ଆଳି: ଗତକାଲି ରାତିରେ ଆଳି ଥାନା ରସୁଲପୁର ବସ୍ତିର ଓ୍ବାହିଦ ଖାଁଙ୍କ ଘରୁ ଚୋରି ହୋଇଥିବା ଆଳି ଥାନାରେ ଅଭିଯୋଗ ହୋଇଛି। ଘରେ କେହି ନ ଥିବାର ସୁଯୋଗ ନେଇ ଚୋରମାନେ ଘରର ପଛ କବାଟ ତାଡି ଘରୁ କଳାକନା ବୁଲାଇ ଦେଇଛନ୍ତି। ଓ୍ବାହିଦ ଆଳି ଥାନାରେ କରିଥିବା ଅଭିଯୋଗ ପତ୍ରରେ ଜଣାଇଛନ୍ତି ଯେ, ନିଜର ସଂପର୍କୀୟଙ୍କ ବିବାହ ଉତ୍ସବରେ ଯୋଗଦେବା ପାଇଁ ତାଙ୍କର ସମୁଦାୟ ପରିବାର ସଦସ୍ୟମାନେ ଭୁବନେଶ୍ୱର ଯାଇଥିଲେ। ଏହି ସୁଯୋଗରେ ଚୋରମାନେ ତାଙ୍କ ଘରର ପଛ କବାଟ ଭାଙ୍ଗି ଘର ଭିତରେ ପ୍ରବେଶ କରିଛନ୍ତି। ଘରେ ଥିବା ଆଲମିରା ଭାଙ୍ଗି ଭିତରେ ଥିବା ଅଳଙ୍କାର ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ସମେତ ନଗଦ ୭୦ ହଜାର ଟଙ୍କା ଚୋରି କରି ନେଇଛନ୍ତି।

Advertisment

ପ୍ରାୟ ୧୪ ଭରିରୁ ଉର୍ଦ୍ଧ୍ବ ଓଜନର ସୁନା ଅଳଙ୍କାରର ମୂଲ୍ୟ ୭ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ହେବ। ଅଭିଯୋଗ ପତ୍ର ପାଇବା ପରେ ଆଳି ଥାନା ଅଧିକାରୀ ସଲୀଳ କୁମାର ପ୍ରଧାନ ଘଟଣାସ୍ଥଳରେ ତଦନ୍ତ କରି ଫେରିଛନ୍ତି। ଗୃହକର୍ତ୍ତା ଓ୍ବାହିଦ ଅଭିଯୋଗ ପତ୍ରରେ ଜନୈକ ସନ୍ଦିଗ୍ଧଙ୍କ ନାମ ଉଲ୍ଲେଖ କରିଥିବାରୁ ପୁଲିସ ଏ ସମ୍ପର୍କରେ ତଦନ୍ତ ଜାରି ରଖି ସନ୍ଧାନୀ କୁକୁର ସହାୟତା ନେବା ପାଇଁ ଚିନ୍ତା କରୁଥିବା ଜଣାପଡିଛି।