ରାଉରକେଲା: ବର୍ଷ ବର୍ଷ ଧରି ଚାକିରିକୁ ‌ଅପେକ୍ଷା କରିଛନ୍ତି ବିସ୍ଥାପିତ ପରିବାର। ୧୬୩ଜଣ ବିସ୍ଥାପିତ ପରିବାରଙ୍କୁ ରାଜ୍ୟ ସରକାର ଚୟନ କରିଛନ୍ତି। ହେଲେ ୧୫ ବର୍ଷ ବିତିଯାଇଥିଲେ ହେଁ ଜଣଙ୍କୁ ଆର୍‌ଏସ୍‌ପିରେ ନିଯୁକ୍ତି ମିଳିନି। ବିସ୍ଥାପିତ ସଂଘର ପ୍ରତିନିଧି ଜିଲ୍ଲା ପ୍ରଶାସନଠୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ଦୌଡି ଦୌଡି ନୟାନ୍ତ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ଓ ଆର୍‌ଏସ୍‌ପି କର୍ତ୍ତୃପକ୍ଷଙ୍କ ଏଭଳି ମନୋଭାବ ପ୍ରତିବାଦରେ ଆଜି ଉଦିତନଗର ଓରାମପଡ଼ାରେ ବିସ୍ଥାପିତ ସଂଘର କର୍ମକର୍ତ୍ତା ଏକାଠି ହୋଇଥିଲେ। ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରିଥିଲେ ବିସ୍ଥାପିତ ସଂଘର ଅଧ୍ୟକ୍ଷ ଲଚ୍ଛୁ ଓରାମ। ବିସ୍ଥାପିତ ପରିବାରଙ୍କ ସମସ୍ୟାଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଜାତୀୟ ଜନଜାତି କମିସନଙ୍କ ନିର୍ଦ୍ଦେଶକୁ ଜିଲ୍ଲା ପ୍ରଶାସନ ପାଳନ କରୁ ନଥିବାରୁ ବିସ୍ଥାପିତ ପରିବାରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଜମି ବଦଳରେ ଜମି, ବଳକା ଜମି ଫେରସ୍ତ କରିବା ଉପରେ ଆଲୋଚନା ହୋଇଥିଲା।

Advertisment

ନିର୍ବାଚନ ପୂର୍ବରୁ ନିଯୁକ୍ତି ପ୍ରତିଶ୍ରୁତି ନ ମିଳିଲେ ରାଜାସ୍ତାକୁ ଓହ୍ଲାଇବାକୁ ବିସ୍ଥାପିତ ପରିବାର ଚେତାବନୀ ଦିଆଯାଇଛି। ଏଥିପାଇଁ ଯେଉଁ ପରିସ୍ଥିତି ସୃଷ୍ଟି ହେବ, ସେଥିପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଦାୟୀ ରହିବେ। ବୈଠକରେ ମାଙ୍ଗା ଓରାମ, ବିସ୍‌ରା ଓରାମ, ଅମ୍ରିତ ମିଞ୍ଜ, ଗୋବିନ୍ଦ ତନ୍ତୀ, ସୁରେଶ ଭୂମିଜଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ରନାଥ ମିଶ୍ରଙ୍କ ସମୟରେ ବିସ୍ଥାପିତ ପରିବାର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ କରିଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳ ୧୬୩ ଜଣଙ୍କୁ ଆର୍‌ଏସ୍‌ପିରେ ନିଯୁକ୍ତି ମିଳିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ଆମରଣ ଅନଶନ ପ୍ରତ୍ୟାହୃତ ହୋଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଜଣଙ୍କୁ ହେଲେ ଆର୍‌ଏସ୍‌ପିରେ ନିଯୁକ୍ତି ମିଳିପାରିନି। ବରଂ ଜିଲ୍ଲା ପ୍ରଶାସନ ବିଭିନ୍ନ ଆଳ ଦେଖାଇ ବର୍ଷ ବର୍ଷ ଧରି ବିସ୍ଥାପିତ ପରିବାରକୁ ସମୟ ଗଡାଇ ଚାଲିଛନ୍ତି।