ଖୋର୍ଦ୍ଧା: ଗତ ୧ ମାସ ମଧ୍ୟରେ ଚିଲିକାର ଜୈବ ବିବିଧତା ସମ୍ବେଦନଶୀଳ ନଳବଣରେ ଏକାଧିକ ଥର ନିଆଁ ଲାଗିଛି। ଏହି ନିଆଁ କୌଣସି ଦୁର୍ବୃତ୍ତ ଲଗାଇଥିବା ଆଶଙ୍କା କରାଯାଉଥିଲେ ମଧ୍ୟ ସେମାନଙ୍କୁ ଧରିବାରେ କିମ୍ବା ନଳବଣକୁ ରକ୍ଷା କରିବାରେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ବିଭଳ ହୋଇଛନ୍ତି। ଏଭଳି ଏକ ସ୍ପର୍ଶକାତର ଘଟଣାରେ ଆଜି ଖୋର୍ଦ୍ଧାର ପ୍ରକୃତିପ୍ରେମୀ ଓ ପରିବେଶବିତ୍ଙ୍କ ପକ୍ଷରୁ ଏକ ଦାବିପତ୍ର ଟାଙ୍ଗୀ ବନ୍ୟପ୍ରାଣୀ ବନାଂଚଳ ଅଧିକାରୀଙ୍କ ଜରିଆରେ ଚିଲିକା ବନଖଣ୍ଡ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି।
ପ୍ରକୃତିପ୍ରେମୀ ଧନେଶ୍ୱର ବିଧାର, ମାଧବ ମହାରଣା, ଦେବାଶିଷ ସାହୁ, ସତ୍ୟନାରାୟଣ ପ୍ରଧାନ, ସୁମନ୍ତ କୁମାର ଜେନା, ସୌରଭ କୁମାର ଦାସମହାପାତ୍ର ପ୍ରମୁଖ ଆଜି ସଂଧ୍ୟାରେ ଟାଙ୍ଗୀ ବନାଂଚଳ ଅଧିକାରୀଙ୍କୁ ଭେଟି ଏନେଇ ଆଲୋଚନା କରିଛନ୍ତି । ଏହା ସହ ୪ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏହି ସ୍ମାରକପତ୍ର ସମ୍ପର୍କରେ ପରିବେଶବିତ୍ ଶ୍ରୀ ବିଧାର କହିଛନ୍ତି ଯେ ମଇ ୧୦ରେ ବିଶ୍ୱ ପକ୍ଷୀ ଦିବସ, ମଇ୨୨ରେ ବିଶ୍ୱ ଜୈବ ବିବିଧତା ଦିବସ, ଜୁନ୍ ୫ରେ ବିଶ୍ୱ ପରିବେଶ ଦିବସ ଏଭଳି ସମୟରେ ଚିଲିକା ଭଳି ଏକ ବିଶ୍ୱ ଜୈବ ଐତିହରେ ଏଭଳି ନିଆଁ ଲାଗିବା ଦୁଃଖଦ। ନଳବଣରେ ନିଆଁ ଲାଗିବା ଦ୍ୱାରା ଅନେକ ପକ୍ଷୀ ଓ ଜୀବଜନ୍ତୁଙ୍କ ପ୍ରାକୃତିକ ବାସସ୍ଥଳୀ ପୋଡ଼ି ଛାରଖାର ହୋଇଯାଇଛି । ଏହାକୁ ଯିଏ ନିଆଁ ଲଗାଇଛି ତାହା ଏକ ଅମାନୁଷିକ କାର୍ଯ୍ୟ । ବିଭାଗ ଯୁଦ୍ଧକାଳୀନ ଭିତ୍ତରେ ଏଦିଗରେ ପଦକ୍ଷେପ ନେଇ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ତଦନ୍ତ କରି ରିପୋର୍ଟ ସାର୍ବଜନୀନ କରିବା, ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ଏନେଇ ସଚେତନ କରିବା, ଏଥିପାଇଁ ଦାୟୀ ବ୍ୟକ୍ତିଙ୍କୁ ତୁରନ୍ତ ଦଣ୍ଡିତ କରିବା ଆଦି ୪ ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/Khordha-Chilika-Nalabana-re-nian-Ghatana-re-dabipatra.jpeg)