ଜଗତସିଂହପୁର: ପାରାଦୀପ-ପୁରକୁ ଦୈନିକ ସକାଳେ ଯାଉଥିବା ଶିବଶକ୍ତି ନାମକ ଏକ ଯାତ୍ରୀବାହୀ ବସ୍ର ଚାଳକ ଓ କଣ୍ଡକ୍ଟରଙ୍କୁ ମୃଦୁ ପାନୀୟରେ ନିଶା ଦେଇ ଲୁଟ୍ କରାଯାଇଥିବା ଅଭିଯୋଗ ହୋଇଛି। ତେବେ ସମସ୍ତ ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବସ୍ର ହେଲ୍ପର୍ ବୋଲି ସନ୍ଦେହ କରାଯାଉଛି। ଏହି ଘଟଣା ଘଟିବା ପରଠାରୁ ହେଲ୍ପରର ଦେଖାଦର୍ଶନ ନଥିବାରୁ ଲୁଟ ଘଟଣାରେ ତା’ର ସମ୍ପୃକ୍ତି ଥିବା ଅନୁମାନ କରାଯାଉଛି। ନିଶା ଖାଇ ଗୁରୁତର ହୋଇପଡ଼ିଥିବା ଉଭୟ ଚାଳକ ଓ କଣ୍ଡକ୍ଟରଙ୍କୁ ଅଠରବାଙ୍କୀ ସ୍ଥିତ ବିଜୁ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ଗତକାଲି ଏହି ବସ୍ ପୁରୀରୁ ପାରାଦୀପ ଭାୟା ଜଗତସିଂହପୁର ରାସ୍ତାରେ ଆସିଥିଲା। ଅସ୍ତରଙ୍ଗ ମାଧପୁର ଛକରେ ଜଣେ ଯୁବକ ବସ୍କୁ ଉଠିଥିଲେ। ଏହି ଯୁବକ ଜଣକ ପେସାରେ ଜଣେ ଚାଳକ ବୋଲି ନିଜକୁ ପରିଚୟ ଦେଇଥିଲେ। ସେ ହେଲପରଙ୍କ ପରିଚିତ ହୋଇଥିବାରୁ ଚାଳକ ରଘୁନାଥ ଦାସ ଓ କଣ୍ଡକ୍ଟର ବେଣୁଧର ତ୍ରିପାଠୀଙ୍କ ସହ ଖୁବକମ୍ ସମୟ ମଧ୍ୟରେ ମିଶି ଯାଇଥିଲା।
ପାରାଦୀପରେ ବସ୍ ପହଞ୍ଚିବା ପରେ ବେଣୁଧର ଟଙ୍କା ହିସାବ କରି ଏକ ବାକ୍ସରେ ରଖିଥିଲେ। ଏହାପରେ ପ୍ରତ୍ୟେକ ଦିନ ପରି ବସଟି ଧୋଇବା ପାଇଁ ସେ ହେଲପରକୁ କହିଥିଲେ। ମାତ୍ର ବସ୍ ଧୋଇବା ପୂର୍ବରୁ ଟିକିଏ ମୃଦୁ ପାନୀୟ ପିଇବା ବୋଲି ଉକ୍ତ ଯୁବକ ଓ ହେଲପର କହିଥିଲେ। ଏହାପରେ ଦୁଇ ଜଣ ଯାକ ଏକ ମୃଦୁ ପାନୀୟ ବୋତଲ ଆଣି ବସକୁ ଆସିଥିଲେ। ବସରେ ବସିଥିବା ରଘୁନାଥ ଓ ବେଣୁଧରଙ୍କୁ ସେମାନେ ଏହି ମୃଦୁ ପାନୀୟ ପିଇବାକୁ ଦେଇଥିଲେ। ଏହାର କିଛି ସମୟ ପରେ ଦୁଇ ଜଣ ଯାକ ଅଚେତ ହୋଇପଡ଼ିଥିଲେ। ଆଜି ସକାଳୁ ନିର୍ଦ୍ଦିଷ୍ଟ ସମୟରେ ବସଟି ନ ବାହାରିବାରୁ ଯାତ୍ରୀ ଓ ଅନ୍ୟ ବସ୍ ଚାଳକଙ୍କର ସନ୍ଦେହ ହୋଇଥିଲା। ସେମାନେ ବସ୍ ନିକଟରେ ପହଞ୍ଚି ଦେଖନ୍ତି ଯେ, ଏହି ଦୁଇ ଜଣ ଗଭୀର ନିଦ୍ରାରେ ଶୋଇଛନ୍ତି। ସେମାନଙ୍କୁ ଯେତେ ଡାକିଲେ ମଧ୍ୟ ଉଠୁନଥିଲେ। କିଛି ସମୟ ପରେ ରଘୁନାଥଙ୍କର ଚେତା ଆସିଥିଲା। ମାତ୍ର ସେ ଠିକ୍ ଭାବେ କିଛି କହିପାରୁନଥିଲେ। ବେଣୁଧରଙ୍କର ଅବସ୍ଥା ଖରାପ ଥିବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ସମସ୍ତେ ହେଲପରଙ୍କୁ ଖୋଜିବାରୁ ତାଙ୍କର ପତ୍ତା ନଥିଲା। ଏହି ସମୟରେ ବସରେ ଭିତରେ ଥିବା ବାକ୍ସ ତଡ଼ା ଯାଇଥିବା ବେଳେ ସେଥିରେ ଥିବା ୧୦ ହଜାର ଓ ଚାଳକଙ୍କ ଦରମା ଲୁଟ୍ ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଏ ନେଇ ଅପରାହ୍ନରେ ଏକ ଏତଲା ଦିଆଯାଇଥିଲେ ମଧ୍ୟ ଏଥିରେ ସବିଶେଷ ବିବରଣୀ ନଥିବାରୁ ପୁଲିସ ବସ୍ ମାଲିକଙ୍କୁ ସନ୍ଧ୍ୟାରେ ଥାନାକୁ ଡକାଇଛି। ବର୍ତ୍ତମାନ ଏ ନେଇ ମାମଲା ରୁଜୁ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବ ବୋଲି କହିଛି।