ଜୟପୁର: ଏଣିକି ଭୁବନେଶ୍ବର-ଜୟପୁର, ଜୟପୁର-ବିଶାଖାପାଟଣା, ବିଶାଖାପାଟଣାରୁ ଜୟପୁର, ଜୟପୁର-ଭୁବନେଶ୍ବରକୁ ସପ୍ତାହର ସାତ ଦିନ ଯାକ ବିମାନ ଚଳାଚଳ ଗତକାଲି ରବିବାରଠାରୁ ଇଣ୍ଡିଆ ୱାନ ଏୟାର ପକ୍ଷରୁ କରାଯାଇଛି। ପୂର୍ବରୁ ସପ୍ତାହରେ ରବିବାର ବାଦ୍ ଦେଇ ୬ଦିନ ବିମାନ ଚଳାଚଳ କରୁଥିଲା। ତେବେ ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ନୂଆବର୍ଷର ପ୍ରଥମ ଦିନ ଅର୍ଥାତ ଗତକାଲି ରବିବାରରୁ ଏହି ସେବା ସପ୍ତାହରେ ସାତ ଦିନ ଆରମ୍ଭ ହୋଇଛି। ଇଣ୍ଡିଆ ୱାନ ଏୟାରର ଆଉ ଗୋଟିଏ ବିମାନ ଆସି ଭୁବନେଶ୍ବର ବିମାନବନ୍ଦରେ ରଖାଯାଇଥିବାବେଳେ ଅତିଶୀଘ୍ର ଏହାକୁ ବି ଆରମ୍ଭ କରାଯିବ ବୋଲି ଇଣ୍ଡିଆ ୱାନ ଏୟାର ପକ୍ଷରୁ ଟୁଇଟ୍ କରାଯାଇଛି। ତେବେ ଏହାକୁ ଶୀଘ୍ର ଆରମ୍ଭ କରିବାକୁ ଦାବି ଉଠିଛି ।
ନୂଆରେ ଆସିଥିବା ୨ୟ ବିମାନଟି ସକାଳୁଆ ଜୟପୁରରୁ ଭୁବନେଶ୍ବର ଅଭିମୁଖେ ବାହାରୁ ବୋଲି ଦାବି କରିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ସାଂସଦ ଇଂ.ସପ୍ତଗିରି ଶଙ୍କର ଉଲ୍ଲାକା, ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ, ବରିଷ୍ଠ ବିଜେଡି ନେତ୍ରୀ ଡ.ଇନ୍ଦିରା ନନ୍ଦ, କେସିସି ବ୍ୟାଙ୍କ ସଭାପତି ଇଂ.ଇଶ୍ବର ପାଣିଗ୍ରାହୀ, ରାଜ୍ୟ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ, ସ୍ବତନ୍ତ୍ର ଉନ୍ନୟନ ପରିଷଦର ସଭାପତି ଚନ୍ଦ୍ରଶେଖର ମାଝୀ, ଓ ଜୟପୁର ଚାମ୍ବର ଅଫ୍ କମର୍ସର କର୍ମକର୍ତ୍ତା ଓ ବ୍ୟବସାୟୀ ସଂଜୟ ଜୈନ, ସୁବାସ ରାଉତ, ଏନ୍ ଲକ୍ଷ୍ମଣ ରାଓ, ଜିଲ୍ଲା ମିଲ ମାଲିକ ସଂଘ ସଭାପତି ପୁର୍ଣ୍ଣ ପଟ୍ଟନାୟକ । ଆସନ୍ତା ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଅନଲାଇନ୍ ଟିକେଟ ବୁକିଂ ସ୍ଲଟ୍ ଖୋଲାଯାଇଛି। ଗତ ଅକ୍ଟୋବର ୩୧ତାରିଖ ଲୋକାର୍ପଣ ଉତ୍ସବ ପରଠାରୁ ଆଜି ପର୍ଯ୍ୟନ୍ତ ସବୁ ଉଡାଣରେ ଯାତ୍ରୀ ୯ରୁ ୮ଟି ସିଟରେ ଯାତ୍ରା କରିଛନ୍ତି ବୋଲି କହିଛନ୍ତି ଉପଜିଲ୍ଲାପାଳ ବେଦବର ପ୍ରଧାନ। ଗୋଟିଏ ସିଟରେ ବିମାନ ଇଂଜନିୟର ଯାତ୍ରା କରୁଛନ୍ତି ବୋଲି କହିଛନ୍ତି ଉପଜିଲ୍ଲାପାଳ।
ବିମାନରେ ଯାତ୍ରା କରିବାକୁ ଲୋକଙ୍କ ଚାହିଦା ଅଧିକା ରହୁଥିବାବେଳେ ବହୁ ସମୟରେ ଟିକେଟ ମିଳୁନଥିବାରୁ ଦ୍ବିତୀୟଟି ଆରମ୍ଭ ହେଲେ କିଛି ମାତ୍ରାରେ ଲୋକଙ୍କର ଆବଶ୍ୟକତା ପୁରଣ ହୋଇପାରିବ ବୋଲି କହିଛନ୍ତି ପୌରାଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ବିଜେପିର ସ୍ଥାୟୀ ନିମନ୍ତ୍ରିତ ସଭ୍ୟ ଗୌତମ ସାମନ୍ତରାୟ, ବିଜେଡି ନେତା ହିମାଂଶୁ ମହାପାତ୍ର, ସତୀଶ ସାହୁ। ପ୍ରଥମେ ରାଜ୍ୟ ପରିବହନ ବିଭାଗ ଓ ପରେ ବିମାନ ଉଡାଣ କଂପାନୀ ‘ଇଣ୍ଡିଆୱାନ ଏୟାର ’ପକ୍ଷରୁ ବିମାନ ପହଚିଂବା ଟୁଇଟ୍ କରିବା ପରେ ଯାତ୍ରୀମାନଙ୍କ ମନରେ ୨ୟ ବିମାନର ସମୟସାରିଣୀ କେବେ ବାହାରିବ ଏବଂ କେବେଠାରୁ ଚାଲିବ ତାହାକୁ ନେଇ ଉତ୍କଣ୍ଠା ବଢ଼ିଛି।