କରୋନା ରୋଗୀ ମୃତ୍ୟୁ ଘଟଣା: ବୀରେନ୍ଦ୍ର ପ୍ରସାଦଙ୍କ ମୃତ୍ୟୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ପରିବାର ଲୋକେ

ପରିବାର ଲୋକଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ସଦର ମହକୁମାସ୍ଥିତ ଭବାନୀପାଟଣା କୋଭିଡ ହସ୍‌ପିଟାଲରେ ଚିକିତ୍ସାରେ ଅବହେଳା ଯୋଗୁଁ ୪ ଦିନ ପୂର୍ବରୁ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ନେଇ ଅଭିଯୋଗ ହୋଇଥିଲା। ବିରେନ୍ଦ୍ର ପ୍ରସାଦ ସିଂଙ୍କ ମୃତ୍ୟୁକୁ ନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ ଓ ବିନା ଦୋଷରେ ପୁଲିସ ଗିରଫ କରିଥିବା ଦୁଇଭାଇଙ୍କୁ ଛାଡ଼ିଦେବା ନେଇ ପରିବାର ଲୋକଙ୍କ ପକ୍ଷରୁ ଆଜି ଭବାନୀପାଟଣା ସହରସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗତ ୧୦ ତାରିଖ ଦିନ ବିରେନ୍ଦ୍ର ପ୍ରସାଦ ସିଂଙ୍କ(୫୭) ଦେହ ଅସୁସ୍ଥ ହେବାରୁ ତାଙ୍କୁ ଭବାନୀପାଟଣା ସହରସ୍ଥିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ସେ ଅସୁସ୍ଥ ହେବା ପରେ ବୁର୍ଲା ରେଫର ହୋଇଥିଲେ। କିନ୍ତୁ ପରିବାର ଲୋକେ ଏଠାରେ ଚିକିତ୍ସା ପାଇଁ ଅନୁରୋଧ କରିଥିଲେ। ମଧ୍ୟାହ୍ନ ୧୨ ଟାରେ ପରିବାର ଲୋକଙ୍କ ଅନୁରୋଧ କ୍ରମେ କୋଭିଡ ପରୀକ୍ଷା କରାଯାଇଥିଲା। ଭବାନୀପାଟଣା ମୁଖ୍ୟ ଚିିକିତ୍ସାଳୟରେ କୋଭିଡ ଚିହ୍ନଟ ପରେ ଡାକ୍ତର ଚିକିତ୍ସା ଯୋଗାଇ ନ ଥିବା ବେଳେ କୋଭିଡ ହସ୍‌ପିଟାଲକୁ ସ୍ଥାନାନ୍ତର ପାଇଁ ୪ ଘଣ୍ଟା ବିଳମ୍ବ କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ।

ଗୁରୁତର ଭାବେ ବିରେନ୍ଦ୍ର କୋଭିଡ ହସ୍‌ପିଟାଲ ପହଂଚିଲା ପରେ ବି ଆମ୍ବୁଲାନ୍‌ସରୁ କୋଭିଡ ହସ୍‌ପିଟାଲକୁ ଆଡମିଶନ ପାଇଁ ସହଯୋଗ କରାଯାଇ ନ ଥିବା ଅଭିଯୋଗ କରିଥିଲେ ପରିବାର ଲୋକେ। ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ବାନ୍ଦୋପଲା କୋଭିଡ ହସ୍‌ପିଟାଲରେ ପହଞ୍ଚିବା ପରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ଏଣୁ ମୁଖ୍ୟ ଚିିକିତ୍ସାଳୟ ଓ କୋଭିଡ ହସ୍‌ପିଟାଲ ଦାୟିତ୍ୱରେ ଥିବା ଡ଼ାକ୍ତର ଓ ନର୍ସ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ପରିବାର ସଦସ୍ୟଙ୍କ ହସ୍‌ପିଟାଲ ସାମ୍ନାରେ ଧାରଣା ଦେବା ସହିତ ଉତ୍ତେଜନା ପ୍ରକାଶ ପାଇଥିଲା।

ଉତ୍ତେଜିତ ପରିବାର ପକ୍ଷରୁ ଆମ୍ବୁଲାନ୍‌ସ କାଚ, କୋଭିଡ ହସ୍‌ପିଟାଲର ଆଇସିୟୁ ମୋନିଟର ଭଙ୍ଗାରୁଜା କରିଥିବା ନେଇ ସିଡିଏମଓ ସଦର ଥାନାରେ ଅଭିଯୋଗ କରିଥିଲେ। ମୃତ୍ୟୁ ପରେ ପରିବାର ଲୋକେ ଡାକ୍ତରଙ୍କ ଅବହେଳାକୁ ନେଇ ପ୍ରତିବାଦ କରିଥିଲେ, ଯାହା ଫଳରେ ଦୁଇ ପକ୍ଷରୁ ପାଟିତୁଣ୍ଡ ହୋଇଥିଲା। ଏହାକୁ ନେଇ ପରିବାର ଲୋକେ ଟାଉନ ଥାନା ଓ ସଦର ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୁଲିସ ପକ୍ଷରୁ ଏକ ତରଫା ପଦକ୍ଷେପ ନେଇ ୧୪ଟି ଦଫା ସହିତ ୩୦୭ ମିଥ୍ୟ ଦଫା ଦେଇ ଦୁଇଭାଇ ଅଜୟ ରାଉତ ଓ ବିଜୟ ରାଉତଙ୍କୁ ଗିରଫ କରି ହାଜତକୁ ପଠାଇଛନ୍ତି।

ପୁଲିସ କହିଥିଲା, କୌଣସି ଡାକ୍ତରଙ୍କୁ ସେମାନେ ଜାଣି ନାହାନ୍ତି। କାହାକୁ ଦେଖି ନାହାନ୍ତି। କାହାକୁ ଆକ୍ରମଣ କରି ରକ୍ତାକ୍ତ କରିନାହାନ୍ତି। ତଥାପି ପୁଲିସର ୩୦୭ ମିଥ୍ୟା ଦଫା ଦେଇ ଦୁଇଭାଇଙ୍କୁ ଗିରଫ କରିଥିଲେ। ମୃତ୍ୟୁ ପରେ ପରିବାର ଲୋକେ ଭାଙ୍ଗି ପଡିଥିବା ବେଳେ ଅନ୍ତେଷ୍ଟି କ୍ରିୟା ନ ସରୁଣୁ ମେଡ଼ିକାଲ ଓ ପୁଲିସ ପ୍ରଶାସନ ଏଭଳି ଆକ୍ରୋଶ ନେଇ ପରିବାର ଲୋକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର