ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବର୍ତ୍ତମାନ କେନ୍ଦୁପତ୍ର ତୋଳା ଜୋଲସୋରରେ ଚାଲିଛି। ଗାଁ ଗାଁରେ ଆଦିବାସୀ ଭାଇଭଉଣୀ ମାନେ କେନ୍ଦୁପତ୍ର ତୋଳି ବେଶ ଦିପଇସା ରୋଜଗାର କରନ୍ତି। କେନ୍ଦୁପତ୍ର ପୂର୍ବ ପରି ସରକାର ଖରିଦ କରନ୍ତୁ ବୋଲି ମାଲକାନଗିରି ଆଞ୍ଚଳିକ ଲୋକ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ସରକାରଙ୍କ ନିର୍ଦେଶ ମୁତାବକ ଓଡିଶାରେ ବେସରକାରୀ ସଂସ୍ଥାମାନେ କେନ୍ଦୁପତ୍ର ଖରିଦ କରୁଛନ୍ତି। ତେବେ ଏହି ବେସରକାରୀ ସଂସ୍ଥା ମାନେ ସରକାରଙ୍କର ସମସ୍ତ ନିୟମକୁ ମାନି କେନ୍ଦୁପତ୍ର ଖରିଦ କରୁଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ କିନ୍ତୁ ଅପରପକ୍ଷରେ ସରକାରଙ୍କ ନିୟମକୁ ଉଲଙ୍ଘନ କରିବା ସହ ଗରିବ ଆଦିବାସୀ ମାନଙ୍କୁ କୌଣସି ସୁବିଧା ସୁଯୋଗ ପ୍ରଦାନ କରୁନାହାଁନ୍ତି। ଏପରିକି ସରକାର କେରି ପ୍ରତି ବୋନସ ସହ ୪ ଟଙ୍କା ୨୦ ପଇସା ପ୍ରଦାନ କରିବା ସହ କେନ୍ଦୁପତ୍ର ତୋଳାଳୀଙ୍କ ଜୀବନବୀମା ଦେବା, ପିଲାଙ୍କୁ ଉଚ୍ଚ ଶିକ୍ଷା ପ୍ରଦାନ କରିବା, ବିବାହ, ପତ୍ର ସଂଗ୍ରହ ସମୟରେ ଛତା, ଜୋତା, ପାନୀୟ ଜଳ ଏବଂ ସ୍ବାସ୍ଥ୍ୟ ସେବା ଇତ୍ୟାଦି ଯୋଗାଇ ଆସୁଛନ୍ତି।

Advertisment

କିନ୍ତୁ ଘରୋଇ ସଂସ୍ଥା ମାନେ କୌଣସି ସ୍ଥାନରେ ବୁଶ କଟିଂ କରୁନଥିବା ବେଳେ ସରକାର ଦେଉଥିବା ସୁବିଧା ଗୁଡିକ ତୋଳାଳୀଙ୍କୁ ପ୍ରଦାନ ନକରିବା, ଅନେକ ଅଂଚଳରେ ତୋଳାଳୀଙ୍କୁ ସେମାନଙ୍କର ପ୍ରାପ୍ୟ ନଦେବା ଭଳି କାର୍ଯ୍ୟ କରୁଛନ୍ତି। ଏଥିସହ ଚଳିତବର୍ଷ ବେସରକାରୀ କେନ୍ଦୁପତ୍ର ସଂଘ ତିନି ଟଙ୍କାର ଅଧିକା ଅର୍ଥ କେରି ପିଛା ଦେବେ ନାହିଁ ବୋଲି ଘୋଷଣା କରିବା ସହ ଆଦିବାସୀ ମାନଙ୍କ ପ୍ରତି ଅବମାନନା ଏବଂ ଅନିୟମିତତା କରାଯାଉଛି। ଏଣୁ ମାଲକାନଗିରି ଆଞ୍ଚଳିକ ଲୋକ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରାଯାଇଛି ଯେ ବନ ବିଭାଗର କର୍ମଚାରୀଙ୍କୁ କେନ୍ଦୁପତ୍ର ଖରିଦ କରିବାକୁ ନିର୍ଦେଶ ଦିଆଗଲେ ଏହି ଅଂଚଳର ଆଦିବାସୀ ଭାଇଭଉଣୀମାନେ ଉପକୃତ ହୋଇପାରନ୍ତେ। ବେସରକାରୀ ସଂସ୍ଥାମାନେ ଯେଉଁ ପ୍ରକାର ଲୁଟ କରୁଛନ୍ତି ସେଥିରୁ ଆଦିବାସୀ ଭାଇମାନେ ରକ୍ଷା ପାଆନ୍ତେ ବୋଲି କୁହାଯାଇଛି।