ଡକାୟତଙ୍କ ଆଡ୍ଡାସ୍ଥଳୀ ପାଲଟିଛି କାଳିଆପଡ଼ା ଘାଟି ବନ୍ଧୁକ, ମାରଣାସ୍ତ୍ର ଦେଖାଇ ଲୁଟୁଛନ୍ତି

୧୫ ଦିନରେ ୧୦ରୁ ଉର୍ଦ୍ଧ୍ବ ଟ୍ରକରୁ ତେଲ ଓ ବ୍ୟାଟେରୀ ଚୋରି, ଡକାୟତ ଦଳର ମାଡ଼ରେ ବହୁ ଡ୍ରାଇଭର, ହେଲପର୍ ଆହତ

ରାୟଗଡ଼ା: ୩୨୬ ନଂ ଜାତୀୟ ରାଜପଥର ରୂପକୋଣାରୁ ଟିକିରିକୁ ସଂଯୋଗ ହୋଇଥିବା ରାସ୍ତା ଅସୁରକ୍ଷିତ ହୋଇ ପଡିଛି। ଏହି ରାସ୍ତା ଦେଇ ଚଳାଚଳ କରୁଥିବା ମାଲବାହୀ ଯାନବାହନର ଡ୍ରାଇଭର, ହେଲପର୍ ସମେତ କର୍ମଚାରୀ ଲୁଟ୍ ସହ ଡକାୟତ ଦଳର ଆକ୍ରମଣର ଶିକାର ହେଉଛନ୍ତି। ଆଜି ଜଣେ ଟ୍ରକ୍ ଡ୍ରାଇଭର ଡକାୟତଙ୍କ ଗୁଳିମାଡ଼ରେ ଗୁରୁତର ହୋଇଥିବା ବ‌େଳେ ବିଗତ ୧୫ ଦିନରେ ୨୦ରୁ ଉର୍ଦ୍ଧ୍ବ ଟ୍ରକ୍ ଡ୍ରାଇଭର୍, ହେଲପର ଡକାୟତଙ୍କ ମାଡ଼ରେ ଲହୁଲୁହାଣ ହୋଇଛନ୍ତି। ୧୦ରୁ ଉର୍ଦ୍ଧ୍ବ ଟ୍ରକରୁ ଡକାୟତମାନେ ତେଲ ସହ ବ୍ୟାଟେରୀ ଚୋରି କରି ନେଇଥିବା ଅଭିଯୋଗ ହୋଇଛି। କାଶୀପୁର ବ୍ଲକ୍ ଟିକିରି ଥାନାର ଦୋରାଗୁଡ଼ାରେ ରହିଛି ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ୍ କମ୍ପାନି। କମ୍ପାନିରୁ ଉତ୍ପାଦିତ ଆଲୁମିନା ପାଉଡର୍ ପରିବହନ ପାଇଁ ନିୟୋଜିତ ହୋଇଛନ୍ତି ଶହଶହ ଟ୍ରକ୍।

ବିଶାଖାପାଟଣାରୁ କୋଇଲା ବୋଝେଇ କରି ଆସିବା ପରେ ଟିକିରିରୁ ଆଲୁମିନା ପାଉଡର୍ ନେଇ ଟ୍ରକ୍ ଗୁଡ଼ିକ ବିଶାଖାପାଟଣା ଯାଉଛନ୍ତି। ଟିକିରିରୁ ରୂପକୋଣାକୁ ସଂ‌ଯୋଗ ହୋଇଥିବା ପୂର୍ତ୍ତ ବିଭାଗ ରାସ୍ତାରେ ରହିଛି କାଳିଆପଡ଼ା ଘାଟି। ଘାଟି ରାସ୍ତାଟି ଅତି ତୀକ୍ଷଣ୍ ହୋଇଥିବାରୁ ବହୁ ସମୟରେ ଟ୍ରକ୍ ଗୁଡ଼ିକ ଭାରସାମ୍ୟ ହରାଇ ଦୁର୍ଘଟଣାଗସ୍ତ ହେଉଛି। ଘାଟି ରାସ୍ତା ନିଛାଟିଆ ସହ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ହୋଇଥିବାରୁ ଏହାର ଫାଇଦା ଉଠାଉଛନ୍ତି ଡକାୟତ ଦଳ। ଦୁର୍ଘଟଣାଗସ୍ତ କିମ୍ବା ବ୍ରେକ୍ ଡାଉନ୍ ହୋଇଥିବା ଟ୍ରକ୍ ଗୁଡ଼ିକୁ ଡକାୟତ ଦଳ ଟାର୍ଗେଟ୍ କରି ଡ୍ରାଇଭର, ହେଲପରଙ୍କୁ ମାଡ଼ ମାରି ଟ୍ରକର ତେଲ ସହ ବ୍ୟାଟେରୀକୁ ଲୁଟି ନେଉଛନ୍ତି। ମେ’ ୧ ତାରିଖରେ ବ୍ରହ୍ମପୁରରୁ ଉତ୍କଳ ଆଲୁମିନାକୁ ଆଲୁମିନିୟମ୍ ବୋଝେଇ ପାଇଁ ଆସିଥିବା ଏକ ଟ୍ରକ୍ କାଳିଆପଡ଼ା ଘାଟିରେ ଖରାପ ହୋଇ ଯାଇଥିଲା। ଟ୍ରକ୍ କର୍ମଚାରୀ ରାତିରେ ଗାଡ଼ି ଭିତରେ ଶୋଇଥିବା ବେଳେ ଡକାୟତ ଦଳ ପହଞ୍ଚି ନିସ୍ତୁକ ମାଡ଼ ମାରିବା ସହ ଟ୍ରକର ଟାୟାର, ବ୍ୟାଟେରୀ ଓ ତେଲ ଚୋରି କରି ନେଇଥିଲେ। ସେହିପରି ମେ’ ୩ ତାରିଖରେ ନୀଳାଞ୍ଚଳ ଟ୍ରାନସପୋର୍ଟର ଦୁଇଟି ଟ୍ରକ୍ ଟିକିରିରୁ ଆଲୁମିନା ନେଇ ବିଶାଖାପାଟଣା ଅଭିମୁଖେ ଯାଉଥିବା ବେଳେ କାଳିଆପଡ଼ା ଘାଟିରେ ଟ୍ରକ୍ ଖରାପ ହୋଇ ଯାଇଥିଲା।

ଦୁଇ ଟ୍ରକର କର୍ମଚାରୀ ଗାଡ଼ି ସଜାଡ଼ିବାକୁ ଚେଷ୍ଟା କରି ସଫଳ ନ ହେବା ପରେ ରାତିରେ ଟ୍ରକ୍ ଭିତରେ ହିଁ ଶୋଇ ପଡିଥିଲେ। ବିଳମ୍ବିତ ରାତିରେ ଡକାୟତ ଦଳ ଟ୍ରକ୍ ନିକଟରେ ପହଞ୍ଚି ବ୍ୟାଟେରୀ ‌ଚୋରି କରୁଥିବା ବେଳେ ଡ୍ରାଇଭର୍ ଉଠି ପଡି ତାଗିଦ୍ କରିଥିଲେ। ଏଥିରେ ଡକାୟତ ଦଳ ଉତକ୍ଷିପ୍ତ ହୋଇ ଟ୍ରକ୍ ଡ୍ରାଇଭର ଏସ୍. ରାଜା ରାଓ, ମିଥୁନ୍ ଗୌଡ଼ଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଡକାୟତଙ୍କ ମାଡ଼ରେ ଟ୍ରକ୍ ଡ୍ରାଇଭର ଲହୁଲୁହାଣ ହୋଇ ରାସ୍ତାରେ ପଡି ରହିଥିବା ବେଳେ ଡକାୟତମାନେ ଦୁଇ ଟ୍ରକରୁ ୪୦୦ ଲିଟର ଡିଜେଲ୍ ଚୋରି କରି ନେଇଥିଲେ। ଗତ କିଛି ମାସ ହେଲା କାଳିଆପଡା ଘାଟି ଡକାୟତଙ୍କ ଆଡ୍ଡାସ୍ଥଳୀ ପାଲଟିଥିଲେ ମଧ୍ୟ ଟିକିରି ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି। ଥାନାରୁ ଘାଟି ଅଞ୍ଚଳ ୬ କିମି ଦୂର ହେଉଥିବାରୁ ପୁଲିସ୍ ରାତିରେ ପେଟ୍ରୋଲିଂ କରିବାକୁ ଯାଉନି। ଯେଉଁଥି ପାଇଁ ଡକାୟତ ଦଳ ପ୍ରତିଦିନ ଲୁଟ୍ କରି ଖସିଯିବାରେ ସକ୍ଷମ ହେଉଛନ୍ତି। ମାରଣାସ୍ତ୍ର ସହ ଡକାୟତ ଦଳ ବନ୍ଧକୁ ଧରିଥିବାରୁ ପ୍ରାଣଭୟରେ ଲୁଟର ଶିକାର ଡ୍ରାଇଭର ଓ କର୍ମଚାରୀ ଜୀବନ ଭୟରେ ଚୁପ୍ ହୋଇ ରହୁଛନ୍ତି। ଡକାୟତ ଦଳଙ୍କ ଦ୍ବାରା ଲୁଟର ଶିକାର ହେଉଥିବା ବହୁ ଡ୍ରାଇଭର ଓ ଟ୍ରାନସପୋର୍ଟ କମ୍ପାନି ଏ ନେଇ ଉତ୍କଳ ଆଲୁମିନା କର୍ତ୍ତୃପକ୍ଷ ଓ ଟିକିରି ପୁଲିସର ଦୃଷ୍ଟି ଆକର୍ଷଣ କରିଛନ୍ତି। କିନ୍ତୁ ଡକାୟତ ଦଳକୁ କାବୁ କରିବାକୁ ପୁଲିସ୍ ଠୋସ୍ ପଦକ୍ଷେପ ନେଉନଥିବାରୁ ଡକାୟତ ଦଳ ଲୁଟପାଟ ପାଇଁ ଟ୍ରକ୍ ଡ୍ରାଇଭରକୁ ଗୁଳି କରିବା ପାଇଁ ମଧ୍ୟ ପଛାଇ ନାହାନ୍ତି। ଯାହା ଆଜି ଭୋରରେ ନୟାଗଡ଼ ଜିଲ୍ଲାର ରମେଶ ଘଡେଇ ନାମକ ଜଣେ ଡ୍ରାଇଭର ଡକାୟତଙ୍କ ଗୁଳିରେ ଜଖମ ହେବା ଘଟଣାରୁ ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର