ବିଡ଼ମ୍ବନା: ମୃତ ବ୍ୟକ୍ତି ନାଁରେ ଆବାସ ଯୋଜନା ସହାୟତା

ପ୍ରଶାସନର ଖାମଖିଆଲ ନୀତି ଯୋଗୁଁ ଦୁର୍ଦ୍ଦଶା ଭୋଗୁଛନ୍ତି ହିତାଧିକାରୀ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଜୋରାଡୋବ୍ରା ପଞ୍ଚାୟତ ଏକାତାରା ଗ୍ରାମର ଜଣେ ହିତାଧିକାରୀଙ୍କ ପ୍ରଥମ ଆବାସ ‌େଯାଜନା କିସ୍ତି ଅର୍ଥ ଜଣେ ମୃତ ବ୍ୟକ୍ତିଙ୍କ ଖାତାରେ ଜମା ହେବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ହିତାଧିକାରୀଙ୍କ ଅଭିଯୋଗ ପରେ ମଧ୍ୟ ବ୍ଲକ ପ୍ରଶାସନ ପଦକ୍ଷେପ ଗ୍ରହଣ କରୁ ନଥିବାରୁ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। ପ୍ରକାଶ ଯେ, ଏକାତାରା ଗ୍ରାମର ତୁଳସୀ ସାହୁ ୨୦୨୨-୨୩ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ଭାବେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇଥିଲେ। ଧାର କରଜ କରି ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଗାଇଡ୍‌ଲାଇନ ମୁତାବକ ଯୋଜନାର ପ୍ରଥମ କିସ୍ତି ୪୦ ହଜାର ଟଙ୍କା ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପାଇବା କଥା।

କିନ୍ତୁ ଦୀର୍ଘ ଦିନ ପରେ ଏହି କିସ୍ତି ସହାୟତା ରାଶି ନପାଇବାରୁ ପଞ୍ଚାୟତଠାରୁ ନେଇ ପଞ୍ଚାୟତ ସମିତି ପର୍ଯ୍ୟନ୍ତ ଧାଁ ଦୌଡ କରୁଥିବା ଅଭିଯୋଗ କରିଛନ୍ତି। ଏବିଷୟ ନେଇ ପଞ୍ଚାୟତ କିମ୍ବା ବ୍ଲକ ପ୍ରଶାସନ କୌଣସି ତତ୍ପରତା ନଦେଖାଇବା ଯୋଗୁଁ ଶେଷରେ ନିଜସ୍ୱ ଉଦ୍ୟମରେ ତଦନ୍ତ କରି ଏହି ସହାୟତା ରାଶି ଏକାତାରା ଗ୍ରାମର ଜଣେ ମୃତ ବ୍ୟକ୍ତିଙ୍କ ଆକାଉଣ୍ଟରେ ଜମା ହୋଇଥିବା କଥା ଜାଣିବାକୁ ପାଇଥିଲେ। ମୃତ ବ୍ୟକ୍ତିଙ୍କ ନାମ କ୍ଷମାନିଧି ସାହୁ ହୋଇଥିବାବେଳେ ସେ ୧୦ ବର୍ଷ ତଳେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାର ଲୋକେ ପ୍ରକାଶ କରିଛନ୍ତି। ସମ୍ପୃକ୍ତ ବ୍ୟାଙ୍କ ସହ ଯୋଗାଯୋଗ କଲାପରେ ମୃତକ କ୍ଷମାନିଧି ସାହୁଙ୍କ ଆକାଉଣ୍ଟରେ ୪୦ ହଜାର ଟଙ୍କା ମଧ୍ୟ ଜମା ହୋଇଥିବା ଜଣାପଡିଛି। ଜଣେ ଜୀବିତ ହିତାଧିକାରୀଙ୍କ ଆବାସ ଗୃହ ସହାୟତା କେମିତି ଜଣେ ମୃତ ବ୍ୟକ୍ତିଙ୍କ ଆକାଉଣ୍ଟରେ ଜମା କରାଗଲା ତାହା ତଦନ୍ତ ସାପେକ୍ଷ ହୋଇଥିବାବେଳେ ଏହା ବିଭାଗୀୟ ଚଂଚକତା ନା ବେପାରୁଆ ମନୋଭାବ ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି। ଏନେଇ ସମ୍ପୃକ୍ତ ଅଧିକାରୀଙ୍କୁ ପଚାରିଲେ ଭୁଲ ବଶତଃ ଏଭଳି ହୋଇଥିବା କଥା ପ୍ରକାଶ କରୁଥିବାବେଳେ ପୁଣି ଥରେ ସ୍ବର୍ଗତ କ୍ଷମାନିଧି ସାହୁଙ୍କ ଆକାଉଣ୍ଟରୁ ସହାୟତା ରାଶି ଫେରସ୍ତ ଅଣାଯାଇ ତୁଳସୀ ସାହୁଙ୍କ ଆକାଉଣ୍ଟରେ ଜମା କରାଯିବ ବୋଲି ପ୍ରକାଶ କରିଛନ୍ତି। ହିତାଧିକାରୀ ତୁଳସୀ ସାହୁ ଏନେଇ ବ୍ଲକ ପ୍ରଶାସନକୁ ବହୁବାର ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଦୁଃଖ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର