ବୁଲା କୁକୁରଙ୍କ ହାବୁଡ଼ରେ ପଡ଼ିଲା, ଆହତ ହରିଣ ଉଦ୍ଧାର

ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ଚନ୍ଦକା ବନଖଣ୍ଡ ଅଧୀନ ହଳଦିଆ ବନାଂଚଳରେ ଆଜି ଏକ ଆହତ ହରିଣକୁ ଉଦ୍ଧାର କରାଯାଇଛି। ଖୋର୍ଦ୍ଧା ପଶୁ ଚିକିତ୍ସାଳୟରେ ଚିକିତ୍ସା ପରେ ସୂଚନାନୁସାରେ, ଆଜି ପୂର୍ବାହ୍ନରେ ଚନ୍ଦକା ଅଭୟରଣ୍ୟରୁ ଏକ ଅଣ୍ଡିରା ଚିତଳ ହରିଣଟି ଖାଦ୍ୟ ଅନ୍ୱେଷଣରେ ହଳଦିଆ ନିକଟସ୍ଥ ମହୁଲ-ମାଜଣା ଗାଁକୁ ଚାଲିଆସିଥିଲା। ଏହି ସମୟରେ ଅଂଚଳର ବୁଲା କୁକୁରଙ୍କ ହାବୁଡ଼ରେ ପଡ଼ିଥିଲା। କୁକୁରମାନେ ଚାରିପଟରୁ ବେଢ଼ି ହରିଣଟିର ପଛ ଗୋଡ଼ ଦୁଇଟିକୁ କାମୁଡ଼ି ଦେଇଥିଲେ।

ହରିଣଟି ପ୍ରାଣବିକଳରେ ଦୌଡ଼ିଯିବା ବେଳେ ନିକଟରେ ଏକ କେନାଲ୍ରେ ଖସିପଡ଼ିଥିଲା। ଆହତ ହରିଣକୁ ସ୍ଥାନୀୟ ଲୋକ ଦେଖି ସ୍ଥାନୀୟ ବନ ବିଭାଗକୁ ଜଣାଇଥିଲେ। ହଳଦିଆ ରେଂଜର ଜୟକୃଷ୍ଣ ପଣ୍ଡା ଓ ଅନ୍ୟ କର୍ମଚାରୀମାନେ ସେଠାରେ ପହଂଚି ହରିଣଟିକୁ ଉଦ୍ଧାର କରି ଖୋର୍ଦ୍ଧା ପଶୁ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଆଘାତ ସ୍ଥାନଗୁଡ଼ିକୁ ସିଲାଇ କରାଯାଇଥିଲା। ହରିଣଟି ସୁସ୍ଥ ହେବା ପରେ ପୁଣି ଚନ୍ଦକା ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ରେଂଜର ଶ୍ରୀ ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର