ବାରିପଦା: ଝାଡ଼ଖଣ୍ଡ ରାଜ୍ୟ ସରକାରଙ୍କର ବୈମାତୃକ ମନୋଭାବକୁ ନେଇ ନିକଟ ଅତୀତରେ ବିଭିନ୍ନ ପ୍ରସଙ୍ଗ ଦେଖାଦେବା ପରେ ଓଡ଼ିଶା ତଥା ସୀମାନ୍ତ ମୟୂରଭଞ୍ଜ ଜିଲ୍ଲାରେ ବ୍ୟାପକ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଓଡ଼ିଶାରୁ ଅଲଗା ହୋଇ ବିଛିନ୍ନାଂଚଳ ଭାବରେ ରହିଥିବା ଓଡିଆ ଭାଷାଭାଷି ଷଢେଇକଳା, ଖରଶୁଆଁ, ପୂର୍ବସିଂହଁଭୁମ ଓ ପଶ୍ଚିମସିଂହଁଭୁମ ଅଧିବାସୀଙ୍କ ପାଇଁ ଓଡିଆ ଭାଷାର ପାଠ୍ୟକ୍ରମର ବେଶ ଆବଶ୍ୟକତା ରହିଛି । ଓଡିଆ ଭାଷା ଉଚ୍ଛେଦ ପ୍ରସଙ୍ଗ ନେଇ ବିଛିନ୍ନାଂଚଳରେ ଲାଗି ରହିଥିବା ଧାରଣା, ଅନଶନ ସମାବେଶ ଇତ୍ୟାଦି ପାଇଁ ସଂଲଗ୍ନ ଓଡିଶା ରାଜ୍ୟର ମୟୁରଭଞ୍ଜ ଜିଲ୍ଲା ଅଧିବାସୀଙ୍କ ମନରେ ମଧ୍ୟ କ୍ଷୋଭ ଓ ଅଶାନ୍ତି ଦେଖାଯାଇଛି ।
ତେବେ ଝାଡଖଣ୍ଡ ରାଜ୍ୟରେ ରହିଥିବା ଏହି ଓଡିଆ ଭାଷାଭାଷୀ ଅଂଚଳଗୁଡିକରେ ଓଡିଆ ଭାଷାର ସୁରକ୍ଷା ଓ ସମୃଦ୍ଧି ପାଇଁ ଜିଲ୍ଲାର ଅଗ୍ରଣୀ ଭାଷା ସାହିତ୍ୟ ଅନୁଷ୍ଠାନ ଓଡିଆ ଜାଗରଣ ମଂଚ, ମୟୁରଭଞ୍ଜ ସାହିତ୍ୟ ପରିଷଦ, ପ୍ରତିଶୃତି ପ୍ରତିଷ୍ଠାନ, ନନ୍ଦିଘୋଷ ସାହିତ୍ୟ ସମାଜ, ପୂଜ୍ୟପୂଜା, ଉପାନ୍ତ ସାହିତ୍ୟ ସଂସଦ, ଗୋପବନ୍ଧୁ ସାହିତ୍ୟ ପରିଷଦ, ପୋଲିସ ପବ୍ଲିକ ପ୍ରେସ ପ୍ରମୁଖ ବହୁ ଅନୁଷ୍ଠାନ ପକ୍ଷରୁ ଭାଷା ଭିିତିକ ସଂଗ୍ରାମ ପାଇଁ ସଂକଳ୍ପବଦ୍ଧ ହୋଇ ଝାଡ଼ଖଣ୍ଡ ସରକାରଙ୍କ ମହାମହିମ ରାଜ୍ୟପାଳ, ଗଣଶିକ୍ଷା ବିଭାଗ, ମାନବ ଅଧିକାର ସୁରକ୍ଷା କମିଶନଙ୍କ ନିକଟକୁ ଭାଷାର ସମ୍ମାନ ଓ ଭାରତୀୟ ସମ୍ବିଧାନରେ ଦ୍ୱିତୀୟ ରାଜଭାଷାର ମାନ୍ୟତା ପ୍ରାପ୍ତ ଓଡିଆ ଭାଷା ତଥା ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମର ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହା ସହିତ ଓଡିଶାର ମହାମହିମ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ବିଭାଗ ଓ କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶର ଟୁଡୁଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।
ଯଥାଶୀଘ୍ର ଝାଡ଼ଖଣ୍ଡ ଓ ଓଡିଶା ରାଜ୍ୟ ସରକାରଙ୍କ ମିଳିତ ଆଲୋଚନା ମାଧ୍ୟମରେ ବିଛିନ୍ନାଂଚଳରେ ଓଡିଆ ଭାଷାର ସୁରକ୍ଷା ସହ ଛାତ୍ରଛାତ୍ରୀଙ୍କୁ ଓଡିଆ ପଢିବା ନିମନ୍ତେ ପାଠ୍ୟକ୍ରମର ସୁରକ୍ଷା ସହ ସମସ୍ତ ସୁବନ୍ଦୋବସ୍ତ କରାନଗଲେ ମୟୁରଭଞ୍ଜ ଅଧିବାସୀଙ୍କ ତରଫରୁ ଏହି ଭାଷା ଆନ୍ଦୋଳନକୁ ବ୍ୟାପକ କରାଯାଇ ଏକ ଗଣ ଆନ୍ଦୋଳନରେ ପରିଣତ କରାଯିବା ସହିତ ଶୋଭାଯାତ୍ରା ଓ ଧାରଣା ଆଦି ପ୍ରଦର୍ଶନ କରାଯିବ ବୋଲି ଅନୁଷ୍ଠାନ ସମୁହ ତରଫରୁ ଘୋଷଣା କରାଯାଇଛି । ଏହି ଦାବୀପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଓଡିଆ ଜାଗରଣ ମଂଚର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକ, ମୟୂରଭଞ୍ଜ ସାହିତ୍ୟ ପରିଷଦର ସମ୍ପାଦକ ଇଂ ମନୋଜ କୁମାର ଦଳବେହେରା, ପ୍ରତିଶୃତି ପ୍ରତିଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଭାଗବତ ପଣ୍ଡା, ଶିକ୍ଷାବିତ ନରେନ୍ଦ୍ର ମୋହନ ସେନାପତି, ପିତାମ୍ବର ମଲ୍ଲିକ, ଗୋଲକ ଚନ୍ଦ୍ର ମହାନ୍ତି, ସଞ୍ଜିବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।