ମାଲକାନଗିରି ପୌର ପରିଷଦ  ନିର୍ବାଚନ : ଘରଡିହ ପଟ୍ଟା ଦାବିରେ ୧୩ ନମ୍ବର ଓ୍ବାର୍ଡବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

ମାଲକାନଗିରି : ମାଲକାନଗିରିରେ ପୌର ନିର୍ବାଚନ ଘୋଷଣା ହେବା ପର ଠାରୁ ମାଲକାନଗିରି ପୌର ପରିଷଦ ଅଧିନରେ ରହିଥିବା ଵାର୍ଡଗୁଡିକରେ ଏବେ ଘରଡିହ ପଟ୍ଟା ପ୍ରଦାନ ନେଇ ଦାବି ଜୋର ଧରିଛି । ପ୍ରଥମେ ଵାର୍ଡ ନମ୍ବର ୩ରୁ ଏହି ଦାବି ଆରମ୍ଭ ହୋଇଥିବା ବେଳେ ଏବେ ଧିରେ ଧିରେ ସବୁ ଵାର୍ଡବାସୀ ଏହି ଦାବିକୁ ଉପସ୍ଥାପନା କରୁଛନ୍ତି । ଏବେ ୧୩ ନମ୍ବର ଵାର୍ଡବାସୀ ଏକ ଜରୁରୀ ବୈଠକ କରି ଏହି ଵାର୍ଡରେ ବାସ କରୁଥିବା ସମସ୍ତ ଵାର୍ଡବାସୀଙ୍କୁ ତୁରନ୍ତ ଘରଡିହ ପଟ୍ଟା ପ୍ରଦାନ କରାଯାଉ ବୋଲି ଦାବି କରାଯାଇଛି। ଓ୍ବାର୍ଡର ମହିଳା ପୁରୁଷ ଏକତ୍ରିତ ହୋଇ ନିଷ୍ପତ୍ତି ନେଲେ ଯେ ଯଦି ପ୍ରଶାସନ କିମ୍ବା କୌଣସି ରାଜନୈତିକ ଦଳ ଲିଖିତ ପ୍ରତିଶ୍ରୁତି ଦେବେ ତେବେ ସେମାନେ ଭୋଟ ଦେବେ ନଚେତ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଏବେ ଜିଲ୍ଲାର ସଦର ମହକୁମାରେ ଘର଼ଡିହ ପଟ୍ଟା ଆନ୍ଦୋଳନ ଜୋର ଧରିଲା।ବିଗତ ଦିନରେ ପୂର୍ବତନ ବିଧାୟକ ମାନସ ମାଡକାମୀଙ୍କ ନେତୃତ୍ବରେ ବହୁ ଲୋକଙ୍କୁ ପଟ୍ଟା ପ୍ରଦାନ କରାଯାଇପାରିଥିଲା। ପୌରାଞ୍ଚଳର ରାସ୍ତା କଡରେ ଥିବା ଜବରଦଖଲ ଘରଗୁଡିକର ମାଲିକମାନଙ୍କୁ ପଟ୍ଟା ପ୍ରଦାନ କରାଯାଇଥିବା ବେଳେ ବିଭିନ୍ନ ଓ୍ବାର୍ଡରେ ଦୀର୍ଘ ବର୍ଷ ଧରି ଜବରଦଖଲ କରି ରହିଥିବା ଲୋକଙ୍କୁ ଏଥିରୁ ବଂଚିତ କରାଯାଇଛି। ତେଣୁ ପାତର ଅନ୍ତର ନକରି ସମସ୍ତ ଓ୍ବାର୍ଡବାସୀଙ୍କୁ ପଟ୍ଟା ଦେବା ନେଇ ପ୍ରତିଶ୍ରୁତି ଦେଲେ ହିଁ ଭୋଟ ଦିଆଯିବ ବୋଲି କୁହାଯାଇଛି।ସ୍ବାଧୀନତାର ସାତ ଦଶନ୍ଧି ପାର ହୋଇଯାଇଥିଲେ ମଧ୍ୟ ଜିଲ୍ଲାର ସଦର ମହକୁମାରେ ବାସ କରୁଥିବା ଲୋକଙ୍କ ଘରଡିହ ପଟ୍ଟା ମିଳିବାରେ ବିଳମ୍ବ ହେଉଛି।ଯେଉଁମାନେ ଅଳ୍ପ ଦିନରେ ଆସି ଜବରଦଖଲ କରି ରହିବା ସହ ପ୍ରଶାସନ ସହ ସାଲିସ କରି ନିଜର ପଟ୍ଟା ହାତେଇବାରେ ସଫଳ ହୋଇଥିବା ବେଳେ ଦୀର୍ଘ ବର୍ଷ ଧରି ଏଠାରେ ରହିବା ସହ ମୃତ୍ୟୁ ମଧ୍ୟ ହୋଇଯାଇଥିବା ବେଳେ ସେମାନଙ୍କୁ ପଟ୍ଟା ମିଳିପାରିନଥିବା ନେଇ ଅସଂତୋଷ ବଢିବାରେ ଲାଗିଛି । ଏହି ଦାବି ଆଗାମୀ ଦିନରେ ଗୋଟିଏ ଵାର୍ଡରୁ ଅନ୍ୟ ଵାର୍ଡକୁ ବ୍ୟାପୁଛି।ତୁରନ୍ତ ପ୍ରଶାସନ କୌଣସି ବିହିତ ପଦକ୍ଷେପ ନନେବ ତେବେ ଆଗାମୀ ଦିନରେ ପୌରାଞ୍ଚଳ ନିର୍ବାଚନରେ ଭୋଟ ବର୍ଜନ ନିଷ୍ପତ୍ତି ଆହୁରି ବଢିବ।ଯାହା ଏକ ଇତିହାସ ହେବ । ଯେଉଁ ଓ୍ବାର୍ଡବାସୀ ପ୍ରଥମେ ଦାବି କରିଥିଲେ।ସେମାନଙ୍କୁ ଉପଜିଲ୍ଲାପାଳ ଅକ୍ଷୟ ଖେମୁଡୁ ପହଞ୍ଚି ବୁଝାସୁଝା କରିବା ପରେ ସେମାନେ ରାଜି ହୋଇଥିଲେ।ଏବେ ପ୍ରଶାସନ ସମସ୍ତ ଵାର୍ଡରେ ବୁଲି ଲୋକଙ୍କୁ ବୁଝାଇବାକୁ ପଡିବ ବୋଲି କୁହାଯାଇଛି।ନିର୍ବାଚନ ପରେ ପ୍ରଶାସନ ଏମାନଙ୍କ କଥାକୁ ରଖୁଛନ୍ତି କି ନାହିଁ ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର