ବିଶିଷ୍ଟ ଐତିହାସିକ, ଶିକ୍ଷାବିତ ତଥା ପ୍ରଶାସକ ଦୀପକ ଷଡ଼ଙ୍ଗୀଙ୍କର ପରଲୋକ

ବାରିପଦା: ବିଶିଷ୍ଟ ଐତିହାସିକ, ଶିକ୍ଷାବିତ, ଗବେଷକ ତଥା ପ୍ରଶାସକ ଦୀପକ ଷଡ଼ଙ୍ଗୀଙ୍କର ଆଜି ବାରିପଦାରେ ପରଲୋକ ଘଟିଛି। କିଛିଦିନ ହେବ ଅସୁସ୍ଥତା କାରଣରୁ ସ୍ବର୍ଗତ ଷଡ଼ଙ୍ଗୀ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅଵସ୍ଥାରେ ଆଜି ୮୫ ବର୍ଷ ବୟସରେ ତାଙ୍କର ମହାପ୍ରୟାଣ ଘଟିଛି। ବିଛିନାଞ୍ଚଳ ଝାଡ଼ଖଣ୍ଡର ପୂର୍ଵସିଂହଭୂମ ଜିଲ୍ଲାର ବନ୍ଧାନଟାରେ ଶ୍ରୀ ଷଡ଼ଙ୍ଗୀ ଜନ୍ମଗ୍ରହଣ କରିଥିଲେ। ସେ ଖଣ୍ଡମୌଦା ଓଡ଼ିଆ ହାଇସ୍କୁଲର ପ୍ରଥମ ବ୍ୟାଚ ଛାତ୍ର ଥିଲେ। ବିଛିନାଞ୍ଚଳରେ ଓଡ଼ିଆ ଭାଷା ସଂସ୍କୃତିର ସଂରକ୍ଷଣ କ୍ଷେତ୍ରରେ ଥିଲେ ସ୍ବର୍ଗତଃ ଷଡ଼ଙ୍ଗୀ ଥିଲେ ଜଣେ ସମ୍ପର୍ପିତ ବ୍ୟକ୍ତିତ୍ୱ। ସେ ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ସହିତ ଯୁକ୍ତଦୁଇ କାଉନସିଲର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରି ସୁନାମ ଅର୍ଜ୍ଜନ କରିଥିଲେ। ଉତ୍କଳ ସମ୍ମିଳନୀ ମୟୁରଭଞ୍ଜ ଶାଖାର ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ।

ଜଣେ ଓଜସ୍ୱିନୀ ବକ୍ତା, ଛାତ୍ର ବତ୍ସଳ ଶିକ୍ଷକ ପ୍ରଫେସର ଦୀପକ ଷଢଙ୍ଗୀଙ୍କ ପରଲୋକରେ ମୟୂରଭଞ୍ଜ ଏବଂ ବିଛିନ୍ନାଂଚଳରେ ଶୋକର ଛାୟା ଖେଳିଯାଇଛି। ଝାଡ଼ଖଣ୍ଡର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ଦିନେଶ ଷଡ଼ଙ୍ଗୀଙ୍କ ବଡ଼ ଭାଇ ହେଉଛନ୍ତି ସ୍ବର୍ଗତଃ ଦୀପକ ଷଡ଼ଙ୍ଗୀ। ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ, ଦୁଇ ପୁଅଙ୍କ ସମେତ ବନ୍ଧୁ ପରିଜନ ଉପସ୍ଥିତ ଥିଲେ। ବହୁ ବିଶିଷ୍ଟ ବ୍ୟକ୍ତି ସ୍ବର୍ଗତଃ ଷଡ଼ଙ୍ଗୀଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରଫେସର ଷଡ଼ଙ୍ଗୀଙ୍କ ବିୟୋଗରେ ସମାଜର ବିଭିନ୍ନ ବର୍ଗରୁ ଶୋକ ପ୍ରକାଶ ପାଇଛି। ବାରୁଣୀ ଘାଟରେ ସ୍ୱର୍ଗତ ଷଡ଼ଙ୍ଗୀଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

ସମ୍ବନ୍ଧିତ ଖବର