ପଦ୍ମ ଘଂଚିଘୁଂଚି ଯାଉଛି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନିର୍ମାଣ  

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଲୋକ ସଂଖ୍ୟା ଦିନକୁ  ଦିନ ବୃଦ୍ଧି ପାଉଥିବା ବେଳେ ଏଠାରେ ରୋଗୀ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛନ୍ତି।  ଜିଲ୍ଲାର ଲୋକ ସଂଖ୍ୟା ୧୭ ଲକ୍ଷ ପାର ହୋଇଯାଇଥିବା ବେଳେ ଦୈନିକ ରୋଗୀ ସଂଖ୍ୟା ୧୫ ଶହରୁ ଊର୍ଦ୍ଧ୍ବ ହୋଇଛନ୍ତି। ଏତେ ଲୋକ ସଂଖ୍ୟା ଓ ରୋଗୀ ସଂଖ୍ୟାକୁ ଦେଖିଲେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା ପାଇଁ ଆବଶ୍ୟକ ଭିତ୍ତିଭୂମି ନାହିଁ। ତେଣୁ ଭଦ୍ରକ ନୂଆ ଜିଲ୍ଲା ଗଠନ ହେବା ପରେ ଭଦ୍ରକରେ ଏକ  ଜଲ୍ଲା ମୁଖ୍ୟ ଚିକିତ୍ସାଳୟ ନିର୍ମାଣ ପାଇଁ ପ୍ରସ୍ଥାବ ଦିଆଯାଇଥିଲା। ଏନଆରଏଚଏମ ଏଥିପାଇଁ ଟଙ୍କା ଦେଇଥିଲା। ମାତ୍ର ସେତେବେଳର ଅପାରଗ ଜିଲ୍ଲା ପ୍ରଶାସନ ଉପଯୁକ୍ତ ସମୟରେ ଜମି ଯୋଗାଇ ଦେଇ ନପାରିବା ପରେ ଟଙ୍କା ଫେରସ୍ତ ହୋଇଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ତତ୍କାଳୀନ ଜିଲ୍ଲାପାଳ  ଲକ୍ଷ୍ମୀନାରାୟଣ ମିଶ୍ର ଭଦ୍ରକର ଗେଲପୁର ମୌଜାରେ ୧୨ ଏକର ସରକାରୀ ଜମି  ସ୍ବାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରିବା ପରେ ଗେଲପୁର ମୌଜାରେ ୫୦୦ ବେଡର ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରତିଷ୍ଠା ଓ ୧୦୦ ବେଡର ମହିଳା ଓ ଶିଶୁ ୱାର୍ଡ ଖୋଲିବାକୁ ଯୋଜନା କରାଯାଇଥିଲା। ସେତେବେଳେ ମଧ୍ୟ ଭଦ୍ରକରେ  ଏକ ନର୍ସିଂ ସ୍କୁଲ ଖୋଲିବାକୁ ପ୍ରସ୍ଥାବ ଦେଇଥିଲେ। ମାତ୍ର ଅପାରଗ ଜିଲ୍ଲା ପ୍ରଶାସନ ପାଇଁ ଭଦ୍ରକ‌ରେ ସ୍ବାସ୍ଥ୍ୟ ବିଭାଗର ଏଇ ସବୁ ଯୋଜନା ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରିଲା ନାହିଁ।

ଜିଲ୍ଲାପାଳମାନଙ୍କର ଉଦାସିନ ମନୋଭାବ ଭଦ୍ରକ ଜିଲ୍ଲାର ବାଧବ ବୋଲି ସେତେବେଳେ ସବୁଠି ଚର୍ଚ୍ଚା ହେବା ପରେ ଜମି ଯୋଗାଇ ଦିଆଗଲା। ଏଇ ଜମି ଯୋଗାଣ  ହେବାର ଏହା ଭିତରେ ୪ ବର୍ଷ ବିତିଗଲାଣି। ମାତ୍ର ଏଠାରେ  ଜିଲ୍ଲା ମୁଖ୍ୟ  ଚିକତ୍ସାଳୟ  ନିର୍ମାଣ କାମ ଆରମ୍ଭ ହୋଇପାରିଲା ନାହିଁ। ପ୍ରସ୍ତାବିତ ଗେଲପୁର ମୌଜାର ଏଇ ଜମି  ଉପରେ  ଏବେ ୧୦୦ ବେଡର  ମହିଳା ଓ ଶିଶୁ ୱାର୍ଡ କାମ ଚାଲିଛି। ଏହାର ୭ ତାଲା ବିଶିଷ୍ଟ ହସପିଟାଲ ହୋଇଛି। ଏହାର ନିର୍ମାଣ ଏରିଆ‌  ୧୨ ହଜାର ୩୦୦ ସ୍କ୍ବାୟାର ଫୁଟ୍ ହୋଇଛି। ୨୨ କୋଟି ଟଙ୍କାର ବ୍ୟୟ ଅଟକଳରେ ନିର୍ମାଣ ହେଉଥିବା ଏଇ ମହିଳା ଓ ଶିଶୁ ୱାର୍ଡ କାମ ଅଧା ହୋଇଥିବା ବେଳେ ଆହୁରି ଅଧା କାମ ବାକି ରହିଛି।

୨୦୧୯ ମସିହା ଅକ୍ଟୋବର ୧୦ ତାରିଖରୁ ଆରମ୍ଭ ହୋଇଥିବା ଏଇ ପ୍ରକଳ୍ପ କାମ ଚାଲିଥିବା ବେଳେ ଏହ‌ାର ର୍ନିମାଣ ଅବଧିର ଶେଷ ତାରିଖ ରହିଛି ୨୦୨୧  ମସିହା ଏପ୍ରିଲ ୯ ତାରିଖ। ମାତ୍ର ଏଠାରେ ଯେଭଳି ଭାବେ କାମ ଚାଲିଛି। ତାହା ଏହି ସମୟ ସୀମା  ମଧ୍ୟରେ ଶେଷ ହୋଇ ପାରିବ କି ନାହିଁ ତାହା ଉପରେ ସନ୍ଦେହ ପ୍ରକାଶ ପାଇଛି। ଜିଲ୍ଲା ଆରଏଣ୍ଡ ବି ବିଭାଗ ପକ୍ଷରୁ  କରାଯାଉଥିବା ଏଇ କାର୍ଯ୍ୟର ପୂର୍ଣ୍ଣାଙ୍ଗ ରୂପ କେବେ ହେବ ତାହାକୁ ଲୋକେ ଅପେକ୍ଷା କରିଛନ୍ତି। କେବଳ ମହିଳା ଶିଶୁ ୱାର୍ଡ ଏଠାରେ ନିର୍ମାଣ ହୋଇଗଲେ ହେବ ନାହିଁ। କାରଣ ଯେଉଁ ମୁଖ୍ୟ ଉଦ୍ଦେଶ୍ୟ ସାଧନ ପାଇଁ ଏଠାରେ ଜମି ଦିଆଯାଇଥିଲା। ତାହା ହେଉଛି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିର୍ମାଣ ପ୍ରସଙ୍ଗ।

ଏଠାରେ ପ୍ରକାଶ ଥାଉକି ୫୦୦ ବେଡର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମୋଡି ମାଡି ସରକାର ୩୦୦ ବେଡକୁ ଖସାଇ ଦେଇଛନ୍ତି। ସରକାରଙ୍କର ଏଭଳି ଚକ୍ରାନ୍ତ ପଛରେ କାଳେ ଭଦ୍ରକିଆ ମେଡିକାଲ କଲେଜ ପାଇଁ  ଆଗାମୀ ଦିନରେ ଦାବି ଉଠାଇବେ। ତେଣୁ ମୂଳୁ ମାରିଲେ ଯିବ ସରି ଦେବଙ୍କ ସଙ୍ଗେ କିମ୍ପା କଳି ନ୍ୟାୟରେ ଏହାର ବେଡ ସଂଖ୍ୟାକୁ କମାଇ ପ୍ଲାନ ପ୍ରପୋଜାଲ ପ୍ରସ୍ତୁତ କରାଯାଇ ସରକାରଙ୍କୁ ଚୂଡାନ୍ତ ରିପୋର୍ଟ ଦେବାରେ ଆମ ଜିଲ୍ଲା ପ୍ରଶାସନ ବେଶ୍ ସଫଳ ହୋଇଛନ୍ତି।

ଜିଲ୍ଲାବାସୀଙ୍କର ମୂଳ ଦାବି ୫୦୦ ବେଡର ହସିପିଟାଲକୁ ମୂଳରୁ ମୋଡି ଦିଆଗଲା। ତେବେ ଏଇ ୩୦୦ ବେଡର ଜିଲ୍ଲା ମୁଖ୍ୟ ଚିକିତ୍ସା‌ଳୟ ନିର୍ମାଣ ପାଇଁ ପ୍ରାୟ ୧୦୦ କୋଟି ଟଙ୍କାର ଅର୍ଥ ମଂଜୁର କରାଯାଇ ଏହାକୁ ନିର୍ମାଣ କରିବା ପାଇଁ ଯୋଜନା ରହିଛି।  ଶୁଣାଯାଉଛି ଖୁବ୍ ଶୀଘ୍ର ଏହାର ଟେଣ୍ଡର  ପ୍ରକ୍ରିୟା  ଆରଏଣ୍ଡବି ବିଭାଗ କରିବ। ମାତ୍ର ଆରଏଣ୍ଡବି ବିଭାଗ ଏହି କାର୍ଯ୍ୟକୁ ଯେତିକି ତ୍ବରାନ୍ବିତ କରିବା କଥା ତାହା କରୁ ନାହିଁ ବୋଲି ଭଦ୍ରକ ଜିଲ୍ଲାର ବୁଦ୍ଧିଜୀବୀଙ୍କଠାରୁ ଆରମ୍ଭ କରି ସାଧାରଣ ନାଗରିକ ପର୍ଯ୍ୟନ୍ତ ପ୍ରତିବାଦର ସ୍ବର ଉଠାଇଛନ୍ତି।

ଜିଲ୍ଲାର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ନେଇ ସବୁ ଲୋକ ଅତିଷ୍ଠ ହୋଇଥିବା ବେଳେ ୧୦୦ରୁ  ଉର୍ଦ୍ଧ୍ବ ଡାକ୍ତର ପଦବୀ ଖାଲି ପଡିଛି। ନର୍ସ, ଫାମାସିଷ୍ଟ, ଏଏନଏମ ପଦବୀ ସବୁ ଖାଲି ପଡିଛି। ଯେଉଁଥି ପାଇଁ ଜିଲ୍ଲାବାସୀ  ଜିଲ୍ଲାରୁ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ପାଇବାରୁ ବିଫଳ ହୋଇଛନ୍ତି। ରାଜ୍ୟ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନ‌ନେଲେ ଜିଲ୍ଲାରେ ମେଡିକାଲ କଲେଜ ଆନ୍ଦୋଳନ ଜାରି ରହିବା ପ‌ରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିର୍ମାଣ ପ୍ରସଙ୍ଗ ନେଇ ଆନ୍ଦୋଳନ ଜୋରଦାର କରାଯିବ। ଏଭରିକି ଆନ୍ଦୋଳନ ରାଜରାସ୍ତାରୁ ରାଜଧାନୀକୁ ଯୁବ ବୋଲି  ଜନସାଧାରଣ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର