କଣ୍ଟାମାଳ: ଚାଷକୁ ଜଳସେଚନ ପାଇଁ ଖନନ କରାଯାଇଥିବା ବୋର୍ୱେଲ୍ଗୁଡ଼ିକୁ ବିଦ୍ୟୁତ୍ ଯୋଗାଣ ଦାବିରେ ଶୁକ୍ରବାର ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ଗାନ୍ଧୀ ଛକରେ ଚାଷୀମାନେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଅଭିଯୋଗ ଅନୁସାରେ କଣ୍ଟାମାଳ ବ୍ଲକର ପ୍ରାୟ ୮ ଶହ ଚାଷୀ ଦୀର୍ଘ ୩ ବର୍ଷ ହେଲା ବିଜୁ କୃଷକ କଲ୍ୟାଣ ଯୋଜନାର ୨୦ ହଜାର ଟଙ୍କା ଅଗ୍ରୀମ ଜମା କରି ନିଜ ଚାଷ ଜମିଗୁଡ଼ିକରେ ଗଭୀର ନଳକୂପ ଖନନ କରିଥିଲେ। ସୁବିଧା ଜଳସେଚନ ଦ୍ବାରା ଅଧିକ ଚାଷ କରି ଲାଭବାନ ହେବାକୁ ସେମାନେ ଆଶା ବାନ୍ଧିଥିଳେ। ମାତ୍ର ଆଜି ପର୍ଯ୍ୟନ୍ତ ଅନେକ ଚାଷୀଙ୍କ ବୋରୱେଲ୍ରେ ମେସିନ ଲାଗି ନଥିବା ବେଳେ ଯେଉଁମାନଙ୍କ ଲାଗିଛି ସେଠାକୁ ବିଦ୍ୟୁତ୍ ସଂଯୋଗେ ହୋଇନାହିଁ। ଫଳରେ ବୋର୍ୱେଲ୍ଗୁଡ଼ିକ କାର୍ଯ୍ୟକ୍ଷମ ହୋଇପାରୁ ନଥିବାରୁ ଚାଷୀ କ୍ଷତିର ସମ୍ମୁଖୀନ ହେଉଛନ୍ତି।
ପ୍ରତିବାଦ ସ୍ବରୂପ ଆଜି ସକାଳ ୧୦ଟା ବେଳେ ଚାଷୀ ନେତା ନିରଞ୍ଜନ କର୍ଣ୍ଣଙ୍କ ନେତୃତ୍ବରେ ଶତାଧିକ ଚାଷୀ ମନମୁଣ୍ଡା ଗାନ୍ଧୀ ଛକ ନିକଟରେ ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ମନମୁଣ୍ଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା। ପରେ କଣ୍ଟାମାଳ ତହସିଲଦାର କର୍ଣ୍ଣ ମଲ୍ଲିକ, ଉଠା ଜଳସେଚନ ନିର୍ବାହୀ ଯନ୍ତ୍ରୀ ଆନ୍ଦୋଳନ ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ସହ ଆସନ୍ତା ୭ ଦିନ ମଧ୍ୟରେ ବକେୟା କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଫଳରେ ଦିନ ୧୨ଟା ବେଳେ ରାସ୍ତା ଅବରୋଧ ହଟିଥିଲା। ସାତ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ଚାଷୀ ନେତା ଶ୍ରୀ କର୍ଣ୍ଣ ଚେତାବନୀ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/19-16.jpg)