ଜଗତସିଂହପୁର ଟାଉନ୍: ‘ମୁଁ ଜଣେ ତାନ୍ତ୍ରିକ। ତୋର ଓ ତୋ ପରିବାରର ଜୀବନ ପ୍ରତି ବିପଦ ଅଛି। ମୋ କଥା ମାନି ତାର ପ୍ରତିକାର କର, ନ ହେଲେ ତୋର ଗାଡ଼ି ଧକ୍କାରେ ଜୀବନ ଯିବ। ପରିବାର ବିପଦରେ ପଡ଼ିବେ। ପ୍ରତିକାର ପାଇଁ ମୁଁ ଗୋଟେ ତନ୍ତ୍ର ପୂଜା କରିବି। ଟଙ୍କା ଦେଲେ ପୂଜା ଆରମ୍ଭ ହେବ।’ ଏମିତି ଡରାଇ, ଧମକାଇ ଏସ୍‌ଭିଏମ୍ କଲେଜର ଜଣେ ଛାତ୍ରଙ୍କ ଠାରୁ ଫୋନ୍ ପେ ମାଧ୍ୟମରେ ବିଭିନ୍ନ ସମୟରେ ୫୦ ହଜାର ଟଙ୍କା ଠକି ନେଇଥିବା ଜଣେ ମହିଳାଙ୍କୁ ଗିରଫ କରିଛି ଜଗତସିଂହପୁର ଥାନା ପୁଲିସ। ଗିରଫ ମହିଳା ହେଲେ ଭୁବନେଶ୍ବର ଏୟାରପୋର୍ଟ ଥାନା ଅନ୍ତର୍ଗତ ଗଙ୍ଗନଗର ପଲ୍ଲୀ ଅଞ୍ଚଳର କବିତା ମହାରଣା(୨୬)। ତାଙ୍କ ପାଖରୁ ଠକେଇ ହୋଇଥିବା ୫୦ ହଜାର ଟଙ୍କା ଓ ଫୋନ କଲ୍‌ରେ ବ୍ୟବହୃତ ସିମ୍ କାର୍ଡ ଜବତ କରାଯାଇଛି। ତେବେ ଜଣେ ପୁରୁଷ ଲୋକ ଫୋନ୍‌ କରିଥିବାରୁ ଏହି ଘଟଣାରେ ଏକାଧିକ ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା ଏବଂ ଏଭଳି ଘଟଣା ପଛରେ ଏକ ଗ୍ୟାଙ୍ଗ୍‌ର ସଂପୃକ୍ତି ଥିବା ଆଶଙ୍କା କରାଯାଉଛି। ସେମାନଙ୍କୁ ମଧ୍ୟ ଖୋଜା ଚାଲିଥିବା ପୁଲିସ କହିଛି। ସୂଚନା ଅନୁଯାୟୀ ଏସଭିଏମ୍ କଲେଜରେ ଯୁକ୍ତ ୩ ବିଜ୍ଞାନରେ ପଢ଼ୁଥିବା ନାଉଗାଁ ଅଞ୍ଚଳର ରୁଦ୍ର ପ୍ରସାଦ ନାୟକ ଜଗତସିଂହପୁର ସହରର ଗୋପାଳସାଗର ଅଞ୍ଚଳରେ ରୁହନ୍ତି। ଗତ ମାର୍ଚ୍ଚ ୨୧ ତାରିଖ ସନ୍ଧ୍ୟାରେ ରୁମ୍‌ରେ ଥିବା ବେଳେ ତାଙ୍କ ପାଖକୁ ଏକ ଅଜଣା ନମ୍ବରରୁ ଫୋନ୍ କଲ୍ ଆସିଥିଲା। ଜଣେ ପୁରୁଷ ଏହି ଫୋନ୍ କଲ୍ କରି ନିଜକୁ ତାନ୍ତ୍ରିକ ବୋଲି ପରିଚୟ ଦେଇ ରୁଦ୍ର କଲେଜରେ ପଢ଼ୁଥିବା ଓ ତାଙ୍କ ପରିବାର ଲୋକଙ୍କ ଜୀବନ ବିପଦରେ ଥିବା କହିଥିଲା। ପ୍ରତିକାର ସ୍ବରୂପ ତନ୍ତ୍ର ପୂଜାପାଠ ନ କଲେ ତାଙ୍କର ଦୁର୍ଘଟଣାରେ ମୃତ୍ୟୁ ହେବା ସହ ପରିବାର ଲୋକ ମଧ୍ୟ ଅସୁବିଧାରେ ପଡ଼ିବେ ବୋଲି କହି ଡରାଇ ଥିଲା।

Advertisment

publive-image Sambad

ରୁଦ୍ର ଭୟଭୀତ ହୋଇ ଏହାର ପ୍ରତିକାର ବିଷୟରେ ପଚାରିବାରୁ ଏକ ନିର୍ଦ୍ଦିଷ୍ଟ ଫୋନ୍ ନମ୍ବରକୁ ଫୋନ୍ ପେ ଜରିଆରେ ଟଙ୍କା ପଠାଇବାକୁ ପଡ଼ିବ ବୋଲି କହିବାରୁ ରୁଦ୍ର ପ୍ରଥମେ ୩୫୦୦ ଟଙ୍କା ପଠାଇଥିଲେ। ତା ପରଦିନ ସକାଳୁ ଠକ ପୁଣି ଫୋନ୍ କରି କହିଲା ଯେ ତୋ ଜୀବନ ପ୍ରତି ବହୁତ ବଡ଼ ବିପଦ ଅଛି। ଏହି ପୂଜାରେ କଟିବନି ଆଉ ଏକ ବଡ଼ ପୂଜା ହେବ। ଘରୁ କୁଆଡ଼େ ଯିବୁନି କି ଏ କଥା କାହାକୁ ଜଣାଇବୁନି। ତୁରନ୍ତୁ ଆଉ ୩୨ ହଜାର ଟଙ୍କା ପଠା। ଏହା ପରେ ରୁଦ୍ର ଅଧିକ ଭୟଭୀତ ହୋଇ ୩୨ ହଜାର ଟଙ୍କା ପଠାଇଥିଲେ। ପରଦିନ ସକାଳୁ ପୁଣି ଫୋନ୍ କରି ପୂଜା ସରି ଯାଇଥିବା କହି ଆଉ ୨ ହଜାର ଟଙ୍କା ନେଇ ଯାଇଥିଲା। ଏମିତି ଏକାଧିକ ଦଫାରେ ୫୦ ହଜାର ଟଙ୍କା ନେଇ ଯାଇଥିଲା ଠକ ଗ୍ୟାଙ୍ଗ୍‌। ପରେ ରୁଦ୍ର ସେହି ନମ୍ବରକୁ ଫୋନ୍ କରିବାରୁ ତାହା ସୁଇଚ୍ ଅଫ୍ ହୋଇ ଯାଇଥିଲା। ସେ ଠକାମିର ଶିକାର ହୋଇଥିବା ଜାଣିବା ପରେ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୁଲିସ ମାମଲା ରୁଜୁ କରିଥିଲା। ଗିରଫ ଅଭିଯୁକ୍ତ କବିତାକୁ କୋର୍ଟଚାଲାଣ କରାଯାଇଛି।