ଗୋରଖନାଥ ମନ୍ଦିର ହୁଣ୍ତି ଭାଙ୍ଗି ୧୦ ଲକ୍ଷ ଟଙ୍କା ଚୋରି

୩ ଜଣ ବୋହିନେଲେ ଟଙ୍କା ଭର୍ତ୍ତି ବସ୍ତା

ତାରପୁର: ତିର୍ତୋଲ ଥାନା ରଘୁନାଥପୁର ବ୍ଲକ୍ ଛପଡ଼ା ପଂଚାୟତ କେରେକେରାସ୍ଥିତ ପ୍ରସିଦ୍ଧ ବିଭୂତି କ୍ଷେତ୍ର ପ୍ରଭୁ ଗୋରଖନାଥ ମନ୍ଦିର ସମ୍ମୁଖରୁ ହୁଣ୍ତି ଭାଙ୍ଗି ଟଙ୍କା ଚୋରି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ୩ ଜଣ ଦୁର୍ବୃତ୍ତ ଶାବଳରେ ହୁଣ୍ଡିକୁ ତାଡ଼ି ବସ୍ତାରେ ଟଙ୍କାପଇସା ଭର୍ତ୍ତି କରି ଚାଲିଯାଇଥିଲେ। ବସ୍ତା ଓଜନ ଥିବାରୁ ସେମାନେ ଟଙ୍କା ବସ୍ତାକୁ ବହୁ କଷ୍ଟରେ ଉଠାଇ ନେଉଥିବା ଦେଖିବାକୁ ମିଳୁଛି। ରାତି ପ୍ରାୟ ୧୨ଟା ୨୦ରୁ ୧୨ଟା ୪୦ ମିନିଟ୍‌ ଭିତରେ ଏହି ଚୋରି ଘଟଣା ସିସି କ୍ୟାମେରାରେ କଏଦ୍‌ ହୋଇଛି। ସବୁଠୁ ଆଶ୍ଚର୍ଯ୍ୟର କଥା ମନ୍ଦିରରେ ନିୟୋଜିତ ୨ ଜଣ ହୋମଗାର୍ଡ଼, ଜଣେ ରାତ୍ରି ଜଗୁଆଳିଙ୍କର ସେତେବେଳେ ଦେଖା ମିଳିନଥିଲା। ତେବେ ରାତି ପ୍ରାୟ ଗୋଟାଏ ବେଳେ ରାତ୍ରି ଜଗୁଆଳି ସଂଜୟ କୁମାର ବିଶ୍ବାଳ ପ୍ରଥମେ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୌର୍ଯ୍ୟରଂଜନ ପରିଜାଙ୍କୁ ଏହି ଚୋରି ବିଷୟରେ ଜଣାଇଥିଲା। ପରେ ପୁଲିସ୍‌କୁ ଖବର ଦେବାରୁ ସକାଳେ ପୁଲିସ୍‌ ପହଞ୍ଚି ତଦନ୍ତ କରିଛି। ତିର୍ତୋଲ ଥାନା ଆଇଆଇସି ଯୁଗଳ କିଶୋର ଦାସ, ଏସ୍‌ଆଇ ଦୁଃଖୀଶ୍ୟାମ ସେଠୀ ଓ ଦିନେଶ କୁମାର ପଟ୍ଟା ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଦଳ ଓ ସନ୍ଧାନୀ କୁକୁରକୁ ନେଇ ତଦନ୍ତ କରିଛନ୍ତି। ସନ୍ଧା‌ନୀ କୁକୁର ମନ୍ଦିର ବେଢ଼ା ପାଚେରି ପାଖରୁ ହଳେ ଚପଲ ଠାବ କରିବା ସହ ଜଣେ ସ୍ଥାନୀୟ ନନାଙ୍କ ବାଡ଼ିପଡ଼େ ଥିବା ଛଣଗଦା ପାଖରେ ପହଞ୍ଚିଥିଲା। କିନ୍ତୁ ତଦନ୍ତ ଆଗକୁ ବଢ଼ିନାହିଁ। ମନ୍ଦିର ନିର୍ବାହୀ ଅଧିକାରୀ ଶ୍ରୀ ପରିଜାଙ୍କ ସୂଚନା ଅନୁଯାୟୀ, ଗତ ବର୍ଷ ଅପ୍ରେଲ ମାସରେ ଶେଷଥର ପାଇଁ ହୁଣ୍ତି ଖୋଲାଯାଇଥିଳା। କୋଭିଡ୍‌ କଟକଣା ଉଠିବା ପରେ ମନ୍ଦିରରେ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ଅନ୍ୟୂନ ୧୦ ଲକ୍ଷ ଟଙ୍କା ଚୋରି ଯାଇଥିବା ଆକଳନ କରାଯାଉଛି। ଏ ବିଷୟରେ ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ତିର୍ତୋଲ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ଢିଲା ସୁରକ୍ଷା ବ୍ୟବସ୍ଥା, ବେପରୁଆ ପ୍ରଶାସନ ପ୍ରଭୁଙ୍କ ଅନୁସରଣରେ ଅଧିଆ ପଡିଥିବା ଝାଡେଶ୍ବରପୁର ଅଂଚଳର ସତ୍ୟଭାମା ବାରିକ ଚୋରମାନେ ଚୋରି କରିନେଉଥିବା ଜାଣି ଉଠିପଡ଼ି ପାଟି କରିବାରୁ, ଧରାପଡିଯିବା ଭୟରେ ଦୁର୍ବୁତ୍ତମାନେ ତିନିଟି ବସ୍ତାରେ ଟଙ୍କା ନେଇ ପଳାଇ ଯାଇଥିବା କୁହାଯାଉଛି। ତେବେ ଚୋରି ଫଳରେ ମନ୍ଦିରର ଢିଲା ସୁରକ୍ଷା ବ୍ୟବସ୍ଥା ପଦାରେ ପଡ଼ିଛି। ହଜାର ହଜାର ଶ୍ରଦ୍ଧାଳୁଙ୍କ ଅନୁଦାନରେ ଠାକୁରଙ୍କ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତିକୁ ଖୋଲାମେଲାରେ କିପରି ଛାଡ଼ି ଦିଆଯାଇଛି ଓ ମନ୍ଦିର ପରିଚାଳନା କର୍ତୃପକ୍ଷ କେତେ ବେପରୁଆ ତାହା ଏଥିରୁ ପ୍ରମାଣିତ ହେଉଛି। ଅନେକ ବିଶ୍ବାସ ନେଇ ବିଭନ୍ନ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଦାନ କେଉଁଠି ହରିଲୁଟ୍‌ କରାଯାଉଛି ତ କେଉଁଠି ଅସୁରକ୍ଷିତ ଭାବେ ଚୋର ହାତକୁ ଟେକି ଦିଆଯାଉଛି ବୋଲି ସ୍ଥାନୀୟ ଗ୍ରାମବାସୀ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ଏହି ଚୋରି ଘଟଣା ପୁଲିସ୍‌ ପାଇଁ ମଧ୍ୟ ଚାଲେଂଜ୍‌ ସୃଷ୍ଟି କରିଛି। ନିୟମିତ ବ୍ୟବଧାନରେ ଛପଡ଼ା ଅଞ୍ଚଳରେ ଛିନ୍‌ତାଇ, ମାଦକ ଦ୍ରବ୍ୟର ଚୋରା କାରବାରରେ ସଂପୃକ୍ତ ଅସାମାଜିକଙ୍କ ଆଡ଼ା ଜମୁଥିବା ବେଳେ ଏପର୍ଯ୍ୟନ୍ତ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଶୂନ। ସୂଚନାଯୋଗ୍ୟ ଗତକାଲି ମଙ୍ଗଳବାର ମଧ୍ୟ ରାତ୍ରରେ ଏହି ଚୋରି ହୋଇଥିବା ସିସିଟିଭି ଫୁଟେଜ୍‌ରୁ ଠାକୁରଙ୍କ ସମ୍ମୁଖରେ ଥିବା ୩ ଟି ହୁଣ୍ତି ମଧ୍ୟରୁ ୨ ନମ୍ବର ମୁଖ୍ୟ ହୁଣ୍ତିକୁ ଶାବଳରେ ତାଡ଼ି ୩ ଜଣ ଅଖାରେ ଟଙ୍କା ଭର୍ତ୍ତି କରି ନିର୍ଭୟରେ ଚାଲି ଯାଉଛନ୍ତି। ଏହା ପୂର୍ବରୁ ପ୍ରାୟ ୩ ବର୍ଷ ପୂର୍ବେ ଗୋରେଖନାଥ ମନ୍ଦିରରୁ ଏପରି ବଡ଼ଧରଣର ଚୋରି ହୋଇଥିଲା। ବାରମ୍ବାର ଚୋରି ଫଳରେ ଶ୍ରଦ୍ଧାଳୁଙ୍କ ମନରେ ଗଭୀର ରେଖାପାତ କରୁଛି। ଗତବର୍ଷ ଅଗଷ୍ଟ ପରଠାରୁ ଦୀର୍ଘ ୧୦ ମାସ ମଧ୍ୟରେ ଅଗ୍ନିଉତ୍ସବ, ଆଠଦିନ ବ୍ୟାପୀ ଯଜ୍ଞଉତ୍ସବ, ପଣା ସଂକ୍ରାନ୍ତି ଓ ରଜ ସଂକ୍ରାନ୍ତି ଭଳି ବହୁ ପର୍ବପର୍ବାଣିରେ ଶ୍ରଦ୍ଧାଳୁ ଭକ୍ତମାନେ ଆସି ପ୍ରଭୁଙ୍କ ଦାନବାକ୍ସରେ ଦାନଅର୍ଥ ପକାଇଥିଲେ। କିନ୍ତୁ ହୁଣ୍ଡି ଖୋଲାଯାଇ ପ୍ରଭୁଙ୍କ ନାମରେ ଥିବା ଆକାଉଣ୍ଟରେ କାହିଁକି ସେ ଟଙ୍କା ଜମା ରଖାଗଲା ନାହିଁ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି। ପୀଠରେ ପ୍ରଥମଥର ପାଇଁ ଏତେ ପରିମାଣରେ ଟଙ୍କା ଚୋରି ହୋଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏଥିରେ ସ୍ଥାନୀୟ ବ୍ୟକ୍ତିଙ୍କ ସମ୍ପୃକ୍ତିକୁ ଏଡ଼ାଇ ଦିଆଯାଇ ନପାରେ।

ସମ୍ବନ୍ଧିତ ଖବର