ଫାଇନାନ୍ସ କର୍ମଚାରୀଙ୍କଠୁ ଲୁଟ୍ ମାମଲା: ୩ ଗିରଫ, ୨ ନାବାଳକ ଅଟକ

ରାୟଗଡ଼ା: ବାଇସିଂହ ଘାଟିରେ ଫାଇନାନ୍ସ କର୍ମଚାରୀଙ୍କୁ ଲୁଟ୍ ମାମଲାରେ ପୁଲିସକୁ ମିଳିଛି ସଫଳତା। ଶେଷଖାଲ ପୁଲିସ ମାମଲାରେ ସଂପୃକ୍ତ ୩ ଲୁଟେରାଙ୍କୁ ଗିରଫ କରିବା ସହ ୨ ନାବାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଗିରଫ ଲୁଟେରାଙ୍କ ନିକଟରୁ ପୁଲିସ ୧୭ ହଜାର ଟଙ୍କା ସହ ୨ଟି ବାଇକ୍, ୪ଟି ମୋବାଇଲ୍, ୨ଟି ଛୁରୀ ସହ ଏକ ବ୍ୟାଗକୁ ଜବତ କରିଛି। ଗିରଫ ଅଭିଯୁକ୍ତଙ୍କୁ ପୁଲିସ କୋର୍ଟ ଚାଲାଣ କରିଥିବାବେଳେ ଅଟକ ଥିବା ନାବାଳକଙ୍କୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡକୁ ପଠାଯିବ ବୋଲି କହିଛନ୍ତି ରାୟଗଡ଼ା ଏସ୍‌ଡିପିଓ ଦିବ୍ୟଜ୍ୟୋତି ଦାଶ। ଗତ ୧୮ ତାରିଖରେ ଅନ୍ନପୂର୍ଣ୍ଣା ଫାଇନାନ୍ସ କଂପାନିର କର୍ମଚାରୀ ବୃନ୍ଦାବନ ହରିଜନ ରାମଚନ୍ଦ୍ରପୁର ଗ୍ରାମର ସ୍ବଂୟ ସହାୟକ ଗୋଷ୍ଠୀ ସଦସ୍ୟଙ୍କଠୁ ଲୋନ୍ ବାବଦ ୬୮ ହଜାର ୬୭୨ ଟଙ୍କା ସଂଗ୍ରହ କରି ରାୟଗଡ଼ା ଅଭିମୁଖେ ଫେରୁଥିଲେ। ଏହି ସମୟରେ ପିପଳଗୁଡା-ବାଇସିଂହ ଘାଟି ରାସ୍ତାରେ ଦୁର୍ବୃତ୍ତ ମାନେ ଲୁଟ କରିବା ପାଇଁ ଛପି ରହିଥିଲେ। ବୃନ୍ଦାବନ ଘାଟି ରାସ୍ତାର କତାର ନାଳ ଅତିକ୍ରମ କରୁଥିବା ସମୟରେ ୬ ଦୁର୍ବୃତ୍ତ ଟଙ୍କା ବ୍ୟାଗକୁ ଝାମ୍ପି ନେଇ ଚାଲି ଯାଇଥିଲେ। ଘଟଣା ସଂପର୍କରେ ବୃନ୍ଦାବନ ଫାଇନାନ୍ସ କଂପାନିର ଉଚ୍ଚ ଅଧିକାରୀଙ୍କୁ ଅବଗତ କରିବାସହ ଏ ନେଇ ଶେଷଖାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଥାନା ଅଧିକାରୀ ଦେବ ମଲ୍ଲିକଙ୍କ ନେତୃତ୍ବରେ ପୁଲିସ ଟିମ୍ ଲୁଟେରା ଗ୍ୟାଙ୍ଗକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲା। ଆଜି ୨ ନାବାଳକଙ୍କ ସମେତ ୩ ଲୁଟେରାକୁ ପୁଲିସ କାବୁ କରିବାରେ ସକ୍ଷମ ହୋଇଛି। ଲୁଟ୍ ଟଙ୍କା ମଧ୍ୟରୁ ୧୭ ହଜାର ଟଙ୍କା ଉଦ୍ଧାର ହୋଇଥିବା ବେଳେ ବଳକା ଟଙ୍କା ଏବଂ ଏହି ମାମଲାରେ ଅନ୍ୟ କାହାର ସଂପୃକ୍ତି ରହିଛି ସେ ନେଇ ପୁଲିସ୍ ତଦନ୍ତ ଚଲାଇଛନ୍ତି।

ସମ୍ବନ୍ଧିତ ଖବର