ସରୁନି ଜମି ଅଧିଗ୍ରହଣ, ହେଉନି ଧା‌ମରା ଏୟାରପୋର୍ଟ

ଭଦ୍ରକ : ଭଦ୍ରକ ଜିଲ୍ଲାର ବିକାଶଠାରୁ ଦୂରେଇ ଯାଉଛନ୍ତି ନିର୍ବାଚିତ ଲୋକପ୍ରତିନିଧି । ୨୦୧୯ ନିର୍ବାଚନ ପରେ ଜିଲ୍ଲାରେ କୌଣସି ବଡ ପ୍ରକଳ୍ପ କିମ୍ବା ସାମଗ୍ରିକ ବିକାଶ ପାଇଁ ଆମ ଲୋକପ୍ରତିନିଧିଙ୍କର ଆନ୍ତରିକତା ନାହିଁ। ଧାମରା ବନ୍ଦରରେ ନିଯୁକ୍ତି ପ୍ରସଙ୍ଗ ହେଉ କିମ୍ବା ବନ୍ଦର ଅଞ୍ଚଳର ବିକାଶ କଥା । ୨୦୧୧ ମସିହାଠାରୁ ଧାମରାରେ ବନ୍ଦର  କାର୍ଯ୍ୟକ୍ଷମ ହେବା ପରେ ଏଠି କିଛି  ବିକାଶ ହୋଇନାହିଁ। ଏଠାରେ ବିଭିନ୍ନ କଳ କାରାଖାନା ଗଢିଉଠିବା ପାଇଁ ଲୋକଙ୍କୁ ଯେଉଁ ସ୍ବପ୍ନ ଦେଖାଇଥିଲା ସରକାର ତାହା ମଧ୍ୟ କିଛି କଲେ ନାହିଁ। ସର୍ବୋପରି ଏଠାରେ ଏକ  ଅତ୍ୟାଧୁନିକ ଏୟାରପୋର୍ଟ ନିର୍ମାଣ ହେବ ବୋଲି ସରକାର ଘୋଷଣା କରିବା ସହ ଜମି ଅଧିଗ୍ରହଣ କରିଥିଲେ। ଏବେ କେବଳ ଜମି ଅଧିଗ୍ରହଣରେ ସୀମିତ ରହିଛି ଏୟାରପୋର୍ଟ ପ୍ରସଙ୍ଗ। ଏୟାରପୋର୍ଟ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ନିର୍ବାଚିତ ଲୋକପ୍ରତିନିଧିଙ୍କର ଆନ୍ତରିକତା  ନାହିଁ। ଲୋକପ୍ରତିନିଧିଙ୍କର ଆନ୍ତରିକତା ନଥିବାରୁ ଏଇ ପ୍ରକଳ୍ପ ଆଗକୁ ଆଗେଇ ପାରୁ ନାହିଁ। ଧାମରାଠାରେ ଏୟାର ପୋର୍ଟ ପ୍ରତିଷ୍ଠା ପାଇଁ ୨୦୧୯ ମସିହାରୁ ରାଜ୍ୟ ସରକାର ଅନୁମୋଦନ ଦେଇଥିଲେ। ଏଥିପାଇଁ ଜମି ଅଧିଗ୍ରହଣ କରିବାକୁ  ଜିଲ୍ଲା ପ୍ରଶାସନକୁ  ନିର୍ଦ୍ଦେଶ ଦେଇଥିଲେ। ଏଇ ନିର୍ଦେଶ ପାଇବା ପରେ ପ୍ରସ୍ଥାବିତ ବିମାନ ବନ୍ଦର ପାଇଁ ବାସୁଦେବପୁର ତହସିଲ ଅନ୍ତର୍ଗତ ୩ଟି ଗାଁରେ ୨୭୪. ୪୧ ଏକର ଜମି ଚିହ୍ନଟ ହୋଇଛି। ଏଇ ଅଞ୍ଚଳରେ ଥିବା ସରକାରୀ ଓ ଘରୋଇ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜମି ଅଧିଗ୍ରହଣ ଶେଷ ହେବା ପରେ ଏୟାର ପୋର୍ଟ କାମ ଆରମ୍ଭ କରାଯିବ ବୋଲି ରାଜ୍ୟ ସରକାର ସବୁଜ ସଙ୍କେତ ଦେଇଥିଲେ। ୨୦୨୦ ମସିହା ଶେଷ ସୁଦ୍ଧା ଧାମରାଠାରେ ଏୟାର ପୋର୍ଟ ନିର୍ମାଣ କାମ ଆରମ୍ଭ କରାଯିବ ବୋଲି ଘୋଷଣା କରିଥିଲେ। ବନ୍ଦର ନଗରୀ ଭାବେ ଧାମରାକୁ  ବିକାଶମୁଖୀ କରିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଣ୍ଟା ଭିଡିଥିବା ବେଳେ  ଧାମରା ବନ୍ଦରର ବିକାଶ ଓ ବ୍ୟବସାୟୀକ କାର୍ଯ୍ୟକଳାପକୁ ଲକ୍ଷ୍ୟ କରାଯାଇ ଏଠାରେ ଏକ ବିମାନ ବନ୍ଦର ପ୍ରତିଷ୍ଠା କରିବା ଲାଗି ୨୦୧୯ ମସିହା‌ରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ରାଜ୍ୟ ସରକାରଙ୍କ ଅନୁରୋଧରେ  ଧାମରା ନିକଟବର୍ତ୍ତୀ ଅଞ୍ଚଳରେ  ସ୍ଥାନ ଚୟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଇ ଆଦେଶ ପାଇବା ପ‌ରେ ଭଦ୍ରକ ଜିଲ୍ଲାପାଳ  ଚାନ୍ଦବାଲି ତହସିଲଦାର ଓ ବାସୁଦେବପୁର ତହସିଲଦାରଙ୍କୁ ଜମି ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗତ ତା ୪/୬/୨୦୧୯ ରିଖରେ ଭଦ୍ରକ ଉପଜିଲ୍ଲାପାଳ  ଧାମରା  ବନ୍ଦର ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଉଭୟ ଚାନ୍ଦବାଲି ଓ ବାସୁଦେବପୁର ତହସିଲର ଗାଁ ଗୁଡିକର‌ କ୍ଷେତ୍ର ପରିଦର୍ଶନ  କରିଥିଲେ। କ୍ଷେତ୍ର ପରିଦର୍ଶନ କାର୍ଯ୍ୟ ଶେଷ ହେବା ପରେ ବାସୁଦେବପୁର ତହସିଲର ଅଧିନସ୍ଥ ନାୟକାଣିଡିହି ଆରଆଇ ସର୍କଲ ଅନ୍ତର୍ଗତ ବାଲିମୁଣ୍ଡା ମୌଜାରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଜମି ଚିହ୍ନଟ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଥିଲେ। ଜିଲ୍ଲାପାଳ ଏଇ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ।

ରିପୋର୍ଟ ମିଳିବା ପରେ ଏହାକୁ ନେଇ ଗତ ୨୦୧୯ ଜୁନ ୨୯ରେ ଭୁବନେଶ୍ବରଠାରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ  ବସିଥିଲା। ବୈଠକ ପ‌ରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏଇ ପ୍ରସ୍ଥାବିତ ସ୍ଥାନରେ ବିମାନ ବନ୍ଦର ପ୍ରତିଷ୍ଠା କରିବା ପାଇଁ ସବୁଜ ସଙ୍କେତ ଦେଇଥିଲେ। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏଥିପାଇଁ ଗତ ତା ୨୭/୧୨/୨୦୧୯ରିଖ ଚିଠି ନମ୍ବର-୯୩୦୭ ମୂଳେ ରାଜ୍ୟ ସରକାରଙ୍କର ଅନୁମୋଦନ ଲାଭକରିଛି। ଏଇ ଚୂଡାନ୍ତ ରିପୋର୍ଟ  ପ୍ରକାଶ ପାଇବା ପରେ  ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଆବଶ୍ୟକ ସରକାରୀ ଓ ଘରୋଇ ଜମି  ଅଧିଗ୍ରହଣ କରିବାକୁ ଭଦ୍ରକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଆସିଥିଲ‌ା। ଜିଲ୍ଲାପାଳ ଏଇ ନିର୍ଦ୍ଦେଶ ପାଇବା ପରେ ବାସୁଦେବପୁର ତହସିଲର ବାଲିମୁଣ୍ଡା, ନନ୍ଦପାଟଣା ଓ ବଡହାବେଳିସାହି ମୌଜାରେ ଜମି  ଅଧିଗ୍ରହଣ କରିଥିଲେ। ପ୍ରସ୍ଥାବିତ ବିମାନ ବନ୍ଦର ପାଇଁ ବାସୁଦେବପୁର ତହସିଲରର ୩ଟି ଗାଁରେ ମୋଟ ୨୭୪.୪୧ ଏକର ସରକାରୀ ଓ  ଘରୋଇ ଜମି  ଅଧିଗ୍ରହଣ କରାଯିବା ପ୍ରକ୍ରିୟା ଶେଷ ପର୍ଯ୍ୟାୟ‌ରେ ପହଞ୍ଚିଛି। ଅଧିଗୃହୀତ ଜମି ମଧ୍ୟରେ ରହିଛି ୨୪୦.୩ ହେକ୍ଟର  ସରକାରୀ ଜମି।ଏଇ ସରକାରୀ ଜମିକୁ ଲିଜ୍ ସୂତ୍ରରେ ବିମାନ ବନ୍ଦର ପାଇଁ ଅଧିଗ୍ରହଣ କରାଯିବାକୁ ଜିଲ୍ଲା ପ୍ରଶାସନ ସବୁଜ ସଙ୍କେତ ଦେଇଛନ୍ତି। ସେହିପରି ୩ଟି ରାଜସ୍ବ ଗ୍ରାମରେ ୨୨.୩୬ ଏକର ଘରୋଇ ଜମି  ରହିଛି। ଘ‌ରୋଇ ମାଲିକାନାରେ ଥିବା ଜମି ମାଲିକମାନଙ୍କୁ ପ୍ରଶାସନ ପକ୍ଷରୁ ନୋଟିସ୍  ପ୍ରଦାନ କରାଯାଇଛି। ଏଇ ଅଞ୍ଚଳରେ ମୋଟ ୭.୪୪ ଏକର ଜମିର କିସମ  ଜଳାଶୟ, ଜୋର, ପାଣିନାଳ, ବନ୍ଧ ଓ ରାସ୍ତା ରହିଛି। ଏସବୁ ଜମିର କିସମ ମଧ୍ୟ ପରିବର୍ତ୍ତନ କରାଯିବ।  କିସନ ପରିବର୍ତ୍ତନ କରାଯାଇ ଏହାକୁ ଅଧିଗ୍ରହଣ କରାଯିବ। ଚିହ୍ନ ହୋଇଥିବା ଏଇ ଜମି ମଧ୍ୟରେ ବଡହାବେଳିସାହି ମୌଜାର ୨.୭୪ ଏକର  ଘରୋଇ ଜମି ରହିଥିବା ବେଳେ  ୯୩.୯୩ ଏକର  ସରକାରୀ ଜମି ରହିଛି। ୧.୨୮ ଏକର ନାଳ, ୦.୭ ଏକର ଜଳାଶୟ କିସମର ଜମି ରହିଥିବା ବେଳେ  ୭.୪୪ ଏକର ଗୋଚର କିସମ ଜମି ରହିଛି। ଏଇସବୁ ଜମିର କିସନ ପରିବର୍ତ୍ତନ କରି  ଏହାକୁ ତୁରନ୍ତ ଅଧିଗ୍ରହଣ  କରାଯିବାରେ ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କରୁଛି। ବାଲିମୁଣ୍ଡା ରାଜସ୍ବ  ମୌଜାରେ ୧୧୨.୬୧ ଏକର  ସରକାରୀ ଜମି ରହିଥିବା ବେଳେ ୫ ଏକର ପାଣିନାଳ ରହିଛି।  ୪ ଏକର ପରିମିତ ଜମିରେ ରାସ୍ତା ରହିଛି। ନନ୍ଦପାଟଣା  ରାଜସ୍ବ ମୌଜରରେ ୧୯. ୬୪ ଏକର ବେସରକାରୀ ଜମି ରହିଥିବା ବେଳେ ୪୮ ଏକର ଜମି ଜୋର କିସମ ରହିଛି। ୧.୬୨ ଏକର  ବନ୍ଧ ଓ ୨୧ ଏକର ରାସ୍ତା କିସମର ଜମି ଅଧିଗ୍ରହଣ କରାଯିବ। ଏଇସବୁ ଜମି ଅଧିଗ୍ରହ କରାଯିବା ପରେ ଭଦ୍ରକ  ଜିଲ୍ଲାପାଳ ଏହା ଉପରେ ଚୂଡାନ୍ତ ମୋହରମାରିବା ପରେ ରିପୋର୍ଟ ବାଣିଜ୍ୟ ଓ ପରିବହନ ବିଭାଗକୁ ଯିବ। ରାଜ୍ୟ ସରକାର ଏଇ ଜମି ଉପରେ ମୋହର ମାରିବା ପ‌ରେ ବନ୍ଦର କମ୍ପାନି ପକ୍ଷରୁ ବିମାନ ବନ୍ଦର କାମ ଆରମ୍ଭ କରାଯିବ। ଜମି ଅଧିଗ୍ରହଣ ପ୍ରକ୍ରିୟା ତ୍ବରାନ୍ବିତ ହୋଇପାରୁ ନଥିବାରୁ  ବିମାନ ବନ୍ଦର ନିର୍ମାଣ ପ୍ରସଙ୍ଗ ଆଗକୁ ଯାଉନାହିଁ।

 

ସମ୍ବନ୍ଧିତ ଖବର