ରାୟଗଡ଼ା: ଜେଲ ଫେରନ୍ତା ପ୍ରସୂତି ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ଜାତୀୟ ମାନବାଧିକାର କମିସନ (ଏନ୍ଏଚ୍ଆରସି)ରେ ମାମଲା ରୁଜୁ ହୋଇଛି। ମାନବାଧିକାର କର୍ମୀ ରବୀନ୍ଦ୍ର ମିଶ୍ର ଘଟଣା ସଂପର୍କରେ କମିସନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ୯ ମାସର ଗର୍ଭବତୀକୁ ପୁଲିସ ଗିରଫ କରିବା, ଜାମିନ ପରେ ପୁଣି ଦ୍ବିତୀୟ ମାମଲାରେ ଜେଲରେ ରଖିବା, ଉପଯୁକ୍ତ ଚିକିତ୍ସା ଅଭାବ ଯୋଗୁ ନବଜାତ ଶିଶୁପୁତ୍ରକୁ ଜନ୍ମ ଦେବା ପରେ ସୁଲାବତୀ ନାୟକଙ୍କ ମୃତ୍ୟୁ, ଏହି ସମସ୍ତ ଘଟଣା ପାଇଁ ପୁଲିସ-କମ୍ପାନି କର୍ତ୍ତୃପକ୍ଷଙ୍କୁ ଦାୟୀ କରିବାକୁ ମାନବାଧିକାର କର୍ମୀ ଶ୍ରୀ ମିଶ୍ର କମିସନଙ୍କ ନିକଟରେ ପକ୍ଷ ରଖିଛନ୍ତି। କମିସନଙ୍କ ନିକଟରେ ଦାୟର ହୋଇଥିବା ମାମଲାରେ ମୃତକଙ୍କ ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ପାଇଁ ଦାବି ହୋଇଛି। ସୁଲାବତୀଙ୍କ ମୃତ୍ୟୁ ପରେ କମ୍ପାନି ୫ ଲକ୍ଷ କ୍ଷତିପୂରଣ ସହ ତାଙ୍କ ସ୍ବାମୀକୁ ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦେଇଛି। ପୂର୍ବରୁ କମ୍ପାନି ସୁଲାବତୀଙ୍କ ‌ସମେତ ଅଣ୍ଡିରାକଞ୍ଚ ଗ୍ରାମର ଅନ୍ୟ ମହିଳାଙ୍କ ଏହି ଦାବିକୁ କାହିଁକି ଅଣଦେଖା କରୁଥିଲା। କମ୍ପାନି ନିର୍ଦ୍ଦେଶରେ ପୁଲିସ ରାତି ଅଧରେ ମହିଳାଙ୍କୁ ଗିରଫ କରି ମାନବାଧିକାର ନିୟମ ଉଲ୍ଲଂଘନ କରିଥିବାରୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦେଶ ପାଇଁ କମିସନଙ୍କୁ ଶ୍ରୀ ମିଶ୍ର ନିବେଦନ କରିଛନ୍ତି।

Advertisment

ପୂର୍ବରୁ ଏହି ମାମଲାରେ ବିଜେପି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପୁଲିସ, କମ୍ପାନି କର୍ତ୍ତୃପକ୍ଷଙ୍କୁ ଘଟଣା ପାଇଁ ଦାୟୀ କରି ତୁରନ୍ତ କ୍ଷତିପୂରଣ ସହ ମୃତକଙ୍କ ପରିବାରର ସମସ୍ତ ଦାୟିତ୍ବ ତୁଲାଇବାକୁ ଦାବି କରିଥିଲା। ଶନିବାର ଏହି ଘଟଣାରେ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ସାମ୍ବାଦିକ ସମ୍ମିଳନୀ କରି ପୁଲିସ, ପ୍ରଶାସନ, କମ୍ପାନି କର୍ତ୍ତୃପକ୍ଷଙ୍କୁ ଘେରିବା ସହ ମୃତକଙ୍କ ପରିବାରକୁ କୋଟିଏ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଥିଲେ। ‌ନଚେତ୍ ଫେବ୍ରୁଆରୀ ୬ ତାରିଖରେ କଂଗ୍ରେସ କମ୍ପାନି ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଚେତାବନୀ ଦେଇଛି। ସୂଚନାଯୋଗ୍ୟ, କମ୍ପାନିରେ କାମ ଦାବିରେ ଆନ୍ଦୋଳନ କରୁଥିବା ୧୩ ମହିଳାଙ୍କୁ ଡିସେମ୍ବର ୨୬ ତାରିଖ ରାତିରେ ପୁଲିସ ଗିରଫ କରିଥିଲା। ଗିରଫ ମହିଳାଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରେ ଜଣେ ଗର୍ଭବତୀ, ୪ ଜଣ ସ୍ତନ୍ୟପାନ କରୁଥିବା ଶିଶୁ ଥିଲେ। ୧୪ ଦିନ ମହିଳା ମାନେ ଜେଲରେ ରହିବା ପରେ ଜାନୁଆରୀ ୧୦ ତାରିଖରେ ଜାମିନରେ ମୁକୁଳିଥିଲେ। ୧୧ ତାରିଖରେ ମୁଲାବତୀ ନବଜାତ ଶିଶୁ ପୁତ୍ରକୁ ଜନ୍ମ ଦେବା ପରେ ମୃତ୍ୟୁବରଣ କରିଥିଲେ।