ଖୋର୍ଦ୍ଧା: ଖୋର୍ଦ୍ଧା ସହର ଠାରୁ ଅନତୀ ଦୂରରେ ଥିବା ମଲ୍ଲିପୁର-ଚମ୍ପାପୁର ମୌଜା ଅନ୍ତର୍ଗତ ନିଆଳ ଉପସ୍ୱାସ୍ଥ୍ୟ କେନ୍ଦ୍ରର କୋଠା ନିର୍ମାଣ କରିବାକୁ ସ୍ଥାନୀୟ ଗ୍ରାମବାସୀ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ମଙ୍ଗଳବାର ପ୍ରଦାନ କରିଛନ୍ତି। ଗ୍ରାମବାସୀଙ୍କ ପକ୍ଷରୁ ଏକ ୧୦ଜଣିଆ ପ୍ରତିନିଧି ଦଳ ଖୋର୍ଦ୍ଧା ବିଡିଓଙ୍କୁ ସାକ୍ଷାତ କରି ଆଲୋଚନା କରିଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାବିପତ୍ର ଦେଇଛନ୍ତି। ଗ୍ରାମବାସୀଙ୍କ ପକ୍ଷରୁ ମଲ୍ଲିପୁର ଗ୍ରାମ କମିଟି ସଭାପତି ରାଧେଶ୍ୟାମ ବ୍ରହ୍ମା କହିଛନ୍ତି ଯେ ମଲ୍ଲିପୁର ଓ ଚମ୍ପାପୁର ମୌଜାର ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ୩୦ ବର୍ଷ ମଲ୍ଲିପୁର ଠାରେ ଏକ ଉପସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପିତ ହୋଇଥିଲା। ଏହା ସରକାରଙ୍କ ଦ୍ୱାରା ନିର୍ମିତ ଆଜବେଷ୍ଟସ ଘରେ ଚାଲୁଛି। ବର୍ତ୍ତମାନ ଏହାର ନୂତନ କୋଠା ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି।
ଟେଣ୍ଡର ବିଜ୍ଞପ୍ତି ଅନୁସାରେ ଉପସ୍ୱାସ୍ଥ୍ୟକେନ୍ଦ୍ରଟି ମଲ୍ଲିପୁରରେ ନହୋଇ ସେଠାରୁ ୨କିମି ଦୂର ନିଆଳ ଠାରେ ଏକ ନିକାଞ୍ଚନ ସ୍ଥାନରେ ନିର୍ମାଣ କରାଯାଉଛି। ଏହାଦ୍ୱାରା ମଲ୍ଲିପୁର, ଚମ୍ପାପୁର ମୌଜାର ପ୍ରାୟ ୨ହଜାର ଲୋକ ତ୍ୱରିତ ଚିକିତ୍ସାସେବା ପାଇବାରେ ସମସ୍ୟା ସୃଷ୍ଟି ହେବ। ମଲ୍ଲିପୁର ଠାରେ ନିଆଳ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ, ଗଡ଼ନିଆଳ ଶାଖା ଡାକଘର ରହିଛି। ଗମନାଗମନର ସୁବିଧା ଦୃଷ୍ଟିରୁ ନୂତନ ଜାଗାରେ ନିର୍ମିତ ହେବାକୁ ଥିବା ଉପସ୍ୱାସ୍ଥ୍ୟକେନ୍ଦ୍ରଟି ମଲ୍ଲିପୁରରେ ପୂର୍ବରୁ ଥିବା ସ୍ଥାନ ନିକଟରେ ନିର୍ମାଣ କରାଗଲେ ଗ୍ରାମବାସୀ ଉପକୃତ ହୁଅନ୍ତେ। ଆଜି ଖୋର୍ଦ୍ଧା ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରାବ୍ଧୀ ତନୟା ସାହୁ ଓ ଜିଲ୍ଲାପାଳ କାର୍ଯ୍ୟାଳୟରେ ଦାବିପତ୍ର ଦେଇଥିବା ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ଅଖିଳ କୁମାର ସାହୁ, ଅମ୍ବିକା ପ୍ରସାଦ ମିଶ୍ର, କାଳନ୍ଦୀ ସେଠୀ, ସଞ୍ଜୟ ସାହୁ, ଦିଲ୍ଲୀପ ସାହୁ, ସୁରେଶ ନାୟକ, ମାନସ ମୁଦୁଲି, ଅକ୍ଷୟ ମହାନ୍ତି, ସଞ୍ଜୟ କୁମାର ନାୟକ ପ୍ରମୁଖ ଉପସ୍ଥିତ
ଥିଲେ।