ସରିଗଲାଣି କି କୋଭିଡ ସହ ଯୁଦ୍ଧ ?

ବେପରୁଆ ହେଲାଣି ପ୍ରଶାସନ, ଖତ ଖାଇଲାଣି ମେସିନ୍

ଜୟପୁର: କୋଭିଡ-୧୯ ଭୟ ପୁଣି ଥରେ ବିଶ୍ବବାସୀଙ୍କୁ ଆତଙ୍କିତ କରିବାରେ ଲାଗିଲାଣି। ଗତ ମାସ ଅପେକ୍ଷା ପୁଣି ଥରେ ଦୁଇ ଅଙ୍କ ଛୁଇଁବା ଆରମ୍ଭ ମଧ୍ୟ କଲାଣି ଆକ୍ରାନ୍ତଙ୍କ ସଂଖା। କିନ୍ତୁ କୋରାପୁଟ ଜିଲ୍ଲା ଜୟପୁର ସହରରେ ଯେଉଁ ଭଳି ଭାବେ ସତର୍କତା ଅବଲମ୍ବନ କରାଯିବା ତାହା କରାଯାଉନାହିଁ। ଲୋକେ ସାମାଜିକ ଦୂରତା ମାନୁ ନ ଥିବାବେଳେ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଲାଗିଥିବା ମେସିନ ଖତ ଖାଇବାକୁ ଲାଗିଲାଣି। ଜୟପୁର ପ୍ରଶାସନ ଏପରି ଭାବେ କରୋନାକୁ ମୁକାବିଲା କରିବାକୁ ଲାଗିଛି ଯେ ବିଭିନ୍ନ କାର୍ଯ୍ୟାଳୟରେ ଲାଗିଥିବା ମେସିନ ଆଉ କାମ କରୁନି। ଉପଖଣ୍ଡ ପ୍ରଶାସନ ପକ୍ଷରୁ କାର୍ଯ୍ୟରେ ନିୟୋଜିତ ରହିଥିବା କର୍ମଚାରୀଙ୍କୁ ଧନ୍ୟବାଦ ବୈଠକ କରି କାମ ସାରିଦେଇଛି। ଏହା ଶେଷ ହେବା ପରେ ସବୁ କାର୍ଯ୍ୟାଳୟରେ ରହିଥିବା ଅଧିକାରୀ ବେଶୀ ବେପରୁଆ ହୋଇଯାଇଥିବା ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ମୁତାବକ ଜୟପୁର ସହରରେ ରହିଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ପ୍ରଶାସନ ପକ୍ଷରୁ ସାନିଟାଇଜର ମେସିନ, ହ୍ୟାଣ୍ଡ ୱାସ ମେସିନ ଇତ୍ୟାଦି ଲାଗିଥିଲା। କରୋନା ସମୟରେ ଏହି ମେସିନ ଲାଗିଥିବାବେଳେ ଏବେ ଏହା ଅଚଳ ହୋଇପଡିଛି। ବିଭିନ୍ନ କାର୍ଯ୍ୟାଳୟକୁ ଲୋକେ ନିଜ ଇଛାରେ ଯିବା ଆସିବା କରୁଥିବା ଏହି ମେସିନ କାର୍ଯ୍ୟ କରୁ ନ ଥିବା ଜଣାପଡିଛି। ପୌରପାଳିକା, ତହସିଲ କାର୍ଯ୍ୟାଳୟ, ଉପନିବନ୍ଧକ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ, କୃଷି ବିଭାଗ, ବିଭିନ୍ନ ଥାନା, ଯୋଗାଣ ବିଭାଗ, ଆଇଟିଡିଏ କାର୍ଯ୍ୟାଳୟ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଉଦ୍ୟାନ କୃଷି ବିଭାଗ, ଆର ଆଣ୍ଡ ବି, ପିଡ୍ଲୁବି ଓ ଜନସ୍ୱାସ୍ଥ୍ୟ ବିଭାଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାନିଟାଇଜର ମେସିନ ଇଷ୍ଟାଲ କରାଯାଇଥିଲା। ଏହାସହ ପ୍ରତି ସପ୍ତାହରେ ଏହି ମେସିନରେ ଲିକ୍ୟୁଡ ମଧ୍ୟ ଭର୍ତ୍ତି କରାଯାଉଥିଲା କିନ୍ତୁ ଗତ ମାସେ ହେବ ପୁରା ବେପରୁଆ ହୋଇପଡିଛି ପ୍ରଶାସନ।

କଟକଣା ପରେ କାର୍ଯ୍ୟଳୟ ଖୋଲିଲା ସିନା ନିଜେ ତିଆରି କରିଥିବା ନିୟମକୁ ନିଜେ ଦଳି ଦେଇଛି। କୋଭିଡ ସମୟରେ ଜୟପୁର ତହସିଲ କାର୍ଯ୍ୟାଳୟ ଓ ପୌରପାଳିକାରେ ଲକ୍ଷାଧିକ ଟଙ୍କାରେ ଲାଗିଥିଲା ଦୁଇଟି ହ୍ୟାଣ୍ଡ ସାନିଟାଇଜର ମେସିନ। ଏହି ମେସିନ ଗୁଡିକକୁ ବିଦ୍ୟୁତ ସଂଯୋଗ ହୋଇ ନ ଥିବାବେଳେ କେଉଁଥିରେ ମଧ୍ୟ ଲିକ୍ୟୁଡ୍ ନ ଥିବା ଜଣାପଡିଛି। କରୋନା ଭୟ ଟଳି ନ ଥିବାବେଳେ ଲକ୍ଷାଧିକ ଟଙ୍କାର ମେସିନକୁ ବ୍ୟବହାର କରା ଯିବା ସାଧାରଣରେ ନାନା ପ୍ରଶ୍ନ ଉଠାଇଛି। ପୌରପାଳିକା ଓ ତହସିଲ ପରି କାର୍ଯ୍ୟାଳୟରେ ପ୍ରତିଦିନ ଶହ ଶହ ଲୋକ ଆସୁଥିବାକବେଳେ ସଂଙ୍କ୍ରମଣ ଭୟ ସବୁବେଳେ ରହିଛି। କିନ୍ତୁ ଏପରିସ୍ଥିତିରେ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏପରି ବେପରୁଆ କାରବାର କୋଭିଡ ସଂଙ୍କ୍ରମଣକୁ ବୃଦ୍ଧି କରିବା ଆଶା କରାଯାଉଛି। ଏବେ ଥଣ୍ଡା ବଢୁଥିବାବେଳେ ଜର, ଶର୍ଦ୍ଦି ଓ କାଶ ହେବା ଆରମ୍ଭ କଲାଣି। କିନ୍ତୁ ପ୍ରଶାସନ ପକ୍ଷରୁ ଯେପରି ଭାବେ ମୁବାବିଲା କରିବା କଥା ତାହା କରିପାରୁନି। ଗୋଟିଏ ପଟେ ଆଗ୍ରହ ନ ଥିବାବେଳେ ଅନ୍ୟ ପଟେ ମେସିନକୁ ଅପନ୍ତରା କରି ଫିଙ୍ଗିବା ସାଧାରଣରେ ନାନା ପ୍ରଶ୍ନ ଉଠିଛି। ଏନେଇ ଉପଜିଲ୍ଲାପାଳ ତଥା ପୌର ନିର୍ବାହୀ ଅଧିକାରୀ ହେମକାନ୍ତ ସୟଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ସମ୍ବନ୍ଧିତ ଖବର