ବିଜେପି ପକ୍ଷରୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ କଟକଣା ଯୁକ୍ତ ରଥଯାତ୍ରା ପାଳନ ଦାବି

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା

ବାରିପଦ:କରୋନାକୁ ଢ଼ାଲ କରି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଐତିହ୍ୟ, ସମୃଦ୍ଧି ଓ ପରମ୍ପରାକୁ ଧ୍ୱଂସ କରା ନଯାଇ କଟକଣା ଯୁକ୍ତ ରଥଯାତ୍ରା ପାଳନ କରାଯିବା ଦାବି ନେଇ ବିଜେପିର ମୟୂରଭଞ୍ଜ ସାଙ୍ଗଠନିକ ଜିଲ୍ଲା ପୂର୍ବ ଭାଗ ସଭାପତି କାନ୍ଦ୍ରା ସୋରେନଙ୍କ ନେତୃତ୍ୱରେ  ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ପ୍ରଦର୍ଶନ କରାଯାଇଥିଲା ।

ଚଳିତ ବର୍ଷ ଶ୍ରୀକ୍ଷେତ୍ର ଧାମ ପୁରୀରେ କରୋନା କଟକଣା ମଧ୍ୟରେ ମହାପ୍ରଭୂଙ୍କ ରଥ ଟଣାକୁ ଅନୁମତି ମିଳିଥିବା ସମୟରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାଠାରେ ମହାପ୍ରଭୂଙ୍କ ଶ୍ରୀଗୁଣ୍ଡିଚାଯାତ୍ରା ପାଳନ ଉପରେ ଓଡ଼ିଶା ସରକାର ରୋକ୍ ଲଗାଇଛନ୍ତି । ଫଳରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ତଥା ମୟୂରଭଞ୍ଜ ଜିଲ୍ଲାବାସୀ ଓ ମହାପ୍ରଭୂଙ୍କ ଭାବାବେଗ ଉପରେ ଗଭୀର ଭାବେ ଆଘାତ ପହଁଞ୍ଚାଇଛି ।

ବିଜେପି ଜିଲ୍ଲା ସଭାପତି ଶ୍ରୀ ସୋରେନଙ୍କ କହିବା ଅନୁସାରେ ବିଶ୍ୱ ମହାମାରୀରୁ ମୁକୁଳିବା ନିମନ୍ତେ ସରକମ ଚଳାଇଥିବା ବେଳେ ମହାମାରୀକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଓଡ଼ିଶା ସରକାର ଓ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଜନ, ସଂକୀର୍ତ୍ତନ , ମନ୍ଦିର ଭିତରକୁ ଭକ୍ତମାନଙ୍କ ପ୍ରବେଶ ଆଦି ଉପରେ ରୋକ ଲଗାଇଛନ୍ତି । ଏହି କରୋନା କଟକଣା ଜାରି ହୋଇଥିବା ବାରିପଦା ଛଏ ପଡ଼ିଆ ପରିସରରେ ୩ ଦିନ ଧରି ଆଇପିଏଲ ଖେଳ ସାଙ୍ଗକୁ ହଜାର ହଜାର ଜନସମାଗମ ମଧ୍ୟରେ କିପରି ଡ଼ିସକୋ ଡ୍ୟାନ୍ସ ଆୟୋଜନ କରାଯାଇ ପାରିଥିଲା ବୋଲି ପ୍ରଶ୍ନ କରିଛନ୍ତି ।

ସେହିପରି ରାଜ୍ୟରେ ସଟ୍ ଡ଼ାଉନ ଓ ଲକ୍ ଡ଼ାଉନ ଜାରି ହୋଇଥିବା ବେଳେ ବିଜେଡ଼ିର ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଶହ ଶହ ଦଳୀୟ କର୍ମକର୍ତ୍ତା, ସଦସ୍ୟମାନଙ୍କ ଉପସ୍ଥିତିରେ କର୍ମୀ ସମ୍ମିଳନୀ ଆୟୋଜନ ସହ  ଉଦଘାଟନ ଆଦି କରୁଥିବା ବେଳେ କରୋନା ମହାମାରୀର ସଂକ୍ରମଣର ସମ୍ଭାବନା ନଥାଏ କି ବୋଲି ବିଜେପି ପ୍ରଶ୍ନ ଉଠାଇଛି ।

ଏଥି ସହିତ କରୋନାକୁ ନେଇ ନୀତି ନିର୍ଦ୍ଧାରଣ କରୁଥିବା ସରକାର ଓ ଜିଲ୍ଲା ପ୍ରଶାସନ ଏହା ଜାଣି ପାରୁନାହାନ୍ତି କି ? କରୋନା କଟକଣା ଶାସକ ବିଜେଡ଼ି ଗୋଟାଏ ପ୍ରକାରର ଏବଂ ସାଧାରଣ ଜନତା ଅଥବା ଅନ୍ୟ ରାଜନୈତିକ ଦଳ ପାଇଁ ଅଲଗା ପ୍ରକାରର ବୋଲି ପ୍ରଶ୍ନ କରିଛନ୍ତି । ଏଣୁ କରୋନା କଟକଣା ମଧ୍ୟରେ ସମସ୍ତ ନୀତି ନିୟମ ପାଳନ ପୂର୍ବକ ବିନା ଭକ୍ତରେ ରଥ ଟଣା କାର୍ଯ୍ୟକୁ ଅନୁମତି ଦେଇ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଏହି ସମୃଦ୍ଧ ପରମ୍ପରାକୁ ବଞ୍ଚାଇ ରଖିବା ନିମନ୍ତେ ବିଜେପି ପକ୍ଷରୁ ହାତରେ ପ୍ଲେ-କାର୍ଡ଼ ଧରି, ଘଣ୍ଟ ଓ ଘଣ୍ଟା ବଜାଇ ଗଣଧାରଣା ପ୍ରଦର୍ଶନ କରିଥିଲେ । ସେହିପରି ବନ୍ଦ ରହିଥିବା ରଥ ନିର୍ମାଣ କାମ ତୁରନ୍ତ ଆରମ୍ଭ କରିବାକୁ ଦାବି ହୋଇଛି।

ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୟୂରଭଞ୍ଜ ଲୋକସଭା ସାଂସଦ ବିଶ୍ୱେଶର ଟୁଡ଼ୁ, ମୟୂରଭଞ୍ଜ ପଶ୍ଚିମ ଜିଲ୍ଲା ସଭାପତି ତଥା ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝି, ରାଜ୍ୟ ସମ୍ପାଦକ ନବୀନ ରାମ, ରାଜ୍ୟ ସ୍ଥାୟୀ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣଚନ୍ଦ୍ର ମହାପାତ୍ର, ସୁଗଦା ମୁର୍ମୁ, କବି ବିଷ୍ଣୁ ଶତପଥୀ, ପ୍ରଦୀପ ମହାନ୍ତି, ଲକ୍ଷ୍ମୀଧର ହାବଡ଼ା, ଲକ୍ଷ୍ମଣ ତ୍ରିପାଠୀ, ପ୍ରବୀଣ କୁମାର ପାତ୍ର, ବିଜୟ କୁମାର ଦାସ, ଦୀନେଶ ଦାସ, କୁମାର ମଙ୍ଗଳମ, ବିଜୟ କୁମାର ହୋତା, ଏମଡ଼ି ଅମୀରୁଦ୍ଦିନ, ଶୋଭାବତୀ ଓତା, ମମତା ମଣ୍ଡଳ, ସସ୍ମିତା ପୃଷ୍ଟି, ମାନସୀ ତ୍ରିପାଠୀ, ସୁମନ ସିଂ, ଗାୟତ୍ରୀ ପରିଡ଼ା, ସ୍ୱର୍ଣ୍ଣ ଲତା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର