ରାୟଗଡାରେ ଚୋର ଓ ପୁଲିସର ଲୁଚକାଳି ଖେଳ; ସିସିଟିଭିକୁ ଅନ୍ୟଆଡେ ବୁଲାଇ ମୋବାଇଲ ଦୋକାନରୁ ଚୋରି

ରାୟଗଡା: ରାୟଗଡାରେ ଅପରାଧ ନିୟନ୍ତ୍ରଣ କରିବାରେ ସହାୟକ ହେବ ବୋଲି ସହରର ମୁଖ୍ୟ ସ୍ଥାନ ଗୁଡିକରେ ସିସିଟିଭି ଖଞ୍ଜିଥିଲା ପୁଲିସ। ହେଲେ ଚୋରି କରିବାକୁ ଦୁଇ ପାଦ ଆଗକୁ ଯାଇ ସିସିଟିଭିର ଦିଗ ବଦଳାଇ ଦେଇ କଳାକନା ବୁଲାଇ ଦେଉଛନ୍ତି ଦୁର୍ବୁତ୍ତ। ଏଭଳି ଘଟଣା ଘଟିଛି ରାୟଗଡା ସହରରେ। ଗତକାଲି ବିଳମ୍ବିତ ରାତ୍ରରେ ରାୟଗଡା ସହରର ରୟତ କଲୋନୀ ପ୍ରଥମ ଗଳି ଛକରେ ଥିବା ଏସଭି ମୋବାଇଲ ପଏଣ୍ଟ ଦୋକାନରୁ ବିଭିନ୍ନ ବ୍ରାଣ୍ଡର ଲକ୍ଷାଧିକ ଟଙ୍କାର ଦାମୀ ମୋବାଇଲ ସହ ମରାମତି ପାଇଁ ଗ୍ରାହକ ଦେଇଥିବା ମୋବାଇଲ ଗୁଡିକୁ ମଧ୍ୟ ଚୋରି କରି ନେଇଥିବା ପ୍ରକାଶ କରିଛନ୍ତି ଦୋକାନ ମାଲିକ ଏସ୍‌. ସନ୍ତୋଷ କୁମାର। ଆଜି ଶୁକ୍ରବାର ସକାଳେ ସନ୍ତୋଷଙ୍କ ମୋବାଇଲ ଦୋକାନକୁ ଲାଗି ରହିଥିବା ତେଜରାତି ଦୋକାନୀ ନିଜ ଦୋକାନ ଖୋଲିବା ସମୟରେ ମୋବାଇଲ ଦୋକାନର ସଟର ଭଙ୍ଗା ହୋଇଥିବା ଦେଖି ତୁରନ୍ତ ସନ୍ତୋଷକୁ ଜଣାଇଥିଲେ। ଖବର ପାଇ ସନ୍ତୋଷ ନିଜ ଦୋକାନକୁ ଆସି ସଟର ଭଙ୍ଗା ହୋଇ ଦୋକାନରୁ ଚୋରି ହୋଇଥିବା ଜାଣି ସ୍ଥାନୀୟ ପୁଲିସ ଥାନାରେ ଅଭିଯୋଗ କରିଥିଲେ।

Sambad

ଏନେଇ  ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଥିବା ବେଳେ ରୟତ କଲୋନୀ ଛକରେ ଲାଗିଥିବା ୨ଟି ସିସିଟିଭି କ୍ୟାମେରା ମଧ୍ୟରେ ମୋବାଇଲ ଦୋକାନ ପଟକୁ ଦୃଶ୍ୟ ଉତୋଳନ କରୁଥିବା ଗୋଟିଏ ସିସିଟିଭିକୁ ପଛପଟକୁ ଦୁର୍ବୁତ ମାନେ ବୁଲାଇ ଦେଇଥିବା ଦେଖିବାକୁ ମିଳିଛି। ଦୋକାନ ସମ୍ମୁଖରେ ଥିବା ଏକ ଘରୋଇ ବିଦ୍ୟାଳୟରେ ଖଞ୍ଜା ଯାଇଥିବା ସିସିଟିଭି ଫୁଟେଜରେ ବିଳମ୍ବିତ ରାତ୍ରରେ କେହି ୩ଜଣ ଛକରେ ଏକ ସ୍ଥାନରେ ଠିଆ ହୋଇଥିବା ଦୃଶ୍ୟ କଏଦ ହୋଇଛି। ତେବେ ସଟର ତାଡି ଦୋକାନରୁ ଯଦି ସବୁ ଚୋର ନେଇ ଯିବେ ତାହାହେଲେ କିଭଳି ମୁଁ ସ୍ୱାବଲମ୍ବୀ ହେବି ବୋଲି ଚୋରି ହୋଇଥିବା ମୋବାଇଲ ଦୋକାନୀ ସନ୍ତୋଷ ପ୍ରଶ୍ନ କରିଛନ୍ତି। ମୋର ସର୍ବସ୍ବ ଚୋର ନେଇ ଯାଇଥିବା ସେ ଦୁଃଖର ସହ କହିଥିଲେ। ବହୁ କଷ୍ଟରେ ସେ ଏହି ଦୋକାନ କରି ଚଳୁଥିଲେ। ଜିଲ୍ଲାରେ ଚୋରଙ୍କ ଦୋରାତ୍ମ୍ୟ ଦିନକୁ ଦିନ ବଢୁଥିବା ବେଳେ ପୁଲିସ ଏହାକୁ ରୋକିବାରେ ଅସମର୍ଥ ଦେଖାଯାଉଛି। ରାୟଗଡା ସହର ଗୋଟିଏ ପଟେ ପୁଲିସ ପଇଁତରା ମାରୁଥିବା ବେଳେ ଅନ୍ୟପଟେ ଚୋର ଘର ଏବଂ ଦୋକାନ ସଫା କରି ଦେଉଛନ୍ତି। ପୁଲିସର କଡା କାର୍ଯ୍ୟାନୁଷ୍ଠାନ ସାଧାରଣରେ ଦାବି କରାଯାଇଛି।

ସମ୍ବନ୍ଧିତ ଖବର