ଘୋଷଣାକୁ ୧୨ ବର୍ଷ ବିତିଲା: ସରୁନି ମରିଚମାଲ୍‌ ଆଇଟିଆଇ ନିର୍ମାଣ କାମ

କୋରାପୁଟ: ଲକ୍ଷ୍ୟ ଥିଲା ଆଦିବାସୀ ଯୁବକ ଯୁବତୀଙ୍କୁ ଆଇଟିଆଇ ମାଧ୍ୟମରେ ଆତ୍ମନିର୍ଭରଶୀଳ କରାଇବା। ଆଇଟିଆଇ ଶିକ୍ଷା ମାଧ୍ୟମରେ ସେମାନ‌େ ‌ସେମାନଙ୍କ ଜୀବନ ଧାରଣ ମାନ ବୃଦ୍ଧି କରିବା। ନିଜେ ବଞ୍ଚିବା ସହ ସେମାନେ କିପରି ନିଜ ପରିବାରକୁ ମଧ୍ୟ ଆର୍ଥିକ ସ୍ତରରେ ଉନ୍ନତିକରିବେ ସେହି ଲକ୍ଷ୍ୟ ନେଇ ଏହାକୁ ନିର୍ମାଣ କରାଇବାକୁ ଯୋଜନା ରହିଥିଲା। ହେଲେ ଯେଉଁ ଲକ୍ଷ୍ୟ ନେଇ ଜିଲ୍ଲାରେ ଆଇଟିଆଇ ନିର୍ମାଣ ହେବାକୁ ଯୋଜନା ରହିଥିଲା ତାହା ଏବେ ବାଟ ହୁଡିଛି। ଦ‌ିନେ ନୁହେଁ କି ଅଧେ ନୁହେଁ ଘୋଷଣାକୁ ୧୨ ବର୍ଷ ବିତିଲାଣି। ଏହାସହ କାମ ଆରମ୍ଭ ହୋଇ ୫ ବର୍ଷ ବିତିଥିଲେ ବି ସରୁନି କୋରାପୁଟ ଜିଲ୍ଲା ମରିଚମାଲ ଆଟିଆଇଟିର ନିର୍ମାଣ କାମ। କେବେ ଶେଷ ହେବ ତାହା ମଧ୍ୟ ଜଣାନାହିଁ। କିନ୍ତୁ ସ୍କିଲ ଡେଭଲପମେଣ୍ଟ ପାଇଁ ଘନ ଘନ ରାଜ୍ୟ ସ୍ତରରୁ ଅଧିକାରୀମାନେ ଆଜି ଜିଲ୍ଲା ଦେଖି ଫେରୁଥିବାବେଳେ ଏହା ସେମାନଙ୍କ ଆଖିପରେ ପଡୁନି। ଫଳରେ ବହୁ ଗରିବ ମେଧାବୀ ଯୁବକଯୁବତୀ ଆଇଟିଆଇ ପଢିବାକୁ ଅନ୍ୟ ଜିଲ୍ଲା ଉପରେ ନିର୍ଭର କରଥିବା ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ମୁତାବକ ୨୦୦୯ ନିର୍ବାଚନ ପରେ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରପୁଟ ନିକଟସ୍ଥ ମରିଚମାଲ୍‌ରେ ଆଇଟିଆଇ ପ୍ରତିଷ୍ଠା କରିବାକୁ ଘୋଷଣା କରିଥିଲେ। ୨୦୧୪ରେ ନାଲକୋ ପକ୍ଷରୁ ପାରିପାଶ୍ବିକ ବିକାଶ ପାଣ୍ଠିରୁ ପ୍ରାୟ ଦୁଇ କୋଟି ଟଙ୍କା ମଞ୍ଜୁର କରିଥିଲା। ୨୦୧୬ରେ ତହସିଲ ପକ୍ଷରୁ ୫ ଏକର ଜମି ପ୍ରଦାନ ପରେ ସୁନାବେଢା ପିଡବ୍ଲୁଡି ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଆଇଟିଆଇ କୋଠାରେ ପ୍ରାୟ ୬ଟି ବିଲ୍ଡିଂ ରହିଥିବାବେଳେ ୧୮୧୬୯.୦୦ ବର୍ଗଫୁଟରେ ନିର୍ମାଣ କାର୍ଯ୍ୟ ୨୦୧୬ରୁ ଆରମ୍ଭ ହୋଇଛି ଯେ ଏବେ ଯାଏ ଶେଷ ହୋଇପାରୁନାହିଁ। ଏବେ ବି ଏହିଠାରେ ରାସ୍ତା ଓ ଅନ୍ୟନ୍ୟ କାମ ରହିଥିବା ଜଣାପଡିଛି। ଏବେ ସୁଦ୍ଧା ପ୍ରାୟ ୩କୋଟି ୬୬ କୋଟି ଟଙ୍କା ବ୍ୟୟ ହୋଇସାରିଥିବାବେଳେ କେବେ ପାଠପଢା ହେବ ତାହା ଅସ୍ପଷ୍ଟ ରହିଛି।

ତେବେ ଜିଲ୍ଲାରେ ନାଲକୋ, ହାଲ ପରି ବହୁ ବଡ ବଡ କମ୍ପାନୀ ସହ ଖଣି ଖାଦାନ ରହିଥିବାବେଳେ କର୍ମନିଯୁକ୍ତିର ସୁଯୋଗ ରହିଛି। ହେଲେ ଜିଲ୍ଲାରେ ପ୍ରସ୍ତାବିତ ଏହି ଆଇଟିଆଇ ହୋଇ ନ ପାରିବାରୁ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଛାତ୍ରଛାତ୍ରୀମାନେ କର୍ମସଂସ୍ଥାନ ପ୍ରତି ବିମୁଖ ହେଉଛନ୍ତି।

‌ଏନେଇ ସୁନାବେଢା ପିଡବ୍ଲୁବିର ଜେଇ କହିଛନ୍ତି ଯେ କାର୍ଯ୍ୟ ଶେଷ ହୋଇ ଆସିଲାଣି, ରାସ୍ଥା ଅନ୍ୟ କିଛି କାମ ଆସନ୍ତା ସପ୍ତାହ ମଧ୍ୟରେ ‌ଶେଷ‌ ହେବ। ଖୁବ ଶୀଘ୍ର ଏହା ବିଭାଗୀୟ କତ୍ତୃର୍ପକ୍ଷଙ୍କୁ ହସ୍ତାନ୍ତର କରାଯିବ ବୋଲି ସେ କହିଛନ୍ତି।

 

ସମ୍ବନ୍ଧିତ ଖବର