ସ୍ମାର୍ଟ ପାର୍କ ଓ ଅତ୍ୟାଧୁନିକ ଶ୍ମଶାନ : ୨ ମାସ ବିତିଲା ମାଟି ଖୋଳା ବ୍ୟତୀତ କାମ ଆଗେଇ ପାରିଲାନି

ଖୋର୍ଦ୍ଧା : ଖୋର୍ଦ୍ଧା ସହରର ଭିତ୍ତିଭୂମି ବିକାଶ ହେବ । ସହରକୁ ସରସ ସୁନ୍ଦର କରାଯିବ ବୋଲି ପ୍ରଶାସନ ଓ ନିର୍ବାଚିତ ଜନପ୍ରତିନିଧି ଅନେକ ଥର ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି, କିନ୍ତୁ କୌଣସି ପ୍ରତିଶ୍ରୁତି ପାଳନ ହୋଇପାରିନାହିଁ । ଖୋର୍ଦ୍ଧାରେ ଅତ୍ୟାଧୁନିକ ଶ୍ମଶାନ ଓ ବରୁଣେଇ ଠାରେ ସ୍ମାର୍ଟ ପାର୍କ ନିର୍ମାଣ ସହ ଖୋର୍ଦ୍ଧାର ପୁରାତନ ଜୟୀ ରାଜଗୁରୁ ଭବନର ନିର୍ମାଣ ପାଇଁ ପୌର ପ୍ରଶାସନ ଘୋଷଣା କରିଥିଲା । ୩ ମାସ ମଧ୍ୟରେ ଶେଷ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲା । ଘୋଷଣା ଦିନ ଠାରୁ ୨ ମାସ ବିତିଯାଇଥିଲେ ମଧ୍ୟ ଏଯାଏଁ ମାଟି ଖୋଳା ଓ ବାଲି ଗୋଡ଼ି ଜମା ହେବା ବ୍ୟତୀତ ଅନ୍ୟକିଛି କାମ ହୋଇପାରିନାହିଁ ।

ଖୋର୍ଦ୍ଧା ସହର ଏନ୍ଏସିରୁ ପୌରପାଳିକା ହୋଇ ୨୫ ବର୍ଷ ବିତିଯାଇଛି । ସହରର ଜନସଂଖ୍ୟା ବୃଦ୍ଧି ପାଇଛି । କିନ୍ତୁ ନାଳ, ରାସ୍ତାଘାଟ, ବସ୍ଷ୍ଟାଣ୍ଡ, ପାନୀୟ ଜଳ, ଶ୍ମଶାନ, ସଭାଗୃହ, ପାର୍କ ଆଦି ଆବଶ୍ୟକ ଭିତ୍ତିଭୂମି ଏଯାଏଁ ବିକଶିତ ହୋଇପାରିନାହିଁ । ୨୦୨୦ ନଭେମ୍ବର ମାସରେ ସହରର ଟିଏଲ୍ସି ପଡ଼ିଆ ନିକଟସ୍ଥ ଶ୍ମଶାନ ନିକଟରେ ଅତ୍ୟାଧୁନିକ ଶ୍ମଶାନ, ବରୁଣେଇ ଠାରେ ଏକ ସ୍ମାର୍ଟ ପାର୍କ ନିର୍ମାଣ କରିବାକୁ ଟେଣ୍ଡର ଚୂଡ଼ାନ୍ତ ହୋଇଥିଲା । ଏହି ସମୟରେ ପୌର ପ୍ରଶାସନ ପକ୍ଷରୁ କୁହାଯାଇଥିଲା ଯେ ଏହି ପ୍ରକଳ୍ପଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ଶେଷ କରାଯିବ । ଆସନ୍ତା ୩ ମାସ ମଧ୍ୟରେ ଏହାର ନିର୍ମାଣ ସଂପୂର୍ଣ୍ଣ ହେବ । କିନ୍ତୁ ଏହା ମଧ୍ୟରେ ପ୍ରାୟ ୨ ମାସ ବିତିଯାଇଛି, କିନ୍ତୁ ଶ୍ମଶାନ ସ୍ଥାନରେ ମାଟି ଖୋଳାଯାଇ କେଇ ମିଟର ପ୍ଲିନ୍ଥ ନିର୍ମାଣ କରାଯାଇଥିବା ବେଳେ ବରୁଣେଇ ସ୍ମାର୍ଟ ପାର୍କ କେବଳ ମାଟି ସମତଳ ହୋଇଛି ।

ଖବର ନେବାରେ ଜଣାଯାଇଛି ଯେ ଯଦିଓ ଟେଣ୍ଡର ନଭେମ୍ବର ମାସରେ ଚୂଡ଼ାନ୍ତ ହୋଇଥିଲା । କିନ୍ତୁ ଜାନୁଆରୀ ପ୍ରଥମ ସପ୍ତାହରେ ଠିକାଦାରଙ୍କ ସହ ଏନେଇ ଚୁକ୍ତି କରାଗଲା । ବର୍ତମାନ ପ୍ରଶ୍ନ ଉଠୁଛି ଯଦି ଗତ ୩୦ ଦିନ ମଧ୍ୟରେ କେବଳ ମାଟି ଖୋଳା ମଧ୍ୟରେ ନିର୍ମାଣ ସୀମିତ ରହିଛି ତେବେ ଏହା ସଂପୂର୍ଣ୍ଣ ହେବାକୁ କେତେ ଦିନ ଲାଗିବ?

ଏନେଇ ପୌର ନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଶତପଥୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଚଳିତ ମାସରେ ଟେଣ୍ଡର ଚୁକ୍ତି ଚୂଡ଼ାନ୍ତା ହୋଇଥିଲା । ଏହା ପରେ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ଆସନ୍ତା ୨-୩ମାସ ମଧ୍ୟରେ ଏହା ଶେଷ ହେବ । ସେହିଭଳି ଜୟୀ ରାଜଗୁରୁ ଭବନର ଟେଣ୍ଡର ପ୍ରକ୍ରିୟା ଦ୍ୱାରା ଠିକାଦାର ଚୟନ ହୋଇସାରିଛି । ଫାଇଲ୍ ଜିଲ୍ଲାପାଳ ତଥା ପୌରାଧ୍ୟକ୍ଷଙ୍କ ନିକଟରେ ରହିଛି । ଖୁବ୍ଶୀଘ୍ର ଏନେଇ ଅନୁମତି ମିଳିଯିବ ।

ସୂଚନାଯୋଗ୍ୟ, ଶ୍ମଶାନ ଓ ସ୍ମାର୍ଟ ପାର୍କ ନିର୍ମାଣ ପାଇଁ ୧ କୋଟି ଲେଖାଏଁ ଓ ଜୟୀ ରାଜଗୁରୁ ଭବନ (ଟାଉନ୍ହଲ୍) ନିର୍ମାଣ ପାଇଁ ୧ କୋଟି ୩୦ଳକ୍ଷ ଟଙ୍କା ଅନୁଦାନ ମିଳିଛି । ୨.୮ ଏକର ପରିମିତ ଅଂଚଳରେ ନିର୍ମାଣ ହେବାକୁ ଥିବା ଶ୍ମଶାନରେ ୩ଟି ବଡ଼ ପିଣ୍ଡି, ପାଣି, ଗାଧୋଇବା ବ୍ୟବସ୍ଥା, କାଠ ରଖିବା ପାଇଁ ଷ୍ଟୋର ରୁମ୍, ପ୍ରତୀକ୍ଷା ଗୃହ ଓ ପାର୍କ ନିର୍ମାଣର ଯୋଜନା ରହିଛି । ସେହିଭଳି ଜୟୀ ରାଜଗୁରୁ ଭବନ କେନ୍ଦ୍ରୀୟ ଶୀତତାପ ନିୟନ୍ତ୍ରିତ ପ୍ରକୋଷ୍ଠ ସହ ୫୦୦ ଲୋକଙ୍କ ବସିବାର ଗ୍ୟାଲେରି, ପୋଡିଅମ୍ ଆଦି ନିର୍ମାଣ କରାଯିବ । ୧ ଏକର ପରିସୀମା ବିଶିଷ୍ଟ ବରୁଣେଇସ୍ଥ ସ୍ମାର୍ଟ ପାର୍କରେ ସମସ୍ତ ଆଧୁନିକ ବ୍ୟବସ୍ଥା ରଖିବାକୁ ଯୋଜନା କରାଯାଇଛି ।

ସମ୍ବନ୍ଧିତ ଖବର