କାଳିଆପାଣି: ଠିକଣା ସମୟରେ ଡିଜେଲ୍ କିଣାହୋଇ ନପାରିବା କାରଣରୁ ଖଣିରେ ଅହରହ କାର୍ଯ୍ୟକ୍ଷମ ଥିବା ପମ୍ପ୍ ବନ୍ଦ। ଜଳ ନିଷ୍କାସନ ପ୍ରକ୍ରିୟା ଠପ୍ ହୋଇଯିବାରୁ ୪ ଦିନ ଧରି ଖଣିର ଜଳସ୍ତର ହୁହୁ ହୋଇ ବଢ଼ିବାକୁ ଲାଗିଛି। ଖଣି ଭିତରକୁ ଫିଟିଥିବା ୫ରୁ ଅଧିକ ଝରରୁ ଦୈନିକ ଲକ୍ଷାଧିକ ଲିଟର ପାଣି ପ୍ରବେଶ କରୁଛି। ପ୍ରାୟ ୧୦ କୋଟି ଟଙ୍କାର ଯନ୍ତ୍ରପାତି ପାଣିରେ ବୁଡ଼ି ରହିଛି। କ୍ରୋମ୍ ଉପତ୍ୟକାର ବାଲେଶ୍ବର ଆଲଏଜ୍ କମ୍ପାନି ଅଧୀନ କାଳିଆପାଣି ଇସ୍ପାତ କ୍ରୋମାଇଟ୍ ଖଣିରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ ଯେ, ଗତ ଦୁଇମାସ ଧରି ଏହି ଖଣିରେ ଅଚଳାବସ୍ଥା ଜାରି ରହିଛି। ୮ ମାସର ବେତନ, ମଜୁରି, ଭତ୍ତା ମିଳିନଥିବା କାରଣରୁ ଶ୍ରମିକ ଓ କର୍ମଚାରୀ ଖଣିକୁ ଆସୁନାହାନ୍ତି। ସେହିପରି ବିଲ ପୈଠ ହୋଇନଥିବା କାରଣରୁ ଖଣିରେ ବିଦ୍ୟୁତ୍ ସଂଯୋଗ ବିଛିନ୍ନ ରହିଛି। ବିକଳ୍ପ ବ୍ୟବସ୍ଥାରେ କିଛି ହାତଗଣତି ଶ୍ରମିକ ଓ ଅଧିକାରୀ ସ୍ବଳ୍ପ ପ୍ରାପ୍ୟ ଗ୍ରହଣକରି ଖଣିର ଗୁରୁତ୍ବପୂର୍ଣ୍ଣ ଜଳ ନିଷ୍କାସନ ସେବାରେ ନିୟୋଜିତ ରହିଥିଲେ। ୨ଟି ଉଚ୍ଚ କ୍ଷମତା ସଂପନ୍ନ ଡିଜେଲ ପମ୍ପ୍ ଲଗାଯାଇ ଖଣିରୁ ଜଳ ନିଷ୍କାସନ ଜାରି ରହିଥିଲା। ତେବେ ଡିଜେଲ ଅଭାବରୁ ୨୨ ତାରିଖ ସକାଳୁ ପମ୍ପ୍ ବନ୍ଦ ରହିଥିଲା। ବୁଧବାର ଅପରାହ୍ଣରୁ ଖଣିରେ ଡିଜେଲ୍ ଟ୍ୟାଙ୍କର ଆସି ପହଞ୍ଚିଥିଲେ ମଧ୍ୟ ସେତେବେଳକୁ ବହୁ ବିଳମ୍ବ ହୋଇସାରିଥିଲା। ପମ୍ପ୍ ଅଚଳ ରହିବା କାରଣରୁ ଖଣି ଭିତରକୁ ଦୈନିକ ୭ ହଜାର ଘନମିଟର ପାଣି ପ୍ରବେଶ କରୁଥିବା ସ୍ଥଳେ ନିଷ୍କାସନ ପ୍ରକ୍ରିୟା ଠପ୍ ହୋଇଯାଇଛି। ଦିନକ ମଧ୍ୟରେ ଜଳସ୍ତର ଆଶାତୀତ ଭାବେ ବଢ଼ିଥିବାରୁ ଏଠାରେ ପମ୍ପ୍ ପୁନଃ କାର୍ଯ୍ୟକ୍ଷମ କରାଯିବା ସମ୍ଭବ ନଥିଲା।
ଖଣିର ପାଦ ଦେଶରେ ସ୍ଥାପନା କରାଯାଇଥିବା ୩୬ ଲକ୍ଷ ଟଙ୍କା ମୂଲ୍ୟର ପମ୍ପ୍ ଏବେ ଗଭୀର ଜଳରାଶିରେ ବୁଡ଼ି ରହିଛି। ଏଥିସହ ୧୦ କୋଟି ଟଙ୍କା ମୂଲ୍ୟର ରୋଡ ହେଡର(ଗଭୀର ମାଟିରୁ ଖଣିଜ ଖନନ କରିପାରୁଥିବା ମେସିନ) ତିନି ଚତୁର୍ଥାଂଶ ବୁଡ଼ି ଯାଇଥିବା ସୂଚନା ମିଳିଛି। ପରିସ୍ଥିତିରେ ଉନ୍ନତି ନଆସିଲେ ଦିନେ ଦୁଇଦିନ ମଧ୍ୟରେ ଏହା ପାଣିରେ ସଂପୂର୍ଣ୍ଣ ବୁଡ଼ିଯିବା ଆଶଂକା ପ୍ରକାଶ ପାଇଛି। ଆଜି ଖଣି ଉପସଭାପତି ତାରିଣୀ ପ୍ରସାଦ ମହାନ୍ତି ଖଣିରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ହାତଗଣତି ଶ୍ରମିକ ଓ କର୍ମଚାରୀଙ୍କୁ ନିୟୋଜିତ କରି ବିକଳ୍ପ ବ୍ୟବସ୍ଥାରେ ଆଜି ଅପରାହ୍ଣ ୨ଟାରୁ ଖଣିରୁ ଜଳ ନିଷ୍କାସନ ପ୍ରକ୍ରିୟା ପୁନଃ କାର୍ଯ୍ୟକ୍ଷମ କରାଇବାକୁ ଉଦ୍ୟମ କରିଛନ୍ତି। ଅନ୍ୟପକ୍ଷରେ ଜଳ ନିଷ୍କାସନ ଭଳି ଜରୁରି ସେବାରେ ନିୟୋଜିତ ଶ୍ରମିକମାନେ ମାସମାସ ଧରି ପ୍ରାପ୍ୟ ପାଇନଥିବା ଅଭିଯୋଗ ହୋଇଛି। କମ୍ପାନି କର୍ତ୍ତୃପକ୍ଷଙ୍କ ବେପରୁଆ ଆଭିମୁଖ୍ୟ ବିରୋଧରେ ଶ୍ରମିକ ଅଶାନ୍ତି ଦେଖାଦେ ଇଛି।