ବିଦ୍ୟାଳୟ କାନ୍ଥରେ ପିଟି ହୋଇ ହରିଣ ମୃତ

ବାଲିଅନ୍ତା: ବାଲିପାଟଣା ଫରେଷ୍ଟ ରେଞ୍ଜ ଅଧୀନ ବଇଁଚୁଆ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କାନ୍ଥରେ ପିଟି ହୋଇ ଏକ ହରିଣର ମୃତ୍ୟୁ ହୋଇଯାଇଛି। ମୃତ ହରିଣର ବୟସ ଅଢ଼େଇ ବର୍ଷ ଭିତରେ ହେବ ଏବଂ ଚିତ୍ରା ପ୍ରଜାତିର ଏହି ହରିଣ ଲିଙ୍ଗ ଅଣ୍ଡିରା ବୋଲି ଫରେଷ୍ଟର ସୁଶାନ୍ତ କୁମାର ସ୍ବାଇଁ ସୂଚନା ପ୍ରଦାନ କରିଛନ୍ତି। ଖବର ପାଇ ବନ କର୍ମଚାରୀ ମୃତ ହରିଣଙ୍କୁ ଉଦ୍ଧାର କରି ବାଳକାଟି ପ୍ରାଣୀ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଅତିରିକ୍ତ ପ୍ରାଣୀଧନ ଚିକିତ୍ସକ ଜ୍ୟୋତିରଞ୍ଜନ ବିଶ୍ବାଳ ହରିଣକୁ ମୃତ ଘୋଷଣା କରିଥିଲେ। ମୃତ ହରିଣକୁ ବ୍ୟବଚ୍ଛେଦ ପରେ ବାଳକାଟି କଲେଜ ପଡ଼ିଆ ନିକଟସ୍ଥ ନର୍ସରୀ ପରିସରରେ ପୋତି ଦିଆଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ହରିଣଟି ଡେଇଁ ଡେଇଁ ଯାଉଥିବା ବେଳେ ସ୍କୁଲ କାନ୍ଥରେ ପିଟି ହୋଇଯିବାରୁ ତା’ର ବେକ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।

ଫଳରେ ଘଟଣାସ୍ଥଳରେ ତା’ର ଅବସ୍ଥା ସଂକଟାପନ୍ନ ହୋଇପଡ଼ିଥିଲା। ସ୍ଥାନୀୟ ଲୋକ ଏସଂପର୍କରେ ବାଲିଅନ୍ତା ଥାନା ଏବଂ ବାଲିପାଟଣା ରେଞ୍ଜର ଜୟକୃଷ୍ଣ ଯଦୁମଣି ଦାସଙ୍କୁ ଜଣାଇଥିଲେ। ଖବର ପାଇ ଫରେଷ୍ଟର ଶ୍ରୀ ସ୍ବାଇଁଙ୍କ ସମେତ ଅନ୍ୟ ୩ଜଣ ପାରା କର୍ମଚାରୀ ପହଞ୍ଚି ହରିଣକୁ ଚିକିତ୍ସା ଲାଗି ବାଳକାଟି ପ୍ରାଣୀ ଚିକିତ୍ସାଳୟକୁ ନେଇଥିଲେ। ଜଣେ ବନ ଅଧିକାରୀଙ୍କ ସୂଚନା ଅନୁସାରେ ହରିଣ ଛୁଆଟି କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରୁ ଜନବସତି ଆଡ଼କୁ ପଳାଇ ଆସିଥିବା ଅନୁମାନ କରାଯାଉଛି। ଭୋର ସମୟରେ ହରିଣ ଖୁବ ଜୋରରେ ଡିଆଁ ମାରି ଯାଉଥିବା ବେଳେ ଭାରସାମ୍ୟ ହରାଇ ସ୍କୁଲ କାନ୍ଥରେ ପିଟି ହୋଇଯାଇଥିଲା। ଫଳରେ ବେକରେ ଗଭୀର ଆଘାତ ଯୋଗୁ ତାର ଅବସ୍ଥା ସଂକଟାପନ୍ନ ହୋଇପଡ଼ିଥିଲା। କିଛି ଦିନ ତଳେ ଅନୁରୂପ ଭାବେ ଆଉ ଗୋଟିଏ ହରିଣକୁ ବନ ବିଭାଗ ଉଦ୍ଧାର କରି ପ୍ରାଣୀ ଉଦ୍ୟାନରେ ଛାଡ଼ିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର