ଖୋର୍ଦ୍ଧା: ଆଜି ଓଡ଼ିଶାର ଶେଷ ସ୍ୱାଧୀନ ଦୁର୍ଗ ଖୋର୍ଦ୍ଧା ଗଡ଼ଠାରେ ଶେଷ ସ୍ୱାଧୀନ ଦୁର୍ଗ ଉନ୍ନୟନ ସମିତି ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନେକ ଐତିହାସିକ ଓ ଗବେଷକ ଯୋଗ ଦେଇ ଖୋର୍ଦ୍ଧା ଗଡ଼ର ସଂରକ୍ଷଣ ଓ ସୁରକ୍ଷା ସହ ପାଇକ ବିଦ୍ରୋହର ମାନ୍ୟତା ପାଇଁ ସମ୍ମିଳିତ ସ୍ୱର ଆବଶ୍ୟକ ବୋଲି ମତ ଦେଇଥିଲେ । କାର୍ଯ୍ୟକ୍ରମରେ ସମିତିର ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକାରୀ ସଭାପତି କାର୍ଯ୍ୟକାରୀ ସଭାପତି ଅଟଳ ସାମନ୍ତ ପ୍ରାରମ୍ଭିିକ ସୂଚନା ଦେଇଥିଲେ ।

Advertisment

ସମ୍ପାଦକ ଡ ସୁରେଶ ଚନ୍ଦ୍ର ଛୋଟରାୟ ସମିତିର ବିବରଣୀ ଓ ଆଲୋଚନାଚକ୍ରର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ । ପ୍ରଫେସର ଡ ନାରାୟଣ ରାଓ, ଐତିହାସିକ ସତ୍ୟବାଦୀ ବଳିଆରସିଂହ, ଆଇନଜୀବୀ ସତ୍ୟନାରାୟଣ ଲାଲା ଭଗ୍ନ ଦୁର୍ଗର ବିକାଶ ନେଇ ପ୍ରସ୍ତାବ ରଖିଥିଲେ । ଦୁର୍ଗର ଦାୟିତ୍ୱ ରାଜ୍ୟ ପ୍ରତ୍ନତତ୍ୱ ବିଭାଗ ଠାରୁ କେନ୍ଦ୍ର ପ୍ରତ୍ନତତ୍ୱ ବିଭାଗକୁ ହସ୍ତାନ୍ତର କରାଯିବାକୁ ମତ ଦେଇଥିଲେ । ପାଠ୍ୟପୁସ୍ତକରେ ବକ୍ସି ଜଗବନ୍ଧୁଙ୍କ ସମେତ ଅନ୍ୟ ଶହୀଦ ଓ ସଂଗ୍ରାମୀ ବୀରମାନଙ୍କ ଜୀବନ ଚରିତକୁ ସ୍ଥାନ ଦେବାକୁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ବୈଠକରେ ବକ୍ତାମାନେ ଦାବି କରିଥିଲେ ।

ଆଲୋଚନାଚକ୍ରରେ ଜ୍ଞାନରଞ୍ଜନ ଦାଶ, ଚିତରଞ୍ଜନ ମହାନ୍ତି, ବିଜୟ କୁମାର ଦଶରାପୁରିଆ, ଲଳିତ ମୋହନ ମହାପାତ୍ର, ଅରବିନ୍ଦ ସାମନ୍ତ, ରମେଶ ଚନ୍ଦ୍ର ସ୍ୱାଇଁ, ରଣଜିତ କେଏନ୍ ସାମନ୍ତରାୟ, ଚନ୍ଦ୍ରଶେଖର ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ । ତେବେ ଆସନ୍ତା ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ସମିତି ପକ୍ଷରୁ ଗଡ଼ଖୋର୍ଦ୍ଧାରେ ଜାତୀୟ ପତାକା ଉତୋଳନ କରାଯିବାକୁ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିଲା ।