ବାଲିଅନ୍ତା ବ୍ଲକରେ ଧାନ ବିହନ ଯୋଗାଣରେ ବିଳମ୍ବ

୬୦୦ ହେକ୍ଟରରେ ରବିଧାନ ଫସଲ ପାଇଁ ଆବଶ୍ୟକ ୬୦ କୁଣ୍ଟାଲ ବିହନ

ବାଲିଅନ୍ତା :ବାଲିଅନ୍ତା ବ୍ଲକରେ ଏବର୍ଷ ୬୦୦ ହେକ୍ଟର ରବିଧାନ ଚାଷ କରିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି । ଏନେଇ ବ୍ଲକ କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି । ଉଠା ଜଳସେଚନ ଲିପ୍ଟ ପଏଣ୍ଟ ବ୍ୟବସ୍ଥା ମାଧ୍ୟମରେ ଉକ୍ତ ଜମିରେ ରୁଆ ବେଉଷଣ କାର୍ଯ୍ୟ କରାଯିବ । ହେଲେ ଜାନୁଆରୀ ମାସ ଅଧା ହେଲାଣି କିନ୍ତୁ ବ୍ଲକ କୃଷି ବିଭାଗ କିମ୍ବା ସମବାୟ ବିଭାଗ ପକ୍ଷରୁ ଧାନ ବିହନ ଯୋଗାଣ ହୋଇ ନାହିଁ ।

ବ୍ଲକ ସହକାରୀ କୃଷି ଅଧିକାରୀ ମନୋରଂଜନ ରାଉଳଙ୍କ ସୂଚନା ଅନୁଯାୟୀ ରବି ଧାନ ବିହନ ଚାଷୀମାନେ ସିଧାସଳଖ ସାମନ୍ତରାପୁର ସ୍ଥିତ ବିହନ ନିଗମରୁ ସଂଗ୍ରହ କରିପାରିବେ । କୃଷି ସମବାୟ ସମିତିର ଜଣେ ସଂପାଦକଙ୍କ ସୂଚନା ଅନୁଯାୟୀ ଚାଷୀମାନେ ଆବଶ୍ୟକ ଧାନ ବିହନ ଘରୋଇ ସଂସ୍ଥାରୁ ପାଇ ପାରିବେ । ଅନ୍ୟପକ୍ଷରେ ଚାଷୀମାନଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଘରୋଇ ଏଜେନ୍ସିରେ ଚାଷୀମାନଙ୍କ ଚାହିଦା ମୁତାବକ ଧାନ ବିହନ ଯଥା ଲଲାଟ , ସିନ୍ଧୁ , ବୀଣା – ୧୧ , ସୁନାଗୋଲ୍ଡ , ତରଙ୍ଗିଣୀ ଆଦି କିସମର ଧାନ ବିହନ ମିଳୁ ନାହିଁ । ତେଣୁ ଲଲାଟ ଭଳି ଅନ୍ୟ କିଛି ଅଧିକ ଅମଳକ୍ଷମ ଧାନ ବିହନ ନେଇ ଚାଷୀମାନେ ନିଗମ କାର୍ଯ୍ୟାଳୟକୁ ଯିବାକୁ ବାଧ୍ୟ ହେଉଛନ୍ତି । ଏକରକୁ ୧୦ କିଲ ହିସାବରେ ମୋଟ ୬୦ କ୍ବିଣ୍ଟାଲ ଧାନ ବିହନର ଆବଶ୍ୟକତା ରହିଛି । ଅନୁରୂପ ଭାବେ ଧାନ ଚାଷକୁ ଛାଡ଼ି ସ୍ଥାନୀୟ ଅଞ୍ଚଳରେ ୧୦୦୦ ହେକ୍ଟର ଜମିରେ ମୁଗ ଏବଂ ବିରି ଭଳି ଅଣଧାନ ଜାତୀୟ ଫସଲ କରିବା ପାଇଁ ଲକ୍ଷ ଧାର୍ଯ୍ୟ ହୋଇଥିବା କୃଷି ବିଭାଗ ଜଣାଇଛି । ହେଲେ ବନ୍ୟା କ୍ଷତିଗ୍ରସ୍ତ ୨୦୦ ଜମିରେ ମୁଗ ଫସଲ କରିବା ଲାଗି ଏକର ପିଛା ୮ କିଲୋ ଲେଖାଏଁ ଯୋଗାଇ ଦିଆଯାଇଛି । ହେଲେ ଅଧିକାଂଶ ଚାଷୀଙ୍କ ପାଖରେ ଏଯାଏ ମୁଗ , ବିରି , କୋଳଥ , ଶୋରିଷ ମଞ୍ଜି ପହଞ୍ଚି ପାରିନଥିବା ଚାଷୀମାନେ ଜଣାଇଛନ୍ତି । ଆବଶ୍ୟକ ପରିମାଣର ଧାନ , ମୁଗ ଓ ବିରି ମଞ୍ଜି ଯୋଗାଇ ଦେବାକୁ ଦାବି ହେଉଛି । ବନ୍ୟା କ୍ଷତିଗ୍ରସ୍ତ ଝିଣ୍ଟିଶାସନ ଓ ପୁରୋହିତପୁର ପଞ୍ଚାୟତ ଅଞ୍ଚଳର ଖୁବ କମ ସଂଖ୍ୟକ ଚାଷୀଙ୍କୁ ରିହାତି ମୂଲ୍ୟରେ କୃଷି ବିଭାଗ ପକ୍ଷରୁ ମୁଗ ମଞ୍ଜି ଯୋଗାଇ ଦିଆଯାଇଥିବା ବେଳେ ଅଧିକାଂଶ ଚାଷୀ ଏଥିରୁ ବଞ୍ଚିତ ହୋଇଛନ୍ତି । ଏଦିଗରେ କର୍ତୃପକ୍ଷ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି । ଉଲ୍ଲେଖଯୋଗ୍ୟ ବାଲିଅନ୍ତା ଅଞ୍ଚଳରେ ମୋଟ ୯ ହଜାର ୯ ଶହ ୯ ହେକ୍ଟର ଚାଷ ଜମି ରହିଛି ।

ସମ୍ବନ୍ଧିତ ଖବର