ରାୟଗଡ଼ା: କାମ ଦାବିରେ ଆନ୍ଦୋଳନ କରୁଥିବା ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀଙ୍କ ବିରୁଦ୍ଧରେ ଜିଲ୍ଲାପାଳଙ୍କୁ ଫେରାଦ ହୋଇଛନ୍ତି ଲୋକ ପ୍ରତିନିଧି। ତୁରନ୍ତ ଥାନା ଅଧିକାରୀଙ୍କ ସହ ଏସଆଇଙ୍କ ବଦଳି କରିବା ପାଇଁ ସରପଞ୍ଚ, ସମିତିସଭ୍ୟ, ନାଏବ ସରପଞ୍ଚ ଓ ୱାର୍ଡମେମ୍ବର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବା ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। ନଚେତ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି। ଏଭଳି ଅଧିକାରୀ ଆଇନ ଶୃଙ୍ଖଳା ଦାୟିତ୍ବରେ ଅଞ୍ଚଳବାସୀ ନିଜକୁ ସୁରକ୍ଷିତ ମଣିବେ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି। ମାଇକଞ୍ଚ ସରପଞ୍ଚ ମସ୍ତରାମ ମାଝିଙ୍କ ନେତୃତ୍ବରେ ଆଜି ଗ୍ରାମବାସୀ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଛନ୍ତି। ପୁଲିସର ରାତି ଅଧିଆ କାର୍ଯ୍ୟାନୁଷ୍ଠାନକୁ ତୀବ୍ର ନିନ୍ଦା କରିଛନ୍ତି। ଗିରଫ ୧୩ ମହିଳାଙ୍କ ଭି‌ତରେ ଜଣେ ଗର୍ଭବତୀ, ୪ ଜଣ ସ୍ତନ୍ୟପାନ ଶିଶୁ ଥିବା ସତ୍ତ୍ବେ ପୁଲିସ ଆମାନବିକ ଭାବେ କିପରି ଗିରଫ କରି କୋର୍ଟ ଚାଲାଣ କଲା ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। କମ୍ପାନି ପାଇଁ ଜମି, ଘର ହରାଇ ଗ୍ରାମବାସୀ ରୋଜଗାରର ପନ୍ଥା ପାଇପାରୁନାହାନ୍ତି। ଏପରି ସ୍ଥିତିରେ କମ୍ପାନି ଗ୍ରାମବାସୀଙ୍କୁ କାମ ପ୍ରଦାନ କରିବା ବଦଳରେ ପୁଲିସ ଲଗାଇ ଜୁଲମ୍ କରୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Advertisment

ଆଇନ ଉଲ୍ଲଂଘନ କରି ରାତି ଅଧରେ ମହିଳାଙ୍କୁ ଗିରଫ କରିଥିବା ପୁଲିସ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରପଞ୍ଚ ଶ୍ରୀ ମାଝୀ, ସମିତିସଭ୍ୟ ହରିଶ୍ଚନ୍ଦ୍ର ଦଳପତି, ନ‌ାଏବ ସରପଞ୍ଚ କରୁଣା ଝୋଡିଆ, କରଞ୍ଜକୁପାଖାଲ ୱାର୍ଡମେମ୍ବର କରନାଥ ମାଝି, କାଟିଲି ୱାର୍ଡମେମ୍ବର ତୁଳାବତୀ ନାଏକ, ଲୁଣ୍ଡୁରୁକଣା ୱାର୍ଡମେମ୍ବର କୁସୁମା ନାଏକ, ପାଇକକୁପାଖାଲ ୱାର୍ଡମେମ୍ବର ଜୟନ୍ତି ମାଝୀ, ମାଇକଞ୍ଚ ୱାର୍ଡମେମ୍ବର ସାଲେମ ମାଝୀ, ଅଣ୍ଡିରାକଞ୍ଚ ୱାର୍ଡମେମ୍ବର ମଇନା ମାଝୀ ପ୍ରମୁଖ ଦାବି କରିଛନ୍ତି। ପ୍ରସୂତି ସୁଲବତୀ ନାଏକ ମୃତ୍ୟୁ ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନ (ଏନ୍ଏଚ୍ଆରସି) ରେ ମାମଲା ରୁଜୁ ହୋଇଥିବା ବେଳେ ମୃତକଙ୍କ ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ପାଇଁ ଦାବି ହୋଇଛି। ସେହିପରି ଏହି ମାମଲାରେ କଂଗ୍ରେସ ମୃତକଙ୍କ ପରିବାରକୁ ଥଇଥାନ ସହ କୋଟିଏ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛି କଂଗ୍ରେସ। ସୂଚନାଯୋଗ୍ୟ, କମ୍ପାନିରେ କାମ ଦାବିରେ ଆନ୍ଦୋଳନ କରୁଥିବା ୧୩ ମହିଳାଙ୍କୁ ଡିସେମ୍ବର ୨୬ ତାରିଖ ରାତିରେ ପୁଲିସ ଗିରଫ କରିଥିଲା। ୧୪ ଦିନ ମହିଳାମାନେ ଜେଲରେ ରହିବା ପରେ ଜାନୁଆରୀ ୧୦ ତାରିଖରେ ଜାମିନରେ ମୁକୁଳିଥିଲେ। ୧୧ ତାରିଖରେ ସୁଲବତୀ ନବଜାତ ଶିଶୁ ପୁତ୍ରକୁ ଜନ୍ମ ଦେବା ପରେ ମୃତ୍ୟୁବରଣ କରିଥିଲେ।