଜନସାଧାରଣଙ୍କୁ ଆତଙ୍କିତ କରିଛି। ଚଳିତ ବର୍ଷ ଦେବୀ-କନ୍ଦଳ ନଦୀର ଉଭୟ ପାର୍ଶ୍ବରେ ୨୨ଟି ଘଳିଆ ପଡ଼ିଛି। ଚଳିତ ବନ୍ୟାରେ କନ୍ଦଳ ନଦୀର ଦକ୍ଷିଣ ପାର୍ଶ୍ବ ବାବଜା, ବିଳାସୁଣୀର ବାଲିକୁଦ, କାନପୁର, ଦେବୀ ନଦୀର ଦକ୍ଷିଣ ପାର୍ଶ୍ବ ଗୁଣ୍ତର, ସୁଦୁସାଇଲୋ, ବଳଦା, ଏର‌, ସୁଆଁଲୋ, କନ୍ଦଳ ନଦୀର ବାମ ପାର୍ଶ୍ବ କାଳିଆଗଡ, ଅରିସଲୋ, ଗୋପାଳନଗର, ଖଜରା, ରାଣୀଓଳାର ଭେଟ, ପଦାତିରା, କୁଣ୍ତିମୁହଁ ସମେତ ଦେବୀ ଓ ପୁରୁଣା ଦେବୀର ଅମରପଡ଼ାର ପାତ୍ର ସାହି, ଓଝା ସାହି, ପୁରୁଣା ଦେବୀର ବାମ ପାର୍ଶ୍ବ ଭୋଳ ସାହି, ପଳସା, କାଳଖ, କନ୍ଦଳ ନଦୀର ଦକ୍ଷିଣ ପାର୍ଶ୍ବ ମଣିକୁଣ୍ତା, ଉରାଡ, ଅରିସଲୋ ଓ ବାବଜା ଠାରେ ଘଳିଆ ପଡ଼ିଛି। ଜଳସମ୍ପଦ ବିଭାଗ ବାଲିବସ୍ତା ପକାଇ ଏସବୁ ଘଳିଆକୁ ବନ୍ଦ କରିଛି। ସୂଚନା ମୁତାବକ ୮୦ ଦଶକରେ କନ୍ଦଳ ନଦୀର ଦକ୍ଷିଣ ପାର୍ଶ୍ବ ସୁନିନ୍ଦା, ବିଳାସୁଣୀର ବାଲିକୁଦା, ୧୯୮୨ ରେ କନ୍ଦଳ ନଦୀର ଦକ୍ଷିଣ ପାର୍ଶ୍ବ କୂଳଦହିଜଙ୍ଗ, ୨୦୦୧ରେ କନ୍ଦଳ ନଦୀର ବାମ ପାର୍ଶ୍ବ ବଡ଼ବିଲ, ଦେବୀ ନଦୀର ଯୋରକୂଳ, ୨୦୦୫ ରେ ଦେବୀର ବାମ ପାର୍ଶ୍ବ ସିଠାଳୋ, ୨୦୦୮ରେ ଦେବୀ ନଦୀର ଦକ୍ଷିଣ ପାର୍ଶ୍ବ ଅଣ୍ଡେଇ ସାହି, ବାଲିଜଳା, ସିଠାଳୋ, କରଞ୍ଜ ଠାରେ ବିରାଟ ଘାଇ ସୃଷ୍ଟି ହୋଇଥିଲା।

୨୦୦୮ରେ ଦେବୀ-କନ୍ଦଳ ନଦୀରେ ୫ଟି ଘାଇ ସୃଷ୍ଟି ହୋଇ ବ୍ୟାପକ ଫସଲ ଓ ଘରଦ୍ବାର ଭାଙ୍ଗିଥିଲା। ସେହିପରି ୨୦୦୯ ରେ ସୁଆଁଲୋ ନିକଟରେ ଅତଡ଼ା ଖାଇ ପଥର ପ୍ୟାକିଂ ନଷ୍ଟ ହୋଇଯିବାରୁ ସ୍ଥାନୀୟ ଅ‌ଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଥିଲା। ସେହିପରି ପାରି-ଅମରପଡ଼ାରେ ୨ଶହ ଫୁଟ୍‌ର ଅତଡ଼ା ଖାଇ ନଦୀବନ୍ଧ ପ୍ରତି ବିପଦ ସୃଷ୍ଟି କରିଥିଲା। ୨୦୧୧ ବନ୍ୟାରେ ଏର‌ ପାଢି ସାହି ଘେରିବନ୍ଧ ଭାଙ୍ଗି ଶହେରୁ ଅଧିକା ପରିବାର ସର୍ବସ୍ବାନ୍ତ ହୋଇଥିଲେ। ମିଳିଥିବା ସୂଚନାନୁସାରେ କନ୍ଦଳ ନଦୀବନ୍ଧ ପ୍ରତି ବିପଦ ସଙ୍କେତ ୧୩.୯୨ ମିଟର ଥିବା ବେଳେ ୨୦୦୩ ରେ ୧୪.୯୯, ୨୦୦୯ ରେ ୧୫.୨୦ ଓ ୨୦୧୧ ରେ ୧୩.୮୦ ଲକ୍ଷ ଘନଫୁଟ୍ ଜଳ ପ୍ରବାହିତ ହୋଇଥିଲା। ଏବେ ନଦୀରେ ୧୫ ଲକ୍ଷ ଘନଫୁଟ୍ ପ୍ରବାହିତ ହେଲେ ମଧ୍ୟ କୌଣସି ନଦୀବନ୍ଧ ପ୍ରତି ବିପଦ ନାହିଁ ବୋଲି କଣ୍ଟାପଡ଼ା ଓ ନିଆଳି ଜଳ ସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର