ଭଦ୍ରକ: ଭଦ୍ରକ ଜିଲ୍ଲାରେ ଆବଶ୍ୟକ ପରିମାଣରେ ବର୍ଷାର ଅଭାବ ଯୋଗୁଁ ଚଳିତ ବର୍ଷ ଖରିଫ୍ ଚାଷ ଆଗକୁ ଆଗେଇ ପାରୁ ନାହିଁ। ଅଗଷ୍ଟ ମାସର ତିନି ଦିନ ହେଲାଣି। ତଥାପି ବର୍ଷା ନାର୍ହି। ବର୍ଷା ଅଭାବରୁ ତଳି ଧାନ ଉଠି ପାରୁ ନାହିଁ। ଯେଉଁଠି ତଳି ଧାନ ଉଠିଛି। ସେଠି ବିଲରେ ପାଣି ନଥିବାରୁ ତଳି ରୁଆ ପୋତା କରାଯାଇ ପାରୁ ନାହିଁ। ଅନେକ ବିଲ ଟ୍ରାକ୍ଟରରେ ହଳ ହୋଇ ଶୁଖି ଗଲାଣି। ଆଉ କିଛି ବିଲରେ ରୁଆ ପୋତା ଆରମ୍ଭ ହୋଇଥିଲେ ମଧ୍ୟ ସେମାନଙ୍କୁ ସାର ଯୋଗାଣ ଠିକ୍ ଭାବେ କରାଯାଇ ନାହିଁ। ଏଭଳି ଅବ୍ୟବସ୍ଥା ଭିତରେ ଜିଲ୍ଲାର କୃଷକମାନେ ରହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଜିଲ୍ଲା କୃଷି ବିଭାଗର ସୂଚନା ଅନୁଯାୟୀ ଜିଲ୍ଲାରେ ଚଳିତ ବର୍ଷ ୧ ଲକ୍ଷ ୬୧ ହଜାର ୫୦୦ ହେକ୍ଟର ଜମିରେ ଖରିଫ ଚାଷ କରାଯାଉଛି। ଏଥିରୁ ଏବେ ସୁଦ୍ଧା ପ୍ରାୟ ୨୫ ହଜାର ହେକ୍ଟର ଜମିରେ ତଳିପକା ଓ ରୁଆ-ପୋତା କାମ ଚାଲିଛି। ତଳି ଉଠା କାମ ଆରମ୍ଭ ହୋଇ ରୁଆ-ପୋତା କାମ ହେଉଥିବା ବେଳେ ଚାଷୀଙ୍କୁ ଏଇ ସମୟରେ ପଟାସ , ଡିଏପି ଓ ୟୁରିଆ ସାରର ଆବଶ୍ୟକତା ରହିଛି। ଏବେ ଏଇ ସାରର ଅଭାବ ଚାଷୀଙ୍କୁ ହତାଶ କରିଛି। ଚାଷୀଙ୍କୁ ସାର ଯୋଗାଇ ଦେବାକୁ ସରକାର ଘୋଷଣା କରିଥିବା ବେଳେ କଳା ବଜାରୀଙ୍କ ଉପରେ ତୀକ୍ଷ୍ମ ନଜର ରଖିବାକୁ କୁହାଯାଇଛି। ମାତ୍ର ଚାଷୀ ଏବେ ସାର ପାଉ ନଥିବାର ବେଳେ କୃଷି ବିଭାଗ ଏ ଦିଗରେ ନୀରବ କାହିଁକି ବୋଲି କୃଷକ ନେତା ତ୍ରିଲୋଚନ ପଣ୍ଡା, ହୃଦାନନ୍ଦ ରାଉତ ପ୍ରଶ୍ନ କରିଛନ୍ତି। କରୋନା ମହାମାରୀ ସମୟରେ ଚାଷୀଙ୍କୁ ସବୁ ପ୍ରକାରର ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାର କେବଳ ଘୋଷଣା କରୁଥିବା ବେଳେ ବାସ୍ତବ କ୍ଷେତ୍ରରେ ଚାଷୀଙ୍କୁ କୃଷୀ ଋଣ ପ୍ରଦାନଠାରୁ ଆରମ୍ଭ କରି କୃଷି ଉପକରଣ, ସାର ଯୋଗାଣରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଥିବାରୁ ଜିଲ୍ଲାରେ ଚାଷୀମାନଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଜିଲ୍ଲା କୃଷି ବିଭାଗର ସୂଚନା ଅନୁଯାୟୀ ଏବେ ଜିଲ୍ଲାରେ ୧୨ ହଜାର ମେଟ୍ରିକ୍ ଟନ୍ ଡିଏପି ସାରର ଆବଶ୍ୟକତା ରହିଥିବା ବେଳେ ଜିଲ୍ଲାକୁ ମାତ୍ର ୩ ହଜାର ୨୯୮ ମେଟ୍ରିକ୍ ଟନ୍ ଡିଏପି ଯୋଗାଣ ହୋଇଛି। ଯେଉଁ ସାର ଯୋଗାଣ ହୋଇଛି। ଚାଷୀଙ୍କୁ ମଧ୍ୟ ତାହା ଉଚିତ ମୂଲ୍ୟରେ ମିଳୁ ନାହିଁ ବୋଲି ନାଲଗରାର ଚାଷୀ ସୀତାକାନ୍ତ ସାହୁ ଅଭିଯୋଗ କରିଛନ୍ତି। ସରକାରୀ ସ୍ବୀକୃତି ପ୍ରାପ୍ତ ବିକ୍ରେତା ହୁଅନ୍ତୁ କି ସେବା ସମବାୟ ସମିତି ହେଉ ଡିଏପି ସାର ଷ୍ଟକ ନଥିବା କହି ଚଢା ଦରରେ ବିକ୍ରୀ କରିବାର ଅଭିଯୋଗ ହେଉଛି। ଡିଏପି ତଳି ସାର ଭାବେ ବ୍ୟବହାର କରାଯାଉଥିବା ବେଳେ ଧାନ ରୋଇବା ଆଗରୁ କ୍ଷେତରେ ଡିଏପି ସାର ଦରକାର ହେଉଛି। ରୁଆ ପୋତା ସମୟରେ ଏଇ ସାରର ଅଭାବ ଏବେ ଚାଷୀଙ୍କୁ ଚିନ୍ତାରେ ପକାଇ ଦେଇଛି। ସାର ମିଳୁ ନଥିବା ବେଳ ବିନା ସାରରେ ଚାଷ କାମ ଚାଲିଛି। ଜିଲ୍ଲାରେ ୪୦ ହଜାର ମେଟ୍ରିକ୍ ସାରର ଆବଶ୍ୟକତା ରହି ଥିବା ବେଳେ ସେଥିରୁ ସର୍ବାଧିକ ୧୪ ହଜାର ୫୦୦ ମେଟ୍ରିକ ଟନ୍ ୟୁରିଆ ଓ ୧୨ ହଜାର ଡିଏପି ସାରର ଆବଶ୍ୟକତା ରହିଛି।