ଚାଲିଥିଲା ସିରିଜ୍ ଚୋରି, ଧରାପଡିଲା ଗ୍ୟାଙ୍ଗ୍; ୧୬ ଅଭିଯୁକ୍ତ ଭିତରେ ୯ ନାବାଳକ

୫ ଲକ୍ଷ ଟଙ୍କାର ‌ଗ୍ରୋସରୀ ଓ ୧୫ ମୋବାଇଲ୍ ଜବତ; ସୁନା ଚେନ୍, ଲାପଟପ୍, ଟିଭି ଜବତ

ଜୟପୁର: ଜୟପୁର ଟାଉନ ଓ ସଦର ଥାନା ଅଞ୍ଚଳରେ ଗତ ସପ୍ତାହ ଧରି ସିରିଜ୍ ‌ଚୋରି ଚାଲିଛି। ଏହି ସିରିଜ୍ ଚୋରି କରୁଥିବା ଗ୍ୟାଙ୍ଗ୍‌କୁ ପୁଲିସ କାବୁ କରିଥିବା ବେଳେ ସେମାନଙ୍କ ଠାରୁ ଚୋରି ସାମଗ୍ରୀ ଜବତ କରିଛି। ସୁନା ଚେନ୍ ଠାରୁ ଆରମ୍ଭ କରି ଟିଭି, ଲାପଟପ୍ ଓ ଆଦି ସାମଗ୍ରୀ ଜବତ ହୋଇଛି। ଲୋକଙ୍କ ମୁହଁରେ ସ୍ପ୍ରେ କରି ଦିନ ଦ୍ବିପହରେ ଲୁଟି ନେଉଥିବା ବେଳେ ରାତିରେ ତାଲା ଭାଙ୍ଗି ଦୋକାନ ଘର ଖାଲି କରି ଦେଉଥିଲେ। ଏହି ଗ୍ୟାଙ୍ଗକୁ ଯୁବକମାନେ ଚଳାଉଥିବା ବେଳେ ଏଥିରେ ନାବାଳକଙ୍କୁ ମଧ୍ୟ ସାମିଲ କରୁଥିଲେ। ଜୟପୁର ସଦର ଓ ଟାଉନ ଥାନା ଅଞ୍ଚଳରେ ବିଭିନ୍ନ ଚୋରି ମାମଲାରେ ପୁଲିସ ଆଜି ୧୬ ଜଣକୁ ଗିରଫ କରିଛି ସେଥି ମଧ୍ୟରେ ୯ ଜଣ ନାବାଳକ ରହିଛନ୍ତି। ଏଥିସହ ‌ଚ‌ୋରି ହୋଇଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ଓ ଟଙ୍କା ଜବତ ହୋଇଥିବା ଜୟପୁର ଏସ୍‌ଡିପିଓ ଅରୂପ ଅଭିଶେଖ ବେହେରା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଜୟପୁର ସଦରଥାନା ଅନ୍ତର୍ଗତ ତେଳିଗୁଡା ଅଞ୍ଚଳର ଦେବାଶିସ ଭଞ୍ଜ ଦେବଙ୍କ ଦୋକାନରେ ଗତ ୨୧ ତାରିଖ ରାତ‌ିରେ ଦୁର୍ବୁତମାନ‌େ ତାଲା ଭାଙ୍ଗି ଭିତରେ ପଶିଥିଲେ। ସିସିଟିଭି କ୍ୟାମେରାକୁ ଭାଙ୍ଗିବା ସହ ଦୋକାନରୁ ୧୨ ହଜାର ଟଙ୍କା, ୧୦ଟି ନୂଆ ମୋବାଇଲ୍, ୧୫ଟି ପୁରୁଣା ମୋବାଇଲ୍ ପାଖାପାଖି ୫ ଲକ୍ଷ ଟଙ୍କାର ଗ୍ରୋସରୀ ସାମଗ୍ରୀ ଚୋରିକରି ନେଇଥିଲେ। ଏନେଇ ଦେବାଶିସ୍ ସଦର ଥାନାରେ ଅଭିଯୋଗ କରିଥିଲେ, ଏହାକୁ ଭିତ୍ତି କରି ଥାନାରେ ୧୦୮/୨୧ ନମ୍ବରରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା।

ସିସିଟିଭ୍ ଫୁଟେଜ ଯାଞ୍ଚ ପରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଗ‌ୋଟିଏ ପରେ ଗୋଟିଏ ଚୋରକୁ କାବୁ କରିବାରେ ଲାଗିଥିଲେ। ଏହାରେ ଚୋରିର ଗୁମର ଫିଟିବାରେ ଲାଗିଥିଲା ଓ ଗ୍ୟାଙ୍ଗ୍ ବିଷୟରେ ଜଣାପଡିଥିଲା। ଏହି ମାମାଲାରେ ପୁଲିସ ୧୦ ଜଣକୁ ଗିରଫ କରିଥିବା ବେଳେ ସେଥିମଧ୍ୟରୁ ୫ ଜଣ ନାବାଳକ ରହିଛନ୍ତି। ଅଭିଯୁକ୍ତମାନେ ହେଲେ ସ୍ଥାନୀୟ ଇରିଗେସନ୍ କଲୋନୀର ରମେଶ ଖରା (୧୯), କୁନ୍ଦାରୀଗୁଡା ଅଞ୍ଚଳର କରନ ମୁଦୁଲି (୧୯), ପାରାବେଡା ଅଞ୍ଚଳର ସୂର୍ଯ୍ୟ ବିଶୋୟୀ (୪୨), ଡଙ୍ଗାଗୁଡା ଅଞ୍ଚଳର ରାହୁଲ ମାଛ (୨୧) ଓ ଜାମୁଣ୍ଡା ଅଞ୍ଚଳର ଶଙ୍କର ଖରା (୧୯)। ଅଭିଯୁକ୍ତମାନଙ୍କ ଠାରୁ ୫ ଲକ୍ଷ ଟଙ୍କାର ଗ୍ରୋସରୀ ସାମଗ୍ରୀ, ୧୪ଟି ନୂଆ ମୋବାଇଲ୍, ୧୫ଟି ପୁରୁଣା ମୋବାଇଲ୍, ୨ଟି ଲାପଟପ୍, ଗୋଟିଏ କେସିଓ, ଗୋଟିଏ ଏଲ୍‌ଇଡି ଟିଭି, ୫୦ ହଜାର ଟଙ୍କାର ପୋଷାକ ଓ ଟିଭିଏସ୍‌ ଏକ୍ସଲ୍ ଗାଡି ଜବତ କରିଛନ୍ତି। ଏହି ଗ୍ୟାଙ୍ଗ୍ ଜୟପୁର ସଦରଥାନାରେ ୩ଟି ଚୋରି ୧୦୮/୨୧, ୧୦୯/୨୧, ୮୮/୨୧ ନମ୍ବର ମାମଲା, ଜୟପୁର ଟାଉନଥାନାର ୧୨୩/ ୨୧ ନମ୍ବର ମାମଲା ଓ ସୁନାବେଡା ଥାନାର ୭୮/୨୧ ନମ୍ବର ଚୋରି ମାମଲାରେ ସଂପୃକ୍ତି ରହିଥିବା ସଦରଥାନା ଅଧିକାରୀ ଆଦିତ୍ୟ ମହାକୁର କହିଛନ୍ତି। ପ୍ରକାଶ ଥାଉକି ଗତ ୨୨ ତାରିଖ ରାତିରେ ଉମୁରୀ ଗ୍ରାମର ଆଶୁତୋଶ ସ୍ବାଇଁ ନିଜର ଲାପଟପକୁ ଝରକା ପାଖରେ ରଖିଥିଲେ। ଏହି ଗ୍ୟାଙ୍ଗ୍ ଝରକା ଭାଙ୍ଗି ଲାପଟପ୍ ଚ‌ୋରି କରି ନେଇଥିଲେ। ଏଥିସହ ଗତ ମେ ମାସ ୧୮ ତାରଖିରେ ମକାପୁଟ ସ୍ଥିତ ସେବାଶ୍ରମ ବାଳିକା ଉଚ୍ଚ ବିଦ୍ୟାଳୟର ପରିସରରେ ଥିବା କ୍ବାଟରେ ଜଣେ ଶିକ୍ଷକଙ୍କ ଘରୁ ଏଲ୍‌ଇଡି ଟିଭ୍ ଚୋରି କରି ନେଇଥିଲେ।

Sambad

ସେହିପରି ଜୟପୁର ଟାଉନ ଥାନା ଅନ୍ତର୍ଗତ ଏମ୍‌ଜିରୋଡର ଜି. ସାହିତିଙ୍କ ଘରେ ଗତ ୨୩ ତାରିଖ ପୂର୍ବାହ୍ନ ୧୦ଟା ବେଳେ ୩ ଜଣ ଯୁବକ ପଶିଥିଲେ। ଜଣେ ଘର ଦ୍ବାର ନିକଟରେ ଥିବା ‌ବେଳେ ୨ ଜଣ ଯୁବକ ଭିତରକୁ ଯାଇ ସାହିତିଙ୍କ ମୁହଁକୁ ପିପର ସ୍ପ୍ରେ କରି ସୁନା ଚେନ୍ ଲୁଟି ନେଇଥିଲେ। ଏନେଇ ସାହିତିଙ୍କ ଅଭିଯୋଗ କ୍ରମେ ଟାଉନ ଥାନାରେ ୧୪୮/୨୧ ନମ୍ବରରେ ମାମଲା ରୁଜୁ କରି ପୁଲିସ ତଦନ୍ତ କରିଥିଲେ। ଏହି ମାମଲାରେ ୩ ଜଣ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଜଣେ ନାବାଳକ ରହିଛନ୍ତି। ଅଭିଯୁକ୍ତ ହେଲେ ସ୍ଥାନୀୟ ଏମ୍‌ଜି ରୋଡର ଜି. ଉତେଜ୍ (୨୦) ଓ ନୂଆସାହିର ଟି ମାଣିକଣ୍ଟା (୨୧)। ସେମାନଙ୍କ ଠାରୁ ଗୋଟିଏ ସୁନା ଚେନ୍, ୨ଟି ଛୁରୀ, ଗୋଟିଏ ଖଣ୍ଡା, ମାସ୍କ, ପିପିର ସ୍ପ୍ରେ ଓ କ୍ଲୋରଫର୍ମ ଭଳି ରାସାୟନିକ ପଦାର୍ଥ ମିଳିଛି।

ସେହିପରି ଟାଉନଥାନା ଅନ୍ତର୍ଗତ ଦ୍ବିତୀୟ ଦୈନିକ ବଜାରରେ ଶୁଖୁଆ ଦେକାନ କରିଥିବା ପାର୍ବତୀ ବେହେରା ସଟ୍‌ଡାଉନ ୨ ଦିନ ହେବ ବୋଲି ଦ‌ୋକାନରେ ୨ ଲକ୍ଷ ଟଙ୍କା ରଖି ଯାଇଥିଲେ। ତାଙ୍କ ଦୋକାନର ତାଲା ଭାଙ୍ଗି ୨ ଲକ୍ଷ ଟଙ୍କା ଓ ଗୋଟିଏ କାନଫୁଲ ଚୋରି କରି ନେଇଥିଲେ। ଏନେଇ ୧୨୦/୨୧ ମାମଲା ରୁଜୁ କରି ଟାଉନ ପୁଲିସ ଜଣେ ନାବାଳକକୁ ଧରିଥିବା ବେଳେ ତା’ ଠାରୁ ୩୮ ହଜାର ଟଙ୍କା ଜବତ ହୋଇଛି। ସେହିପରି ଗତ ବର୍ଷ ଅକ୍ଟୋବର ମାସରେ ସ୍ଥାନୀୟ ସତୀଗୁଡା ଛକ ଠାରେ ଡକାୟତି ଯୋଜନା କରୁଥିବା ଖବର ପାଇଁ ପୁଲିସ ତାହାକୁ ପଣ୍ଡ କରିଥିଲା। ସେହି ମାମଲାରେ ପୁଲିସ ପୂର୍ବରୁ ୪ ଜଣକୁ ଗିରଫ କରିଥିବା ବେଳେ ଏବେ ୨ ଜଣ ନାବାଳକ ଧରାପଡିଛନ୍ତି ବ‌ୋଲି ଟାଉନ ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ କହିଛନ୍ତି।

ସମ୍ବନ୍ଧିତ ଖବର