ବିସ୍ଫୋରଣରେ ଗୁରୁତର ଆହତ ଶ୍ରମିକଙ୍କୁ ଠିକାସଂସ୍ଥାର ଅବହେଳା, କ୍ଷତିପୂରଣ ଦାବିକଲା ବିଜେପି

ବିସ୍ଫୋରଣରେ ଗୁରୁତର ଆହତ ଶ୍ରମିକଙ୍କୁ ଠିକାସଂସ୍ଥାର ଅବହେଳା, କ୍ଷତିପୂରଣ ଦାବିକଲା ବିଜେପି

ଝାରସୁଗୁଡ଼ା : ଗତ ମାର୍ଚ୍ଚ ୧୧ ତାରିଖ ଦିନ ଠେଲକୋଲୋଇ ସ୍ଥିତ ଜିନ୍ଦଲ  ( ଜେଏସଡବ୍ଲୁ-ବିପିଏସଏଲ) କାରଖାନାକୁ ଏକ ଠିକାସଂସ୍ଥା ଅଧିନରେ କାମ କରିବାକୁ ଯାଇଥିବା ୪ ଜଣ ଶ୍ରମିକ ବିସ୍ପୋରଣରେ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଚିକିତ୍ସାରେ ଅବହେଳା କରାଯାଇଥିବା ନେଇ ବିଜେପି ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ।

ଏହି ଶ୍ରମିକ ମାନେ ସମେସ୍ତ ଝାରସୁଗୁଡ଼ା ଲଇକେରା ବ୍ଲକ ଭାତଲଇଡ଼ା ପଞ୍ଚାୟତର ଟିଠେଇମାଲ ଗ୍ରାମର ଅତି ଗରୀବ ଶ୍ରେଣୀର ଲୋକ। ସଂପୃକ୍ତ ଠିକା ସଂସ୍ଥା ଏହି ଶ୍ରମିକ ମାନଙ୍କୁ କାମ କରିବାକୁ ନେଇଥିବା ବେଳେ ୧୧ ତାରିଖ ରାତିରେ ଏକ କଣ୍ଟେନର ମଧ୍ୟରେ ଏମାନଙ୍କ ଶୋଇବାକୁ ଦେଇଥିଲା। ମଧ୍ୟରାତ୍ରୀରେ ଏକ ବିଷ୍ଫୋରଣ ଘଟିଥିବା ବେଳେ ଶ୍ରମିକ କର୍ଣ୍ଣ ଓରାମ, ନୀଳମଣି ଓରାମ, ଅଞ୍ଜନ ଓରାମ ଓ ଅଶୋକ ଧୁରୁଆ ପୋଡ଼ି ହୋଇ ଗୁରୁତର ଆହତ ହୋଇଥିଲେ । ଆହତଙ୍କୁ ଠିକାସଂସ୍ଥା ଜିନ୍ଦଲ ଡିସପେନ୍‌ସରିରେ ପ୍ରାଥମିକ ଚିକିତ୍ସା ପରେ ୮୦ ପ୍ରତିଶତ ପୋଡ଼ିଥିବା କର୍ଣ୍ଣ ଓ ୩୦ ପ୍ରତିଶତ ପୋଡ଼ିଥିବା ନିଳମଣୀଙ୍କୁ ରାଉରକେଲା ଆଇଜିଏଚ୍‌କୁ ଏବଂ ଅନ୍ୟ ଦୁଇଜଣଙ୍କୁ ବୁର୍ଲା ସ୍ଥାନାନ୍ତର କରିଥିଲା ଓ ଏହି ଘଟଣା ସଂପର୍କରେ କାହାରିକୁ କିଛି ନକହିବା ତଥା ପୁଲିସରେ ଏଫ୍ଆଇଆର୍‌ ନଦେବାକୁ ସଂପୃକ୍ତ ଶ୍ରମିକ ଓ ତାଙ୍କ ପରିବାର ଲୋକଙ୍କୁ ଧମକ ଦିଆଯାଇଥିଲା। ଆହତ ଶ୍ରମିକ ମାନଙ୍କୁ କୌଣସି ଚିକତ୍ସାସେବା ଯୋଗାଇ ଦିଆଯାଇନଥିଲା କିମ୍ବା ଆର୍ଥିକ ସାହାଯ୍ୟ ମଧ୍ୟ ଦିଆଯାଇନଥିଲା। ଫଳରେ ଆହତ ଶ୍ରମିକଙ୍କ ପାଖରେ ଥିବା ଟଙ୍କା ସରିଯିବା ପରେ ସେମାନେ ଘରକୁ ଫେରି ଆସିଥିଲେ। ଫେରିଆସିଥିବା ଆହତ ଶ୍ରମିକଙ୍କୁ ସଂପୃକ୍ତ ଠିକାସଂସ୍ଥା କୌଣସି ସହାୟତା ଯୋଗାଇ ନଦେଇ ତାଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଇଥିବା ଶ୍ରୀ ତ୍ରିପାଠୀ ଅଭିଯୋଗ କରିଛନ୍ତି। ଏହି ଗରୀବ ଶ୍ରମିକଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯାଉ ନହେଲେ ବିଜେପି କେନ୍ଦ୍ର ମାନବିକା ଅଧିକାର ଓ ଏସ୍‌ଟି କମିଶନଙ୍କ ଠାରେ ଫେରାଦ ହେବ ବୋଲି ଚେତାବନୀ ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe