ଜୟପୁର: ଅବିଭକ୍ତ କୋରାପୁଟ ଜିଲ୍ଲା ବିକାଶ ପରିଷଦ ଗଠନ ପାଇଁ ଉଠିଛି ଦାବି। ଏହି ଦାବି ସହ ୨୦ଦଫା ଦାବିକୁ ନେଇ ବିଶ୍ବ ଆଦିବାସୀ ଦିବସ ଅବସରରେ ଜିଲ୍ଲା ଆଦିବାସୀ ମହାସଂଘ ପକ୍ଷରୁ ଏକ ଦାବିପତ୍ର ବିଶାଳ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। ଭାରପ୍ରାପ୍ତ ଉପଜିଲ୍ଲାପାଳ ଗୋପୀନାଥ ସାରକା ଏହାକୁ ଗ୍ରହଣ କରିଥିଲେ। ୧୨ଟି ଆଦିବାସୀ ସମାଜର ଆବାହକ ମୁକୁନ୍ଦ ହନ୍ତାଳଙ୍କ ଆହ୍ବାନକ୍ରମେ ପିତବାସ ପ୍ରଫୁଲ, କମଳୁ ଜାନୀ, କୃଷ୍ଣ ନାୟକ, ବୈଦ୍ୟନାଥ ନାୟକ, ନରେନ୍ଦ୍ର କାନ୍ଦଲିଆ, ଲୁଦ୍ରା ସାନ୍ତା, ତ୍ରିନାଥ ପାଇରାପୁ, ଗୋପିନାଥ ସଉରା, ସୁକ୍ରୁ ହନ୍ତାଳ, ରୂପୁ ଭତ୍ରା, ସୀମା କୁମାରୀ ଚଳାଣ, ଜୟରାମ ପୁଜାରୀ, ସୁଜିତ କୁମାର ନାୟକ, ଲକ୍ଷ୍ମୀଧର ନାୟକ, ବୈଦ୍ୟନାଥ ନାୟକ, ଜିତୁ ବାକୁ, ଜଗନ୍ନାଥ ବେହେରା. ପଦ୍ମନ ଅମନାତ୍ୟ ପ୍ରମୁଖଙ୍କ ନେତୃତ୍ବରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହେବା ସହ ଦାବିପତ୍ର ପ୍ରଦାନ କରିଥିଲେ।

Advertisment

ଜିଲ୍ଲାରେ ଥିବା ୧୨ରକମର ଆଦିବାସୀ ସମାଜର ସଭ୍ୟଙ୍କୁ ନେଇ ପାରମ୍ପରିକ ବେଶଭୁଷା ସହ ଲୋକ ନୃତ୍ୟ ଢ଼େମସା, ରିଂଜୋୀଡ଼ି ,ଲୋକ ଗୀତ ଓ ନାରାରେ ହଜାର ହଜାର ଲୋକେ ଶୋଭାଯାତ୍ରା କରିଥିଲେ। ପାରମ୍ପରିକ ଅସ୍ତ୍ରଶସ୍ତ୍ର ବି ପ୍ରଦର୍ଶନ କରିଥିଲେ। ରାଜନଗର ଛକରୁ ଶୋଭାଯାତ୍ରା ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ହଜାରହଜାର ଲୋକଙ୍କ ଶୋଭାଯାତ୍ରାରେ ନାଚଗୀତ ଓ ନାରାରେ ଦୁଲୁକି ଉଠିଥିଲା। ପଶ୍ଚିମାଂଚଳରେ ଗଠନ ହୋଇଥିବା ଭଳି ଅବିଭକ୍ତ କୋରାପୁଟ ଜିଲ୍ଲାକୁ ନେଇ ବିକାଶ ପରିଷଦ ଗଠନ କରାଯାଉ ବୋଲି ୧୨ଟି ସମାଜ ପକ୍ଷରୁ ପ୍ରଥମ ଦାବି କରାଯାଇଥିଲା। ସେଭଳି ଚଇତ ପରବକୁ ଅବିଭକ୍ତ କୋରାପୁଟଜିଲ୍ଲାବାସୀଙ୍କ ମୁଖ୍ୟ ପରବ ହୋଇଥିବାରୁ ଏହି ଦିନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ଛୁଟି ଘୋଷଣା କରିବା, ସରକାରୀକର୍ମସଂସ୍ଥାରେ ଗୃପ ସି ଓ ଗୃପ ଡି ପଦବୀ ଗୁଡିକ ଜିଲ୍ଲାଭିତ୍ତିକ ନିଯୁକ୍ତି ଦେବା, ସମାଜର ପ୍ରମାଣପତ୍ର ତଦାରଖ କରିବା ପରେ ଜାତିଗତ ପ୍ରମାଣପତ୍ର ପ୍ରଦାନ କରିବା, ଆଦିବାସୀ ଝିଅ ଅଣଆଦିବାସୀ କିମ୍ବା ସାଧାରଣ ବର୍ଗରେ ବାହା ହେଲେ ତାଙ୍କୁ ସେହି ବର୍ଗରେ ସାମିଲ କରିବା, ସରକାରୀ କର୍ମସଂସ୍ଥାନରେ ଅବିଭକ୍ତ କୋରାପୁଟ ଜିଲ୍ଲାପାଇଁ ସ୍ବତନ୍ତ୍ର ଆରକ୍ଷଣ ରଖିବା, ଆଉଟସୋର୍ସିଂ ନିଯୁକ୍ତି ବନ୍ଦ କରିବା, ପେସା ଅଧିନିୟମ ତୁରନ୍ତ ଲାଗୁ କରିବା, ସବୁ ବ୍ଲକରେ ଗୋଟିଏ ଲେଖାଏଁ ନବୋଦୟ ବିଦ୍ୟାଳୟ ସ୍ଥାପନ, ଆଦିବାସୀ ମାନଙ୍କ କଳା, ସଂସ୍କୃତି, ଭାଷା, ପର୍ବପର୍ବାଣୀ, ରିତିନୀତି, ରୁଢ଼ିପ୍ରଥା, ଏବଂ ପରମ୍ପରା ଆଦିକୁ ସରକାର ଲିପିବଦ୍ଧ କରି ସ୍ବୀକୃତି ପ୍ରଦାନ କରିବା ଦାବି ହୋଇଛି।

publive-image

ସେହିପରି ପରଜା, କୁଇ, ଗାଦବା, ଡିଡ଼ାଇ, ସୌରା, ବଣ୍ଡା, କୋୟା, ଦେଶିଆ ଆଦି ଭାଷା ବିଲୁପ୍ତ ହେଉଥିବାରୁ ଏହାକୁ ବାର୍ଷିକ ଡିପ୍ଲୋମା ଭାବେ ଆରମ୍ଭ କରିବା, ବିଦେଶରେ ସରକାରଙ୍କ ପକ୍ଷରୁ ଆୟୋଜନ ହେଉଥିବା ବିଭିନ୍ନ କାର୍ନିଭାଲରେ ଏଠାକାର ପାରମ୍ପରିକ ଲୋକନୃତ୍ୟ ଓଗୀତକୁ ପ୍ରଦର୍ଶନ ପାଇଁ ସୁଯୋଗ ଦେବା, ସ୍ବାଧୀନତା ସଂଗ୍ରାମୀ ସହଦ ଲକ୍ଷ୍ମଣ ନାୟକଙ୍କ ସହିଦ ଦିବସକୁ ସରକାରୀ ଛୁଟି ଘୋଷଣା କରିବା, ଜୟପୁର ବିମାନବନ୍ଦରକୁ ସହିଦଲକ୍ଷ୍ମଣ ନାୟକଙ୍କ ନାଁରେ ନାମିତ କରିବା, ଆଦିବାସୀ ମାନଙ୍କୁ ଚାଷ ଓ ଘର ନିର୍ମାଣ ପାଇଁ ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଋଣ ପ୍ରଦାନ କରିବା, ଦୁରୁଆ, ଝୋଡ଼ିଆ ସଂପ୍ରଦାୟକୁ ଅନୁସୂଚିତ ଜନଜାତି ମାନ୍ୟତା ପ୍ରଦାନ କରିବା, ସବୁ ବ୍ଲକରେ ଶୀତଳ ଭଣ୍ଡାର ସ୍ଥାପନ, ଅବିଭକ୍ତ କୋରାପୁଟ ଜିଲ୍ଲାର ସବୁ ପର୍ଯ୍ୟଟନସ୍ଥଳକୁ ଏକ ପ୍ୟାକେଜ୍ ଭାବେ ଘୋଷଣା କରିବା ସହ ଏସବୁର ସାମଗ୍ରୀକ ବିକାଶ କରିବା, ବିଭିନ୍ନ ପ୍ରତିଯୋଗିତାମୂଳକର ପରୀକ୍ଷା କେନ୍ଦ୍ର ଅବିଭକ୍ତ କୋରାପୁଟ ଜିଲ୍ଲା ମଧ୍ୟରେ କରିବା ଆଦି ୨୦ଦଫା ଦାବି ଏଥିରେ ଉଲ୍ଲେଖ କରାଯାଇଛି। ୧୨ଟି ଆଦିବାସୀ ସମାଜର ଆବାହକ ମୁକୁନ୍ଦ୍ର ହନ୍ତାଳଙ୍କ ଆହ୍ବାନକ୍ରମେ ପିତବାସ ପ୍ରଫୁଲ, କମଳୁ ଜାନୀ, କୃଷ୍ଣ ନାୟକ, ବୈଦ୍ୟନାଥ ନାୟକ, ନରେନ୍ଦ୍ର କାନ୍ଦଲିଆ, ଲୁଦ୍ରା ସାନ୍ତା, ତ୍ରିନାଥ ପାଇରାପୁ, ଗୋପିନାଥ ସଉରା, ସୁକ୍ରୁ ହନ୍ତାଳ, ରୂପୁ ଭତ୍ରା, ସୀମା କୁମାରୀ ଚଳାଣ, ଜୟରାମ ପୁଜାରୀ, ସୁଜିତ କୁମାର ନାୟକ, ଲକ୍ଷ୍ମୀଧର ନାୟକ, ଜଗନ୍ନାଥ ବେହେରା ପ୍ରମୁଖଙ୍କ ନେତୃତ୍ବରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।