କରୋନା କାଳରେ ଆତ୍ମନିର୍ଭର: ରୋଜଗାର ଯୋଗାଉଛି ଗାଈ ଗୋବରରୁ ପ୍ରସ୍ତୁତ ଦୀପ

ଛତ୍ରପୁର: କରୋନାଜନିତ ସମସ୍ୟା କାରଣରୁ ସାଧାରଣ ଜୀବନ ପ୍ରଭାବିତ ହୋଇଯାଇଛି। ରୋଜଗାର ହରାଇ ଅନେକ ଚିନ୍ତାରେ ପଡ଼ିଛନ୍ତିି। ରାଜ୍ୟ ବାହାରେ କାମ କରିବାକୁ ଯାଇଥିବା ଯୁବକ ଗ୍ରାମକୁ ଫେରିଥିଲେ ମଧ୍ୟ ସେମାନଙ୍କୁ ଠିକ ଭାବେ କାମ ମିଳୁନାହିଁ। ରୋଜଗାର ସମସ୍ୟା ଯୋଗୁଁ ପରିବାର ପେଟପାଟଣାର ଚିନ୍ତାର କାରଣ ପାଲଟିଛି।

ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବାବେଳେ କେତେକ ବ୍ୟବସାୟୀଙ୍କ ଉପରେ କଟକଣା କୋହଳ କରାଯାଇଛି। କେତେକ ଯୁବକ ଯୁବତୀ କାମ ଧନ୍ଦା ପାଇଥିବାବେଳେ ଆଉ କେତେ ବାହାର ରାଜ୍ୟକୁ ପଳାଇବାରେ ଲାଗିଛନ୍ତି। କରୋନା ମହାମାରୀ ଯୋଗୁଁ ଚାଷୀଙ୍କଠାରୁ ଆରମ୍ଭ କରି ସମସ୍ତ ବର୍ଗର ଲୋକମାନେ ବିଭିନ୍ନ ସମସ୍ୟାରେ ଗତି କରିଆସୁଛନ୍ତି । ଏଭଳି ସ୍ଥିତିରେ ଗାଇ ଗୋବରରୁ ର୍ନିମିତ ଦୀପ ଅନେକଙ୍କୁ ରୋଜଗାର ଯୋଗାଇଦେବା ମାଧ୍ୟମ ପାଲଟିଛି।

ରାତି ପାହିଲେ ଦୀପାବଳି ପର୍ବ ଆସୁଥିବାରୁ ଦୀପର ଚାହିଦା ଓ ବିକ୍ରି ବୃଦ୍ଧି ପାଉଥିବାରୁ ଯୁବକମାନଙ୍କ ଉତ୍ସାହ ବୃଦ୍ଧି ପାଇଛି। ଏଭଳି ପରିପ୍ରେକ୍ଷୀରେ ଗଂଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଳିଙ୍ଗି ପଂଚାୟତର କରାତଳି ଗ୍ରାମର ତିଅର ସାହି ନିବାସୀ ଗଣେଶ ବେହେରା ଦେଶୀ ଗାଈ ଗୋବରରୁ ଦୀପ ପ୍ରସ୍ତୁତ କରି ନିଜେ ରୋଜଗାରକ୍ଷମ ହେବା ସହ ୧୫ରୁ ଉର୍ଦ୍ଧ୍ୱ ମହିଳାମାନଙ୍କୁ ମଧ୍ୟ ରୋଜଗାର ଯୋଗାଇଛନ୍ତି। ରାତି ପାହିଲେ ଦୀପାବଳି ଆସୁଥିବାରୁ ନୂତନ ପ୍ରକାର ଦୀପ ପ୍ରସ୍ତୁତ କରି ଛତ୍ରପୁର, ବ୍ରହ୍ମପୁର, ଭଦ୍ରକ, ତାଳଚେର ଅଂଚଳକୁ ପ୍ରସ୍ତୁତ କରି ପଠାଇଛନ୍ତି।

ଶ୍ରୀ ଗୋ ବିଜ୍ଞାନ ଫାଉଣ୍ଡେସନ ପକ୍ଷରୁ ଦିଆଯାଇଥିବା ତାଲିମରୁ ଅନୁସରଣ କରି ଗଣେଶ ଗାଇ ଗୋବରରୁ ଦୀପ ପ୍ରସ୍ତୁତି ବ୍ରହ୍ମି କମ୍ପୋଷ୍ଟ ଓ ସୈନ୍ଦୀବ ଲବଣ ପ୍ରସ୍ତୁତି କରିବା ଶିକ୍ଷା ଲାଭ କରିଥିଲେ। ପରେ ଓଡ଼ିଶାରେ ଏକ ଗୋଶାଳା ସହିତ ଯୋଗାଯୋଗ କରି ଦୀପ ପ୍ରସ୍ତୁତି ପାଇଁ ହେଉଥିବା ସାମଗ୍ରୀ ମଗାଇଥିଲେ। ଦୀପ ପ୍ରସ୍ତୁତି ପାଇଁ ନିଜ ଗୁହାଳରୁ ବାହାରୁଥିବା ଚାରୋଟି ଦେଶୀ ଗାଇଙ୍କ ଗୋବରକୁ ପ୍ରଥମେ ଶୁଖାଇ ତାକୁ ଗୁଣ୍ଡ କରି ସେଥିରେ କ୍ରିମିକ୍ସ ପାଉଡର (ତେନ୍ତୁଳି ଓ ଗୁଆଁର ମଞ୍ଜି ଗୁଣ୍ଡ ଏବଂ ସିଲିକେଟ ମିଶ୍ରଣ) ମିଶାଇ ମହିଳା ସ୍ୱୟଂସହାୟକ ଗୋଷ୍ଠୀର ମା’ମାନେ ହାତରେ ଆଧୁନିକ ଧରଣର ଦୀପ ପ୍ରସ୍ତୁତ କରିଆସୁଛନ୍ତି। ଏହା ସହ ସୈନ୍ଧବ ଲବଣ ମଧ୍ୟ ପ୍ରସ୍ତୁତ କରୁଛନ୍ତି।

ଗାଈ ଗୋବରରୁ ପ୍ରସ୍ତୁତ ଦୀପ ପରିବେଶ ଅନୁକୁଳ ଓ ଆକର୍ଷଣ ହୋଇଥିବାରୁ ଲୋକଙ୍କ ମଧ୍ୟରେ ଚାହିଦା ବୃଦ୍ଧି ପାଇଛି। ଗଣେଶ ପ୍ରାୟ ଏକ ବର୍ଷ ହେଲା ଏହି ଦୀପ ପ୍ରସ୍ତୁତ କରିଆସୁଛନ୍ତି। ବର୍ତ୍ତମାନ ଦୀପାବଳି ଉପଲକ୍ଷେ ପ୍ରାୟ ତିନି ହଜାରରୁ ଉର୍ଦ୍ଧ୍ୱ ଦୀପ ପ୍ରସ୍ତୁତ କରି ଛତ୍ରପୁର, ବ୍ରହ୍ମପୁର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନକୁ ପଠାଇଛନ୍ତି । ଅର୍ଡ଼ର ଦେଲେ ତାଳଚେର, ଭଦ୍ରକ, ଢେଙ୍କାନାଳ ଓ ବାଲେଶ୍ୱର ଅଂଚଳକୁ ଦୀପଗୁଡ଼ିକ ପ୍ରସ୍ତୁତ କରି ପଠାଯାଉଛି ବୋଲି ଗଣେଶ ସୂଚନା ଦେଇଛନ୍ତି। ଗଣେଶ ନିଜେ ରୋଜଗାରକ୍ଷମ ହେବା ସହ ନିଜ ଗ୍ରାମର ପ୍ରାୟ ୧୫ ଜଣ ମହିଳାଙ୍କୁ ଦୀପ ନିର୍ମାଣ ତାଲିମ ଦେଇ ରୋଜଗାରକ୍ଷମ କରାଇଛନ୍ତି।

ସୂଚନାଯୋଗ୍ୟ ଯେ ଗ୍ରାମୀଣ ବେକାରୀ ଯୁବକ ଯୁବତୀମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଶ୍ରୀ ଗୋ ବିଜ୍ଞାନ ଫାଉଣ୍ଡେସନ ସାରା ଓଡ଼ିଶାରେ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି। ଫାଉଣ୍ଡେସନର ପ୍ରତିଷ୍ଠାତା ରାଜେଶ କୁମାର ଦାଶ ଓ ଅଧ୍ୟକ୍ଷ ଡା.ନିରାକାର ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ୨୦୧୭ ମସିହାରୁ ଆରମ୍ଭ ହୋଇଥିବା ଏହି ପ୍ରତିଷ୍ଠାନ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା, ପ୍ରତ୍ୟେକ ବ୍ଲକରେ ଦେଶୀ ଗାଇ ଗୋବରରୁ ବିଭିନ୍ନ ପ୍ରକାର ଦୀପ, ମଶାଧୂପ, ସୁଗନ୍ଧିତ ପୂଜା ଧୂପ, ଫୁଲକୁଣ୍ଡ ଓ ଅନ୍ୟାନ୍ୟ ଗୃହପୋଯୋଗୀ କାର୍ଯ୍ୟ କରାଯାଉଛି।

ସମ୍ବନ୍ଧିତ ଖବର